Odia News Portal

ଟି-୨୦ ବିଶ୍ଵକପ୍ ପାଇଁ ସମୟ ଦେଲା ଆଇସିସି

ନୂଆଦିଲ୍ଲୀ : ଭାରତରେ ଚଳିତ ବର୍ଷ ଶେଷ ଆଡକୁ ଟି-୨୦ ବିଶ୍ଵ କପ୍ ଆୟୋଜନ ହେବାର ଅଛି। କିନ୍ତୁ କରୋନା ସଂକ୍ରମଣ କାରଣରୁ ଦେଶରେ ଏହି ବିଶ୍ଵ ଟି-୨୦ ବିଶ୍ଵ କପର ଆୟୋଜନ ନେଇ ସସପେନ୍ସ ଜାରି ରହିଛି। ତେବେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ବିସିସିଆଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି)କୁ ସମୟ ଦେବାକୁ ଅନୁରୋଧ କରିଥିଲା। ଏବେ ଆଇସିସି ବିସିସିଆଇକୁ ଜୁନ ୨୮ ପର୍ଯ୍ୟନ୍ତ ସମୟ ଦେଇଛି। ଙ୍ଗଳବାର ଆଇସିସି ବୋର୍ଡର ଅନଲାଇନ୍ ବୈଠକରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ।

କରୋନା ଯୋଗୁ ଭାରତରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବା ନେଇ ଆଶଙ୍କା ଦେଖା ଦେଇଛି। ଏଭଳି ସ୍ଥିତିରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ୟୁଏଇରେ ହୋଇପାରେ। ଏହା ସତ୍ତ୍ୱେ ମଧ୍ୟ ବିସିସିଆଇ ପାଖରେ ଆୟୋଜନ କରିବାର ଅଧିକାର ରହିବ। ୨୦୧୬ର ଟି-୨୦ ବିଶ୍ୱକପ୍ ମଧ୍ୟ ଭାରତରେ ହୋଇଥିଲା।

ଯଦି ଭାରତରେ ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ଆୟୋଜିତ ନହୁଏ, ତାହେଲେ ୨୦୨୨ର ୱିଣ୍ଡୋରେ ଏହାକୁ ଆୟୋଜନ କରାଯାଇପାରେ। ଆଇସିସିର ଜଣେ ସଦସ୍ୟ କହିଛନ୍ତି, ବିସିସିଆଇ ଗ୍ଲୋବାଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଚାହେଁ। କାରଣ ବିସିସିଆଇ ଏହି ସୁଯୋଗ ହାତଛଡ଼ା କରିବାକୁ ଚାହେଁ ନାହିଁ। ଅନ୍ୟପକ୍ଷରେ ଆଇସିସି ଆସନ୍ତା ବର୍ଷ ଦୁଇଟି ୱିଣ୍ଡୋ ବିକଳ୍ପ କଥା ଚିନ୍ତା କରୁଛି। ଗୋଟିଏ ହେଉଛି ଫେବୃଆରୀ, ୨୦୨୨, କିନ୍ତୁ ସେହି ସମୟରେ ମହିଳାଙ୍କ ଦିନିକିଆ ବିଶ୍ୱକପ୍ ହେବ। ତେଣୁ ଏହି ସମୟରେ ଟି-୨୦ ବିଶ୍ୱକପ୍ ହେବା ସମ୍ଭାବନା କମ୍।

ଦ୍ବିତୀୟ ବିକଳ୍ପଟି ହେଉଛି ଆସନ୍ତା ବର୍ଷ ଆଇପିଏଲ୍ ପରେ ଅର୍ଥାତ୍ ଜୁନ୍ ମାସରେ। ଯଦି ବିସିସିଆଇ ଚାହିଁବ, ତାହେଲେ ଆଇପିଏଲ୍ ପରେ ଟି-୨୦ ବିଶ୍ୱକପ୍ କରାଇପାରିବ। କିନ୍ତୁ ଏହି ସମୟରେ ବିସିସିଆଇକୁ ଏମିତି ଏକ ଭେନ୍ୟୁ ଦେଖିବାକୁ ପଡ଼ିବ, ଯେଉଁଠାରେ ମୌସୁମୀର ପ୍ରଭାବ ପଡ଼ିବ ନାହିଁ। ଆଉ ଏହାର ଚାରିମାସ ପରେ ଅଷ୍ଟ୍ରେଲିଆରେ ଆଉଏକ ଟି-୨୦ ବିଶ୍ୱକପ୍ ହେବ।

କରୋନା କାରଣରୁ ପୂର୍ବରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଆୟୋଜନ ପ୍ରଭାବିତ ହୋଇସାରିଛି। କରୋନା ଯୋଗୁ ଅନେକ ସିରିଜକୁ ମଧ୍ୟ ବାତିଲ କରିବାକୁ ପଡ଼ିଥିଲା। ଆଭରେଜ୍ ପଏଣ୍ଟ ସହ ଟପ୍-୨ ଟିମର ନିଷ୍ପତ୍ତି ନିଆଯାଇଥିଲା। ଫାଇନାଲ୍ ମୁକାବିଲା ଜୁନ୍ ୧୮ରୁ ୨୨ ତାରିଖ ଯାଏ ଇଂଲଣ୍ଡର ସାଉଥାମ୍ପଟନରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ହେବ।