Odia News Portal

ରାଜ୍ୟ ବିଜେପିକୁ ବଡ଼ ଝଟକା

ରାଜ୍ୟ ବିଜେପିକୁ ବଡ଼ ଝଟକା । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ଗମାଙ୍ଗ ଦଳ ଛାଡ଼ିବା ପରେ ଆଜି ବିଧିବଦ୍ଧ ଭାବେ ବିଆରଏସରେ ସାମିଲ ହୋଇଛନ୍ତି । ହାଇଦ୍ରାବାଦରେ ମିଶ୍ରଣ ପର୍ବରେ ଯୋଗଦାନ ପୂର୍ବରୁ ଭୁବନେଶ୍ବରରେ ୨୦୨୪ ନିର୍ବାଚନକୁ ନେଇ ବିଜେପି ଦିବାସ୍ବପ୍ନ ଦେଖୁଛି ବୋଲି କହି ଶିଶିର ଗମାଙ୍ଗ ଦଳର ଗୁମର ଖୋଲିଛନ୍ତି । ଅନ୍ୟପଟେ ଓଡ଼ିଶାରେ ବିଆରଏସର କିଏ ମଙ୍ଗୁଆଳ ହେବ ତାକୁ ନେଇ ସସପେନସ ଜାରି ରହିଛି । ଏହାରି ଭିତରେ ଓଡ଼ିଶାରେ ବିକଳ୍ପ ରାଜନୀତି କରିବାକୁ ବିଆରଏସରେ କିଛି ପୂର୍ବତନ ବିଧାୟକ ଓ ସାଂସଦ ଅଣ୍ଟା ଭିଡ଼ିଛନ୍ତି ।

ଦିବା ସ୍ବପ୍ନ ଦେଖୁଛି ରାଜ୍ୟ ବିଜେପି । ୨୦୧୯ରେ ଯେଉଁ ସ୍ୱପ୍ନ ଦେଖିଥିଲା ତାର ରିପିଟ ଚିନ୍ତା କରୁଛି ଦଳ । ଯାହା ପୁଣିଥରେ ସ୍ୱପ୍ନରେ ରହିଯିବ । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଶିଶିର ଗମାଙ୍ଗ ବିଜେପି ଛାଡ଼ି ବିଆରଏସରେ ସାମିଲ ହେବା ପରେ ଏପରି କହିଛନ୍ତି ଶିଶିର । ଏହାସହ ପୁଣିଥରେ ରାଜ୍ୟ ବିଜେପିର ଗୁମର ଖୋଲିଛନ୍ତି । ଓଡ଼ିଶା ଦଖଲ କରିବା ପାଇଁ ବିଜେପି କେବଳ ସ୍ବପ୍ନ ଦେଖେ ବୋଲି ଶିଶିରଙ୍କ ସହ ସ୍ବର ମିଳାଇଛନ୍ତି ମାଆ ହେମା ଗମାଙ୍ଗ । ଆଗକୁ ଓଡ଼ିଶାରେ ବିଆରଏସ ଉଭୟ ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିକଳ୍ପ ଭାବେ ରାଜ୍ୟବାସୀଙ୍କ ପାଖରେ ଛିଡ଼ାହେବ । ଓଡ଼ିଶାର ଇତିହାସ ଓ ଭୂଗୋଳରେ ପରିବର୍ତ୍ତନ ହେବ ବୋଲି ଉଭୟ ମା ଓ ପୁଆ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ରାଜ୍ୟ ବିଜେପିରେ ହ୍ୟୁମିଲିଏସନ ସହି ନପାରି ବିଜେପିରୁ ଇସ୍ତଫା ଦେଇଥିଲେ ଗିରିଧର ଓ ଶିଶିର ଗମାଙ୍ଗ । ଏହାପୂର୍ବରୁ ଉଭୟ ବାପାପୁଅ ବିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓଙ୍କୁ ଭେଟି ଆଲୋଚନା କରି କରିଥିଲେ । ଓଡ଼ିଶାର କିଛି ପୂର୍ବତନ ବିଧାୟକ, ସାଂସଦ, ବିଭିନ୍ନ ସଂଗଠନର ନେତାଙ୍କୁ ନେଇ ଆଜି ହାଇଦ୍ରାବଦ ଗସ୍ତ କରି ବିଧିବଦ୍ଧ ଭାବେ ବିଆରଏସରେ ସାମିଲ ହୋଇଛନ୍ତି । ଆଗକୁ ବିଆରଏସରେ ରାଜ୍ୟ ମୁଖିଆ କିଏ ହେବ ତାହା ସ୍ଥିର ହୋଇନଥିଲେ ମଧ୍ୟ ଦଳ ସବୁ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବୋଲି ଗିରିଧର କହିଛନ୍ତି ।

୨୦୨୪ରେ ବିଆରଏସ ଓଡିଶା ରାଜନୀତିରେ ପୁରା ଦମରେ ଏଣ୍ଟ୍ରି ମାରିବାକୁ ସଜବାଜ ଆରମ୍ଭ କରିଛନ୍ତି । ହେଲ ଘରେ ନପୁଶୁଣୁରୁ ମୁଣ୍ଡରେ ଚାଳ ବାଜିଲା ପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ କିଏ ଧରିବେ ମଙ୍ଗ ତାହାକୁ ନେଇ ପରସ୍ବର ମଧ୍ୟରେ ଟଣାଓଟରା ଲାଗିଲାଣି ।