Odia News Portal

କେବଳ ଗୁରୁତର ରୋଗୀଙ୍କୁ ହିଁ ଯାଆନ୍ତୁ ହସ୍ପିଟାଲ

ଭୁବନେଶ୍ୱର : ଦେଶ ଓ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରୁ ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । କେବଳ ଗୁରୁତର ରୋଗୀଙ୍କୁ ହିଁ ହସ୍ପିଟାଲ ଆସନ୍ତୁ | କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେ ଛାନିଆ ନହୋଇ ନିଜକୁ ସଙ୍ଗରୋଧରେ ରଖନ୍ତୁ । ଏବେ ବି ରାଜ୍ୟର ଅଧିକାଂଶ ରୋଗୀ ହୋମ୍ ଆଇସୋଲେସନରେ ରହିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଆପଣଙ୍କୁ ସମସ୍ତ ସ୍ୱାସ୍ଥ୍ୟଗତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ |

ଶ୍ରୀ ମହାପାତ୍ର ଆଜି କୋଭିଡ୍ ସଂପର୍କରେ ସୂଚନା  ଦେଇ କହିଛନ୍ତି ଯେ, ଦେଶରେ ଏବେ କୋଭିଡ୍ ଲହର ଭୟଙ୍କର ସ୍ଥିତିରେ ରହିଛି । ସଂକ୍ରମଣ କଥା ଉଠିଲେ ଆମେରିକା, ବ୍ରାଜିଲ୍ ଉଦାହରଣ ଦିଆଯାଉଥିଲା । ମାତ୍ର ଏବେ ଆମ ଦେଶରେ ଏହା ଉଗ୍ରରୂପ ଧାରଣ କରିଛି । ତେଣୁ କୋଭିଡ୍ ନିୟମ ମାନିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କୋଭିଡ୍ ନିୟମ ମାନିବା ସହ ୬ ଫୁଟ୍ ଦୂରତା ମାନିବା ଏକାନ୍ତ ଆବଶ୍ୟକ । ଏବେ ଦେଶର ୮୦% ସଂକ୍ରମଣ ୮/୧୦ଟି ରଜ୍ୟରେ ଦେଖିବାକୁ ମିଳୁଛି । ଏବେ ଯେଉଁଭଳି ଭାବରେ ସଂକ୍ରମଣ ବୃଦ୍ଧି ପାଇଛି ଆଗକୁ କ’ଣ ହେବ ବିଶେଷଜ୍ଞମାନେ ଆକଳନ କରୁପାରିନାହାଁନ୍ତି । ଏପ୍ରିଲ୍ ମାସ ପ୍ରଥମରୁ ଦେଶରେ ସଂକ୍ରମଣ ପାଖାପାଖି ୧ ଲକ୍ଷ ଭିତରେ ରହୁଥିଲା । ଏବେ ୪ ଲକ୍ଷ ଛୁଇଁଲାଣି । ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ୫ ଲକ୍ଷ ଟପିପାରେ । ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା  ୩ ହଜାର ଟପୁଛି ।  ଦେଶରେ ବଢୁଥିବା ସଂକ୍ରମଣ କାରଣରୁ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ପଡୁଛି ।

ଆମ ରାଜ୍ୟରେ ଏବେ କରୋନା ଆୟତରେ ରହିଛି । ତେବେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତାର କାରଣ ପାଲଟିଛି । ଦେଶର ସଂକ୍ରମଣରେ ଆମ ରାଜ୍ୟର ଭୂମିକା ୧.୮% ରହିଛି । କିଛି ଦିନ ତଳେ ରାଜ୍ୟରେ ସଂକ୍ରମଣ ହଜାରେ ଭିତରେ ରହୁଥିଲା । ଏବେ କିନ୍ତୁ ୯ହଜାର ପାଖାପାଖି ରହିଲାଣି । ଆଜି ରାଜ୍ୟରେ ୮୬୮୧ ରହିଛି । ତେଣୁ ଆଗକୁ ବଡ ଚ୍ୟାଲେଞ୍ଜ ରହିଛି । କୋଭିଡ ମୁକାବିଲା ପାଇର୍ ଆମେ ଟେଷ୍ଟିଂ ଉପରେ ଫୋକସ କରିଛୁ । ଅଧିକ ସଂଖ୍ୟା ଟେଷ୍ଟିଂ ସହ ରାପିଡ୍  ଆଣ୍ଟିଜେନ୍ ଟେଷ୍ଟ କରୁଛୁ । ଆଗାମୀ ଦିନରେ  ୫୦ ହଜାର ରାପିଡ୍ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଭିନ୍ନ ସରକାରୀ ଲ୍ୟାବରେ ଏବେ ଟେଷ୍ଟିଂ କରାଯାଉଛି । ସେହିପରି ଘରୋଇ ଲ୍ୟାବକୁ ମଧ୍ୟ ସୁଯୋଗ ଦିଆଯାଇଛି । ଘରୋଇ ହସ୍ପିଟାଲ୍ରେ ଆରଟିପିସିଆର ମୂଲ୍ୟ ୩୫୦ ଟଙ୍କା ଓ ଆଣ୍ଟିଜେନ ଟେଷ୍ଟ ୧୦୦ ଟଙ୍କା ରଖାଯାଇଛି ।ଏବେ ରାଜ୍ୟରେ ସାଧାରଣ ବେଡ୍ ୮୪୫୩ ଟି ରହିଥିବାବେଳେ ୩୭୯୧ ଜଣ ରୋଗୀ ଅଛନ୍ତି । ସେହିପରି ଆଇସିୟୁ ବେଡ୍ ୨୦୬୩ଟି ରହିଥିବାବେଳେ ୧୪୨୬ ଜଣ ରୋଗୀ ଅଛନ୍ତି । ସେହିପରି ଭେଣ୍ଟିଲେଟ୍ର ୭୦୧ରୁ ପାଖାପାଖି ଅଧା ବ୍ୟବହାର ହୋଇଗଲାଣି ।

ବିଭିନ୍ନ ରାଜ୍ୟରେ ନିର୍ବାଚନ ସରିଥିବାରୁ ଓଡ଼ିଶାର ବର୍ଡର ସିଲ୍ କରାଯାଇଛି । ପଡ଼ୋଶୀ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୁନ୍ଦରଗଡ଼, ନୂଆପଡ଼ା କଟକ, ଝାରସୁଗୁଡା ପ୍ରଭୃତି ୬ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି । ସେହିପରି ବରଗଡ଼, ପୁରୀ, ସମ୍ବଲପୁର, ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସଂକ୍ରମଣ ଅଧିକ ରହୁଛି । ପରେ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧି ପାଉଛି । ସେହିପରି ଅକ୍ସିଜେନ୍ ଯୋଗାଣରେ ଆମେ ଗ୍ରୀନ୍ କରିଡର କରି ୭ ରାଜ୍ୟକୁ ଅକସିଜେନ୍ ଯୋଗାଇ ଦେଉଛୁ । ଭବିଷ୍ୟତରେ ଆମ ସ୍ଥିତି ଖରାପ ହେଲେ ଆମେ ଅକ୍ସିଜେନ୍ ଯୋଗାଣ ନେଇ ଚିନ୍ତା କରିବୁ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମେଡିସିନ୍ ରହିଛି । ମେ’ ୧ ଓ  ୨ ଛୁଟି ରହୁଥବାରୁ ପରବର୍ତୀ ସମୟରେ କୋଭିଡ୍ ଟିକାକରଣ ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।