Odia News Portal

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ୮୦ ମାର୍କ

ଭୁବନେଶ୍ୱର : ଚଳିତ ମାସ ୮ ତାରିଖରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିବ । ଆଉ ମେ’ ୩ ତାରିଖରେ ହେବ ମାଟ୍ରିକ ପରୀକ୍ଷା। କିନ୍ତୁ ଏଥର ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ସେ କହିଛନ୍ତି, ପ୍ରତି ବିଷୟରେ ୮୦ ମାର୍କର ହେବ ମାଟ୍ରିକ ପରୀକ୍ଷା । ୫୦ ମାର୍କର ଓଏମଆର ଅବଜେକ୍ଟିଭ ଏବଂ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନ କରାଯିବ । କିନ୍ତୁ ଫଳାଫଳ ପ୍ରକାଶ ବେଳେ ୧୦୦ ମାର୍କର ମୂଲ୍ୟାୟନ ହେବ । ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ପାଇଁ ଆଭରେଜ ମାର୍କ ପାଇବେ । ସେହିପରି ପରୀକ୍ଷା ସରିବାର ୪୫ରୁ ୫୦ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ତେବେ ପରୀକ୍ଷା ଫଳାଫଳ ଘୋଷଣା ନେଇ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ପାଇଁ ପରୀକ୍ଷା ଫଳ ପ୍ରକାଶନ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏବେ ସ୍କୁଲ୍ ଖୋଲିବା ଓ ପରୀକ୍ଷା କରାଯିବା ଗୁରୁତ୍ୱପୂର୍ଣ୍ଣ। ତେବେ ଠିକ୍‌ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। କେମିତି ଶୀଘ୍ର ପରୀକ୍ଷା ଫଳ ବାହାରି ପାରିବ, ସେ ନେଇ ଆମେ ଚେଷ୍ଟା କରିବୁ। ଅନ୍ୟପକ୍ଷେ କୋଭିଡ୍ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମାସରୁ ବନ୍ଦ ଥିବା ବେଳେ ଆସନ୍ତା ୮ତାରିଖରୁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯିବେ। କିନ୍ତୁ ବାକି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନରେ ପାଠପଢ଼ା ଜାରି ରହିବ।

ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାନୁଆରି ୮ରୁ ଏପ୍ରିଲ ୨୬ତାରିଖ ପର୍ଯ୍ୟନ୍ତ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ଦେବା ପାଇଁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ପାଠପଢ଼ା ଜାନୁଆରି ୮ରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ହେବ। ଉପରୋକ୍ତ ନିର୍ଘଣ୍ଟ ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର/ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ।