Odia News Portal

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସଂପର୍କରେ ଆଲୋଚନା କରିବେ ପ୍ରଧାନ ମନ୍ତ୍ରୀ

ସାରା ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ସାରା ଦେଶରେ ଏବେ କୋଭିଡ଼ ସ୍ଥିତି ଆତଙ୍କ ସୃଷ୍ଟି କଲାଣି । ସାରା ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ କୋଭିଡ ସ୍ଥିତିର ସମୀକ୍ଷା କରିବେ ।
ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହେବ। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ପରିସ୍ଥିତି ବିଷୟରେ ଜଣାଇବା ପରେ ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ଡିସେମ୍ବର ୩୧ରେ ଟେଷ୍ଟ ପଜିଟିଭିଟି ରେଟ୍ ୧.୧ ପ୍ରତିଶତ ଥିଲା । ଯାହା ଏବେ ବୃଦ୍ଧିପାଇ ୧୩.୧୧ ପ୍ରତିଶତକୁ ପହଞ୍ଚିଛି । ଦେଶରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, କେରଳ ଓ ଗୁଜରାଟ ଏବେ ଦେଶର ହଟସ୍ପଟ ପାଲଟିଛି । ମହାରାଷ୍ଟ୍ରରେ ସଂକ୍ରମଣ ହାର ୨୨.୩୯ ପ୍ରତିଶତ ଥିବାବେଳେ ପଶ୍ଚିମବଙ୍ଗରେ ୩୨.୧୮ ପ୍ରତିଶତ, ଦିଲ୍ଲୀରେ ୨୬.୨୨ ପ୍ରତିଶତ ଓ ଉତ୍ତରପ୍ରଦେଶରେ ୪.୪୭ ପ୍ରତିଶତ ରହିଛି । ଯାହା ଫଳରେ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିବେ ।