Odia News Portal

ଟୁଇନ୍‌ ସିଟିରେ ବଢ଼ିଛି କ୍ରାଇମ୍‌ ! ପ୍ରସ୍ତୁତ ହେଲା ଅପରାଧୀଙ୍କ ତାଲିକା

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ସଜାଗ କମିଶନରେଟ ପୋଲିସ । ପ୍ରସ୍ତୁତ ହେଲା ଅପରାଧୀଙ୍କ ତାଲିକା । ତାଲିକାରେ ଅଛନ୍ତି ୧୩ ବର୍ଷ ଧରି ଟୁଇନ ସିଟି ଭୁବନେଶ୍ୱର ଓ କଟକରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଅପରାଧୀ । ଟାର୍ଗେଟ୍‌ରେ ଅଛନ୍ତି, ନିର୍ବାଚନ ବେଳେ ରାଜନେତାଙ୍କୁ ସହଯୋଗ କରୁଥିବା ଅପରାଧୀ । ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର । ଆବଶ୍ୟକ ହେଲେ ସେମାନଙ୍କ ମଧ୍ୟରୁ କିଛି ଅପରାଧୀଙ୍କ ଏନଏସଏରେ ବୁକ୍‌ କରାଯିବ ।

୨୦୧୮ ମସିହାରେ ଟୁଇନ ସିଟିର ଅପରାଧ ରେକର୍ଡର ପୃଷ୍ଠା ଖୋଲିଛି କମିଶନରେଟ ପୋଲିସ । ଟୁଇନସିଟିରେ ବୃଦ୍ଧି ପାଇଛି ମର୍ଡର, ଡକାୟତି, ଦୁଷ୍କର୍ମ ଘଟଣା । ରିପୋର୍ଟ କହୁଛି ୨୦୧୮ରେ କଟକ-ଭୁବନେଶ୍ୱରରେ ୪୩ଟି ହତ୍ୟାକାଣ୍ଡ ହୋଇଛି । ଯାହା ଗତବର୍ଷ ତୁଳନାରେ ଅଧିକ । ସେହିଭଳି ଗତବର୍ଷ ଦ୍ୱୈତନଗରୀରେ ୧୨୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ୨୦୧୮ରେ ବେଆଇନ ବନ୍ଧୁକ ଜବତ ହୋଇଛି ୫୧ଟି, ଗିରଫ ହୋଇଛନ୍ତି ୧୩୮ଜଣ ଅପରାଧୀ । ଟୁଇନ ସିଟିରେ ଡାଏଲ୍‌ ୧୦୦ରେ ଗତବର୍ଷ ୧୫ଲକ୍ଷ ୬୪ ହଜାର ୧୨୫ କଲ୍‌ ରିସିଭ୍‌ ହୋଇଛିି । ବିଗତ ୩ବର୍ଷ କ୍ରାଇମ ରେକର୍ଡକୁ ଦେଖିଲେ ୨୦୧୮ରେ କମିଶନରେଟ ପୋଲିସର ପ୍ରଦର୍ଶନ ଭଲ ନାହିଁ ।