Odia News Portal

ବିଷାକ୍ତ ଶାଗ ନେଲା ଜୀବନ

ନୟାଗଡ଼: ବିଷାକ୍ତ ଶାଗ ଖାଇ ୩ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବରସାହି ଗାଁରେ ଘଟିଛି ଏହି ଭଳି ଅଭାବନୀୟ ଘଟଣା । ମୃତ ଶିଶୁର ବୟସ ୩ ବର୍ଷ ହୋଇଥିବା ବେଳେ ସେ ରାକେଶ ମୁଦୁଲିଙ୍କ ଝିଅ ଟ୍ଵିଙ୍କିଲ ମୁଦୁଲି ବୋଲି ସୂଚନାରୁ ଜଣାଯାଇଛି ।

ସୂଚନାନୁଯାୟୀ, ଗତକାଲି ଟ୍ଵିଙ୍କିଲଙ୍କ ଜେଜେ ମା’ ବାସନ୍ତି ଦେଇ ବିଲରୁ କିଛି ଚଣାଶାଗ ଆଣି ରୋଷେଇ କରିଥିଲେ । ଏହାକୁ ମଧ୍ୟାହ୍ନ ସମୟରେ ଖାଇବାର କିଛି ଘଣ୍ଟା ପରେ ରାକେଶଙ୍କ ସ୍ତ୍ରୀ ସୁରେଖା , ତିନି ବର୍ଷର ଝିଅ ଟ୍ଵିଙ୍କିଲ, ମା ବାସନ୍ତୀ ଏବଂ ତାଙ୍କ ଘରକୁ ବୁଲିବାକୁ ଆସିଥିବା ଶାଶୁ ଝୁନୁ ମୁଦୁଲିଙ୍କର ଝାଡାବାନ୍ତି ହୋଇଥିଲା । ଏହାପରେ ତୁରନ୍ତ ସେମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଟ୍ଵିଙ୍କିଲଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ସ୍ଥାନାନ୍ତର କରାଯାଉଥିବା ସମୟରେ ଝିଅଟି ଆଖି ବୁଜିଦେଇଥିଲା। ତେବେ ସାମାନ୍ୟ ସୁସ୍ଥ ଅନୁଭବ କରିବାପରେ ସୁରେଖା ଏବଂ ଝୁନୁ ମୁଦୁଲି ରାତିରେ ମେଡିକାଲରୁ ଘରକୁ ଫେରିଥିବାବେଳେ ବାସନ୍ତି ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।