Odia News Portal

ପେନସନ ଅଦାଲତ ପାଇଁ ଦରଖାସ୍ତ ଅବଧି ବଢିଲା

ଭୁବନେଶ୍ୱର :  ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ପେନ୍‌ସନ୍‌ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ୱତନ୍ତ୍ର ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ଅବଧି ବଢାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ଜଣାଇଛନ୍ତି ।   ଅନ୍‌ଲାଇନ୍‌ରେ ଦରଖାସ୍ତ ଗ୍ରହଣ ତାରିଖକୁ ପୂର୍ବରୁ ଚଳିତ ଏପ୍ରିଲ୍‌ ମାସ ୩୦ ତାରିଖ ଧାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ ଏହାକୁ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଛି ।

ଶ୍ରୀ ଚୋପ୍ରା ସ୍ୱଷ୍ଟ କରିଛନ୍ତି ଯେ ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୁଦ୍ଧରେ ଫୌଜଦାରୀ, ଭିଜିଲାନ୍‌ସ୍‌ ବା ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଓ ବିଭାଗୀୟ ପ୍ରୋସିଡ଼ିଂ ଆଦି ନାହିଁ ସେମାନେ ଏହି ପେନ୍‌ସନ୍‌ ଅଦାଲତରେ ସୁଯୋଗ ନେଇପାରିବେ । ଦରଖାସ୍ତ ଏଚ୍‌.ଆର୍‌.ଏମ୍‌.ଏସ୍‌. ପୋର୍ଟାଲ୍‌  (http://pension.hrmsodisha.gov.in) ମାଧ୍ୟମରେ ଗ୍ରହଣ କରାଯିବ । ଏହି ସମୟ ମଧ୍ୟରେ ମିଳିଥିବା ଦରଖାସ୍ତ ବାବଦରେ ସ୍ୱୀକୃତିପତ୍ର ଅନ୍‌ଲାଇନ୍‌ରେ ଦରଖାସ୍ତକାରୀଙ୍କୁ ମିଳିବ । ନିଷ୍ପତ୍ତି ବାବଦ ସୂଚନା ମଧ୍ୟ ଦରଖାସ୍ତକାରୀଙ୍କୁ ଇମେଲ୍‌, ଏସ୍‌.ଏମ୍‌.ଏସ୍‌. ବା ଅନ୍‌ଲାଇନ୍‌ ପୋର୍ଟାଲ୍‌ ମାଧ୍ୟମରେ ଜଣାଇ ଦିଆଯିବ ।

ଯେଉଁ ଦରଖାସ୍ତ ଗୁଡ଼ିକର ସମାଧାନ ପେନ୍‌ସନ୍‌ ମଞ୍ଜୁର କର୍ତ୍ତୁପକ୍ଷଙ୍କ ସ୍ତରରେ ହୋଇନପାରିବ ସେ ସେଗୁଡ଼ିକୁ ସଂପୃକ୍ତ ବିଭାଗଙ୍କୁ ପଠାଇଦେବେ । ପରବର୍ତ୍ତୀ ସମୟରେ ଏହି ଅସମାଧିତ ଦରଖାସ୍ତ ଗୁଡ଼ିକର ବିଚାରପାଇଁ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ଶାସନ ସଚିବଙ୍କ ସ୍ତରରେ ସ୍ୱତନ୍ତ୍ର ଅଦାଲତ ଅନୁଷ୍ଠିତ ହେବ । ଏହି ଅଦାଲତରେ ଶୁଣାଣୀ ତାରିଖ ଓ ନୋଟିସ୍‌ ଆଦି ମଧ୍ୟ ସଂପୃକ୍ତ କର୍ମଚାରୀଙ୍କୁ ଇମେଲ୍‌ ବା ଏସ୍‌.ଏସ୍‌.ଏସ୍‌ ମାଧ୍ୟମରେ ଜଣାଇ ଦିଆଯିବ ।       ଅନ୍‌ଲାଇନ୍‌ରେ ଦରଖାସ୍ତ ପଂଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଲେ ସି.ଏମ୍‌.ଜି.ଆଇ ହେଲପ୍‌ ଲାଇନ୍‌ ନମ୍ବର ମାଧ୍ୟମରେ ସହାୟତା ନେବାପାଇଁ ଅତିରିକ୍ତ ଶାସନ ସଚିବ ଶ୍ରୀ ଅବନୀକାନ୍ତ ପଟ୍ଟନାୟକ ଜଣାଇଛନ୍ତି । ଏଥିପାଇଁ ୨ଟି ନମ୍ବର ର ବ୍ୟବସ୍ଥା କରାଯାଇଛି – (୦୬୭୪)୨୫୭୦୧୫୦ ଏବଂ ୨୫୭୨୪୧୦ । ସମସ୍ତ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଏହି ବ୍ୟବସ୍ଥାର ସୁଯୋଗନେଇ ନିଜ ନିଜ ପେନ୍‌ସନ୍‌ ମଞ୍ଜୁରୀ କାର୍ଯ୍ୟ ଠିକ୍‌ ଭାବେ କରାଇନେବା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଚୋପ୍ରା ଅନୁରୋଧ କରିଛନ୍ତି ।