Odia News Portal

ମୋ ସ୍କୁଲରେ ୧୨୧ କୋଟିର ପ୍ରକଳ୍ପକୁ ଅନୁମୋଦନ

-୩୩ ହଜାର ସ୍କୁଲରେ ମୋ ସ୍କୁଲ ପ୍ରକଳ୍ପ
-ହାଇସ୍କୁଲ ଟ୍ରାନ୍ସଫରମସେନ୍ କାର୍ଯ୍ୟକ୍ରମରେ ହଜାରେ ସ୍କୁଲ

ଭୁବନେଶ୍ୱର : ମୋ ସ୍କୁଲ ଅଭିଯାନର ୨୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଭର୍ଚୁଆଲ୍ ମୋଡ଼ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୪ଟି ଜିଲ୍ଲାର ମୋଟ ୧୨୧ କୋଟି ୨୬ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।


ଗତ ୧ମାସ ମଧ୍ୟରେ ୩୬ ହଜାରରୁ ଉଦ୍ଧ୍ୱର୍ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ଅଭିଯାନ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫କୋଟି ୨୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ୧.୭୭ କୋଟି, କଟକରେ ୫୩ ଲକ୍ଷ ୫୪ହଜାର, ଭଦ୍ରକରେ ୩୬ଲକ୍ଷ ୩୩ହଜାର, ଅନୁଗୁଳରେ ୩୩ଲକ୍ଷ ୧୮ହଜାର ଏବଂ ବରଗଡ଼ରେ ୧୮ଲକ୍ଷ ୫୪ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ଏହାସହ ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ ଅଭିଯାନକୁ ୩୫କୋଟି ୫୫ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍ଆର୍ ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୨୧ କୋଟି ୨୬ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବାଲେଶ୍ୱର ଜିଲ୍ଲାରେ ଲଗାତାର ୫ମ ଥର ପାଇଁ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏ କ୍ଷେତ୍ରରେ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଭୂମିକାକୁ କାର୍ଯ୍ୟନିର୍ବାହୀ ପରିଷଦ ପ୍ରଶଂସା କରିଛନ୍ତି ।

ବର୍ତମାନ ସୁଦ୍ଧା ୫ଲକ୍ଷ ୬ହଜାର ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିବାବେଳେ ରାଜ୍ୟରେ ସମସ୍ତ ଜିଲ୍ଲାର ୩୩ ହଜାରରୁ ଉଦ୍ଧ୍ୱର୍ ସ୍କୁଲ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଛି । ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିବା ପୁରାତନ ଛାତ୍ରଙ୍କୁ ଜିଲ୍ଲା, ବ୍ଲକ ଓ ସ୍କୁଲ ସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ପ୍ରଦାନ କରାଯିବାକୁ ନିଷ୍ପତି ହୋଇଥିବାବେଳେ ଏଯାବତ୍ ୧୩ଟି ଜିଲ୍ଲାରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଧନ୍ୟବାଦ ପତ୍ର ପ୍ରଦାନ କରାଯିବାକୁ ଲକ୍ଷ୍ୟ ରହିଛି ।
ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ୫ଟି ହାଇସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲାପାଳ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ମାଧ୍ୟମିକ ଶିକ୍ଷା ପରିଷଦ, ଶିକ୍ଷକ ଶିକ୍ଷା ଓ ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ୍ ପରିଷଦ(ଟିଇ ଆଣ୍ଡ ଏସ୍ସିଇଆର୍ଟି) ସହଯୋଗରେ ରାଜ୍ୟର ୧ ହଜାର ଉଚ୍ଚ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦିଆଯାଉଛି । ବିଶ୍ୱସ୍ତରୀୟ ମାନରେ ଭିତିଭୂମି ବିକାଶ ସହ ପିଲାମାନଙ୍କ ପାଠପଢ଼ାରେ କିଭଳି ଉନ୍ନତି ଅଣାଯାଇପାରିବ ତାହାକୁ ଦୃଷ୍ଟିରେ ରଖି କାର୍ଯ୍ୟ ଆରମ୍ଭ ହୋଇଛି । ସିଏସ୍ଆର୍ ପାଣ୍ଠିରୁ ମିଳୁଥିବା ଅନୁଦାନ ସହ ମୋ ସ୍କୁଲର ଦୁଇଗୁଣା ସହାୟତା ରାଶିକୁ ମିଶାଇ ପ୍ରତ୍ୟେକ ବିଦ୍ୟାଳୟର ବିକାଶ କରାଯିବାକୁ ଲକ୍ଷ୍ୟ ରହିଛି । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସେଂଟର ଫର୍ ଏନଭାରୋମେଂଟ ଷ୍ଟଡିଜ୍ ସହଯୋଗରେ ୧ ହଜାର ସ୍କୁଲରେ ଏନଜି କ୍ଲବ ପ୍ରତିଷ୍ଠା କରାଯିବ । ବିଦ୍ୟାଳୟଗୁଡ଼ିକରେ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ଏବଂ ଏ ସମ୍ପର୍କିତ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ କରିବାକୁ ପ୍ରତ୍ୟେକ ବିଦ୍ୟାଳୟକୁ ବର୍ଷକୁ ୧୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ସେହିଭଳି ନିର୍ଦ୍ଧାରିତ ସମୟରେ ମୋ ସ୍କୁଲ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିଦେ୍ର୍ଦଶ ଦିଆଯାଇଛି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ସ୍ୱତନ୍ତ୍ର ଅଡିଟର୍ମାନଙ୍କୁ ନିୟୋଜିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ସ୍କୁଲ ଆଡ଼ପସନ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରତି ପୁରାତନ ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅପ୍ରତ୍ୟାଶିତ ଆଗ୍ରହ ପ୍ରକାଶ ପାଇଛି । ବିଭିନ୍ନ ବର୍ଗର ଲୋକ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିବାବେଳେ ମୋ ସ୍କୁଲ ପକ୍ଷରୁ ପର୍ଯ୍ୟାୟକ୍ରମେ ପୋଷ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ନେଇ ମଇ ୧୦ ତାରିଖରେ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଉଛି । ବର୍ତମାନ ସୁଦ୍ଧା ୧୩୮୦ ଜଣ ବ୍ୟକ୍ତିବିଶେଷ ବିଭିନ୍ନ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିଦେ୍ର୍ଦଶକ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓଏସ୍ଇପିଏ), ନିଦେ୍ର୍ଦଶକ, ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକ, ଟିଇ, ଏସ୍ସିଇଆର୍ଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ, ମୋ ସ୍କୁଲ ଉପସ୍ଥିତ ଥିଲେ ।