Odia News Portal

ବର୍ବରତାରେ ଆଉ ଏକ ଚିତ୍ର :ଖୋର୍ଦ୍ଧାରେ ଚୋରି ସନ୍ଦେହରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଖୋର୍ଦ୍ଧା,୩୦ ଜୁନ୍: ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଞ୍ଚଳରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼ ମାରାଯାଇଥିବା ଅଭିଯୋଗ ହୋଇଛି। ପରେ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବାରୁ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଗତ ୨୮ ଜୁନ୍ ଅପରାହ୍ଣରେ ବାଣପୁର ଥାନା ଅନ୍ତର୍ଗତ ଭୀମପୁର ଗାଁ ବାଘୁଆପଦର ସାହିର ବାସିନ୍ଦା ତୋଫାନ ନାୟକ କୌଣସି କାମରେ ଖଣତ ଗାଁକୁ ଯାଇଥିଲେ। ସେଠାରେ କିଛି ଲୋକ ତାଙ୍କୁ ଚୋରି ସନ୍ଦେହରେ ଅଟକ ରଖି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି।ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତୋଫାନଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ପରେ ପରିବାର ସଦସ୍ୟଙ୍କୁ ଥାନାକୁ ଡାକି ଏକ ମୁଚାଲିକା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

ତେବେ ଘରକୁ ଫେରିବା ପରେ ତୋଫାନଙ୍କ ସ୍ୱାସ୍ଥ୍ୟ ହଠାତ୍ ଅବନତି ଘଟିଥିଲା। ପରିବାର ଲୋକଙ୍କ କହିବାନୁସାରେ, ତାଙ୍କର ରକ୍ତବାନ୍ତି ହେବା ସହ ସେ ଅସୁସ୍ଥ ଅନୁଭବ କରିଥିଲେ। ପ୍ରଥମେ ତାଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତୋଫାନଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଅନ୍ୟପକ୍ଷରେ, ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।