ଭଦ୍ରକ: ଉତ୍ତରାଖଣ୍ଡରେ ଘଟିଥିବା ପ୍ରକୃତିର ଭୟାନକ ତାଣ୍ଡବରେ ନିଖୋଜ ହୋଇଯାଇଥିବା ଥିବା ୨ ଓଡିଆ ପୁଅଙ୍କ ନାଁ ଘୋଷଣା କରାଯାଇଛି। ତେବେ ଗତକାଲି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅନ୍ତର୍ଗତ ଯଶୀପୁର ପଞ୍ଚାୟତର କୁଦକାନ୍ଥି ଗାଁର ନାଗାର୍ଜୁନ ଦାସ ନିଖୋଜ ହୋଇଥିବା ବେଳେ ଅନ୍ୟଜଣେ ହେଲେ ମୟୂରଭଞ୍ଜର ଖୁଣ୍ଟା ବ୍ଲକର ପର୍ଶୁରାମ ହାଁସଦା। ଉତ୍ତରାଖଣ୍ଡ ହିମସ୍ଖଳନରେ ପ୍ରାୟ ୩୨ଜଣଙ୍କ ଜୀବନ ଯାଇ ସାରିଲାଣି । ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ନିଖୋଜ ଥିବା ପ୍ରାଥମିକ ରିପୋର୍ଟରୁ ମଧ୍ୟ ଜଣାପଡିଛି।


ଏହି ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଅଛନ୍ତି ୨ ଜଣ ଓଡିଆ । ଉତ୍ତରାଖଣ୍ଡର ରୁଷିଗଙ୍ଗା ପାୱାର ପ୍ରକଳ୍ପ ଅଧିନରେ ଥିବା ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ ନାଗାର୍ଜୁନ କାମ କରନ୍ତି। ନୟାଗଡ ଜିଲ୍ଲାର ସୁଶାନ୍ତ ମଧ୍ୟ ଏହି ରେଣୀ ବ୍ୟାରେଜରେ କାମ କରନ୍ତି। କିନ୍ତୁ କୌଣସି କାରଣରୁ ସୁଶାନ୍ତ ଘରକୁ ଚାଲି ଆସିଥିଲେ। ତାଙ୍କ ବଦଳରେ ନାଗାର୍ଜୁନ କାମ କରୁଥିଲେ। ଭଦ୍ରକ ଜିଲ୍ଲା ପ୍ରଶାସନ ନାଗାର୍ଜୁନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରଖିଛି। ଅନ୍ୟପଟେ ମୟୂରଭଞ୍ଜର ପର୍ଶୁରାମ ହାଁସଦାଙ୍କୁ ମଧ୍ୟ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି।