Odia News Portal

ଆନନ୍ଦ ଟପ୍ପୋ ହତ୍ୟା ମାମଲା: ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ହତ୍ୟା ଘଟଣାର ତଦନ୍ତ କରି ରିପୋର୍ଟ ଦେବା ନିମନ୍ତେ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଏସ୍‌.କେ.ପାଣିଗ୍ରାହୀ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଏହି ଘଟଣା ସଂକ୍ରାନ୍ତରେ ଇନ୍‌ଫୋସିଟି ଥାନାରେ ଏତଲା ଦିଆଯାଇଛି କି ନାହିଁ ତାହା ଜଣାଇବାକୁ ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଆନନ୍ଦଙ୍କ ହତ୍ୟା ଘଟଣାରେ ତାଙ୍କ ପିତା ବିନ୍ଧାଣୀ ଟପ୍ପୋ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଏତଲା ଦେବାକୁ ଯାଇଥିଲେ । ମାତ୍ର ପୁଲିସ ତାଙ୍କ ଏତଲା ଗ୍ରହଣ ନକରିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ପୂର୍ବ ଶୁଣାଣିରେ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ଭର୍ଚୁଆଲରେ ହାଜର ହେବା ନିମନ୍ତେ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଆଜି ଆଇଆଇସି ହାଜର ହୋଇଥିଲେ । ଆନନ୍ଦଙ୍କ ହତ୍ୟା ସମ୍ପର୍କିତ କୌଣସି ଏତଲା ଥାନାରେ ଦିଅଯାଇ ନାହିଁ ବୋଲି ସେ ଅଦାଲତଙ୍କୁ ଅବଗତ କରାଇଥିଲେ । ଏଣୁ ହାଇକୋର୍ଟ ଏତଲା ଦିଆଯାଇଛି କି ନାହିଁ ସେ ନେଇ ତଦନ୍ତ ପାଇଁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଆବେଦନକାରୀ ରାଉରକେଲାର ବାସିନ୍ଦା ବିନ୍ଧାଣୀ ଟପୋଙ୍କ ଅଭିଯୋଗ ଅନୁସାରେ, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ହକି ଖେଳାଳୀ ବୀରେନ୍ଦ୍ର ଲାକ୍ରା ତାଙ୍କ ପୁଅ ଆନନ୍ଦଙ୍କ ପିଲାଦିନର ସାଙ୍ଗ । ଆନନ୍ଦ ଚାକିରି ସନ୍ଧାନରେ ଆସି ଭୁବନେଶ୍ୱର ପଟିଆ ଅଞ୍ଚଳର ଏକ ଫ୍ଲାଟ୍‌ରେ ରହୁଥିଲେ । ବୀରେନ୍ଦ୍ରଙ୍କ ପତ୍ନୀଙ୍କ ସହ ବିବାଦ ହେବାରୁ ସେ ଅସି ଆନନ୍ଦଙ୍କ ସହ ରହୁଥିଲେ । ତେବେ ଆନନ୍ଦ ଗତ ଫେବୃୟାରୀ ୨୮ ତାରିଖ ସକାଳ ୭ଟାରେ ରାଉରକେଲାରୁ ଫେରି ଉକ୍ତ ଫ୍ଲାଟ୍‌କୁ ଆସିଥିଲେ । ଦିନ ସାଢ଼େ ୧୦ ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଜଣାପଡ଼ିଥିଲା । ବୀରେନ୍ଦ୍ର ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲକୁ ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆନନ୍ଦଙ୍କ ପରିବାର ରାଉରକେଲାରୁ ଆସି ଭୁବନେଶ୍ୱରରେ ପହଞ୍ôଚଥିଲେ । ତେବେ ବୀରେନ୍ଦ୍ର ଓ ତାଙ୍କ ବାନ୍ଧବୀ ଆନନ୍ଦଙ୍କୁ ହତ୍ୟା କରିଥିବା ନେଇ ଇନ୍‌ଫୋସିଟି ଥାନାରେ ବିନ୍ଧାଣୀ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ପୁଲିସ ତାଙ୍କ ଏତଲାକୁ ଗ୍ରହଣ କରିନଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବପ୍ରସାଦ ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।