Odia News Portal

ଶ୍ରୀମନ୍ଦିରକୁ ଘାରିଲା ସଂକ୍ରମଣ ଭୟ,୨୩ ପଜିଟିଭ୍ ଚିହ୍ନଟ

* ଜୋତା ଷ୍ଟାଣ୍ଡର ୮ଜଣ ଓ ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି|
*ଏହା ବ୍ୟତୀତ ଜଗନ୍ନାଥ ଟେମ୍ପଲ ପୋଲିସ ଓ ଜଣେ ମାଳି ମଧ୍ୟ ପଜିଟିଭ ହୋଇଛନ୍ତି |
*ରେଳଷ୍ଟେସନରେ ଆଣ୍ଟିଜେନ୍ ଟେଷ୍ଟ ବେଳେ ଜଣେ ବାଳିକା ପଜିଟିଭ ଚିହ୍ନଟ |
*ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ହେଲା ଭଳି ଶ୍ରୀମନ୍ଦିରରେ ମଧ୍ୟ ଉପୁଜିପାରେ ବନ୍ଦ ସ୍ଥିତି |

ପୁରୀ: ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢି ଚାଲିଥିବା ସମୟରେ ଆଜି ପୁରୀ ଶ୍ରୀମନ୍ଦିରର ୭ ଜଣ ସେବାୟତ ଓ ସେମାନଙ୍କ ୩ ପରିବାର ସଦସ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଜୋତା ଷ୍ଟାଣ୍ଡର ୮ଜଣ ଓ ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି|ଏହା ବ୍ୟତୀତ ଜଗନ୍ନାଥ ଟେମ୍ପଲ ପୋଲିସ ଓ ଜଣେ ମାଳି ମଧ୍ୟ ପଜିଟିଭ ହୋଇଛନ୍ତି |ମୋଟ ୨୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି |ସେହିଭଳି ପୁରୀ ରେଳଷ୍ଟେସନରେ ଆଣ୍ଟିଜେନ୍ ଟେଷ୍ଟ ବେଳେ ଜଣେ ବାଳିକା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ପଜିଟିଭ ଚିହ୍ନଟ ହୋଇଥିବା ବାଳିକାର ପିତା ମାତା କିନ୍ତୁ ନେଗେଟିଭ ଥିବା କୁହାଯାଉଛି । ଏହି ପରିବାର ଗୁଜୁରାଟରୁ ଶ୍ରୀମନ୍ଦିର ଦର୍ଶନରେ ଆସିଥିବା ଜଣାପଡିଛି ।

ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ରବିବାର ଦିନ ମନ୍ଦିର ସାନିଟାଇଜ କରାଯିବା ସହ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଉଛି | ତେବେ ଶ୍ରୀମନ୍ଦିରରେ ସଂକ୍ରାମିତଙ୍କ ସଂଖ୍ୟା ବଢି ଚାଲିଲେ ଗଞ୍ଜାମର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ହେଲା ଭଳି ଶ୍ରୀମନ୍ଦିରରେ ମଧ୍ୟ ବନ୍ଦ ସ୍ଥିତି ଉପୁଜିପାରେ | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ପଜିଟିଭଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ ୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିର ସେବାୟତ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ପୁଣି ଶ୍ରୀମନ୍ଦିରରେ କୋଭିଡ୍ କଟକଣାକୁ ଆହୁରି କଡାକଡି କରାଯାଇପାରେ ।