Odia News Portal

ଭାରତ ଆଗରେ ୨୭୨ରନର ଲକ୍ଷ୍ୟ ରଖିଲା ବାଂଲାଦେଶ

ଢାକାଠାରେ ଚାଲିଥିବା ୨ୟ ଦିନିକିଆ ମ୍ୟାଚରେ ଭାରତ ଆଗରେ ୨୭୨ ରନର ବିଜୟ ଲକ୍ଷ୍ୟ ରଖିଛି ବାଂଲାଦେଶ । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ସତ୍ତ୍ବେ ନିମ୍ନଭାଗ ବ୍ଯାଟ୍ସ,ମ୍ୟାନଙ୍କ ଲଢୁଆ ଖେଳ ପ୍ରଦର୍ଶନ ଯୋଗୁଁ ବାଂଲା ଦଳ ଭାରତ ଆଗରେ ୨୭୧ ରନର ଏକ ସମ୍ମାନଜନକ ସ୍କୋର କରିପାରିଥିଲା । ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ବେଶ କେତୋଟି ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ବାଂଲାଦେଶ ।

କିନ୍ତୁ ଗତ ମ୍ୟାଚ ପରି ଏହି ମ୍ୟାଚରେ ବି ମେହିଦି ହାସାନ ମିରାଜ୍ ଲଢୁଆ ବ୍ୟାଟିଂ କରି ଭାରତର ଆଶାକୁ ନିରାଶାରେ ପରିଣତ କରିଦେଇଥିଲେ । ସେ ମାତ୍ର ୮୩ଟି ବଲରୁ ଶତକ ହାସଲ କରି ମ୍ୟାଚର ଗତିପଥକୁ ବଦଳାଇଦେଇଥିଲେ । ନିଜର ଏହି ଇନିଂସରେ ସେ ୪ଟି ଛକା ଓ ୮ଟି ଚୌକା ମାରିଥିଲେ । ସେହିପରି ମହମ୍ମଦୁଲ୍ଲା ୯୬ଟି ବଲରୁ ୭୭ ରନର ଯୋଗଦାନ ଦେଇଥିଲେ । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ୩ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ ଓ ଉମରାନ ମଲ୍ଲିକ୍ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଏହି ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶ ନାଟକୀୟ ଭାବେ ଭାରତକୁ ୧ ଓ୍ବିକେଟରେ ହରାଇଦେଇଥିଲା ।