Odia News Portal

ଦିଲ୍ଲୀ ଏମ୍ସରେ ୩୫ ଡାକ୍ତର ପଜିଟିଭ୍ ଚିହ୍ନଟ

ସାର ଗଙ୍ଗାରାମ ହସ୍ପିଟାଲରେ ମଧ୍ୟ ୩୭ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ |

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସ୍ଥିତି ଚିନ୍ତାଜନକ । ଦିନକୁ ହଜାର ହଜାର ସଂଖ୍ୟାରେ ପଜିଟିଭ ଚିହ୍ନଟ ହେଉଥିବା ସମୟରେ ଏଥିରୁ ଡାକ୍ତର ମଧ୍ୟ ବାଦ୍ ପଡିନାହାନ୍ତି | ଦିଲ୍ଲୀ ଏମ୍ସର ୩୫ ଡାକ୍ତର ଆଜି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସଂକ୍ରମିତ ସମସ୍ତ ଡାକ୍ତର କରୋନା ଭ୍ୟାକସିନ୍‌ର ଦୁଇଟି ଡୋଜ୍ ନେଇ ସାରିଥିବା ସୂଚନା ମିଳିଛି। ଏହା ପୂର୍ବରୁ ଗତକାଲି ସାର ଗଙ୍ଗାରାମ ହସ୍ପିଟାଲରେ ମଧ୍ୟ ୩୭ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

ତେବେ ସାର ଗଙ୍ଗାରାମ ହସ୍ପିଟାଲରୁ ଏତେ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ତତ୍ପରତା ଦେଖାଇଛନ୍ତି । ସ୍ଥିତି ବିଷୟରେ ଆଲୋଚନା ପାଇଁ ସେ ହସ୍ପିଟାଲର ଚେୟାରମ୍ୟାନ ଡ. ଡିଏସ ରାଣାଙ୍କୁ ବୈଠକ ପାଇଁ ଡକାଇଛନ୍ତି।ସେହିଭଳି ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ଭୟାବହ ରୂପ ନେବାରେ ଲାଗିଛି। ଦିଲ୍ଲୀରେ ଏପ୍ରିଲ ୪ରେ ୪୦୩୩, ଏପ୍ରିଲ ୫ରେ ୩୫୪୮, ଏପ୍ରିଲ ୬ରେ ୫୧୦୦, ଏପ୍ରିଲ ୭ରେ ୫୫୦୬ ଓ ଏପ୍ରିଲ ୮ରେ ୭୪୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |