Odia News Portal

୩.୮୮ କୋଟି ଟିକା କିଣିବ ଓଡ଼ିଶା

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ଟିକାକରଣରେ ମାଗଣା ଟିକା ଦେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପରେ କୋଭିସିଲଡ ଓ କୋଭାକ୍ସିନ ଟିକା ଯୋଗାଇ ଦେବାକୁ ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକ୍ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସମୟ ଭିତରେ ଟିକା ଯୋଗାଇ ଦେବାପାଇଁ କଣ ସବୁ ସର୍ତ୍ତ ନିୟମ ରହିଛି ସେନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।
୩କୋଟି ୭୭ଲକ୍ଷ କୋଭିଶିଲ୍ଡ ଟିକା ଡୋଜ ଟିକା ଦେବାକୁ ସେରମ ଇନଷ୍ଟିଚୁ୍ୟ୍ଟ ମୁଖ୍ୟଙ୍କ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ତୃତୀୟ ପର୍ଯ୍ୟାୟ ଟିକାକରଣ ମେ’ ୧ରୁ ଆରମ୍ଭ ହେବ । ଏଥିରେ ୧୮ରୁ ୪୪ ବର୍ଷ ପର୍ଯ୍ୟନ୍ତ ବୟସର ସମସ୍ତଙ୍କୁ ମାଗଣା ଟିକା ଦିଆଯିବ । ତେଣୁ ସେରମ ଇନଷ୍ଟିଚୁ ୍ୟଟ୍ ପକ୍ଷରୁ ନିର୍ଦ୍ଧାରିତ ଦରରେ ଟିକା କ୍ରୟ କରିବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ଓଡ଼ିଶା ଔଷଧ ନିଗମ ପକ୍ଷରୁ ଏହି ସବୁ ଟିକା କ୍ରୟ କରାଯିବ ।

ସେହିଭଳି ଭାରତ ବାୟୋଟେକ୍ରୁ ୧୦ ଲକ୍ଷ ୩୪ ହଜାର ଡୋଜ କୋଭାକ୍ସିନ ଟିକା କ୍ରୟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଭାରତ ବାୟୋଟେକର ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଦଶକଙ୍କୁ ଚିଠି ଲେଖିଛି । କୋଭାକ୍ସିନ ଟିକା ମଧ୍ୟ ଓଡ଼ିଶା ଔଷଧ ନିଗମ ପକ୍ଷରୁ କ୍ରୟ କରାଯିବ । ଯଥାଶୀଘ୍ର ଟିକା ଯୋଗାଇଦେବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।