Odia News Portal

ଅରିନ୍ଦମ ଦାସଙ୍କ ପରିବାର ଲାଗି ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ଜାଗୀ

ଭୁବନେଶ୍ୱର: ଅକାଳରେ ବିୟୋଗ ହୋଇଥିବା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାର ଲାଗି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଓଟିଭି ଏମଡି ଜାଗୀ ମଙ୍ଗତ ପଣ୍ଡା । ତେବେ ଏଯାବତ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇନାହିଁ । ଯଦି କହିବା ତେବେ ଅରିନ୍ଦମଙ୍କ ଲାଗି ସମସ୍ତଙ୍କ ଆଖିରୁ ଝରିଛି ଲୁହ । ତାଙ୍କ ଶେଷ ଦର୍ଶନ ଲାଗି ସୂଚନା ଭବନରେ ଲାଗିଛି ସାମ୍ବାଦିକଙ୍କ ଭିଡ଼ । କେବଳ ସାମ୍ବାଦିକ କାହିଁକି ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ମଧ୍ୟ ସେଠାରେ ଭିଡ଼ ଜମାଇଛନ୍ତି । ସମସ୍ତେ ଅରିନ୍ଦମଙ୍କୁ ଶେଷ ବିଦାୟ ଦେଇଛନ୍ତି ।

ସୂଚନଯୋଗ୍ୟ, ମୁଣ୍ଡଳି ବ୍ରିଜ୍ ନିକଟରେ ଏକ ହାତୀ ଫସି ରହିଥିବା ବେଳେ ଅରିନ୍ଦମ କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ସହିତ ସେଠାକୁ ରିପୋର୍ଟିଂ କରିବା ପାଇଁ ଯାଇଥିଲେ। ଓଡ୍ରାଫ୍ ଟିମ୍ ବୋଟ୍‌ରେ ହାତୀକୁ ଘଉଡ଼ାଇକୁ ନଦୀ ଭିତରକୁ ଯାଇଥିଲା। ଅରିନ୍ଦମ ଓ ପ୍ରଭାତ ବି ସେମାନଙ୍କ ସହିତ ଯାଇଥିଲେ। ଆଉ ସେହି ସମୟରେ ବୋଟ୍‌ଟି ଓଲଟି ପଡ଼ିଥିଲା। ଏଥିରେ ଅରିନ୍ଦମଙ୍କ ମୃତ୍ୟୁ ଘଟିଥିବା ବେଳେ ଓଡ୍ରାଫ୍ ଟିମ୍‌ର ଜଣେ କର୍ମଚାରୀ ନିଖୋଜ ଅଛନ୍ତି। ସେହିଭଳି ଓଟିଭିର କ୍ୟାମେରା ପର୍ସନ ପ୍ରଭାତ ସିହ୍ନାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଓଡ୍ରାଫ୍‌ର ଆଉ ୩ ସଦସ୍ୟ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।