ରାୟଗଡ଼ା: ପାଳ କୁଡିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ | ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଲାକ୍ରିଶ ଗ୍ରାମରେ ଏହି ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ସୂଚନା ମୁତାବକ ଆଜି ଗ୍ରାମ ନିକଟରେ ଥିବା ପନିପରିବା ବାଡ଼ିରେ ଥିବା ପାଳ କୁଡିଆକୁ ୨ଜଣ ଶିଶୁ ଯାଇଥିବା ସମୟରେ ହଠାତ ପାଳ କୁଡିଆରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଥିବା ସମୟରେ ମାନିଙ୍ଗ ମାଝୀଙ୍କ ଝିଅ କୁମାରି ମାଝୀ (୪ ବର୍ଷ ) ଏବଂ ଦୁର୍ଯ୍ୟଧନ ମାଝୀଙ୍କ ଝିଅ ଦିବ୍ୟା ମାଝୀ (୩ ବର୍ଷ ) ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ନିକଟରେ ଥିବା ପରିବାର ଲୋକେ କୁଡିଆ ଜଳୁଥିବା ଦେଖି ସେଠାକୁ ଯିବା ସମୟରେ ପାଳ କୁଡିଆଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏନେଇ ଗ୍ରାମବାସୀ ମାନେ କାଶୀପୁର ପୋଲିସକୁ ସୂଚନା ଦେବାପରେ ଖବର ପାଇ କାଶୀପୁର ଆଇଆଇସିଙ୍କ ସହ ପୋଲିସ ଟିମ ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମାଜିଷ୍ଟ୍ରେଟଙ୍କ ଦାୟିତ୍ୱରେ କାଶୀପୁର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଶବ ଜବତ କରିବା ସହ ଶବ ବ୍ୟବଛେଦ କରାଯାଇଥିବା ସୂଚନା ମିଳିଛି ।