Odia News Portal

ହାଇଦରାବାଦକୁ ହରାଇ କ୍ରମାଗତ ଦ୍ଵିତୀୟ ମ୍ୟାଚ ଜିତିଲା ଜାମସେଦପୁର

ଜାମସେଦପୁର : ସ୍ଥାନୀୟ ଜେଆରଡି ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ଅନୁଷ୍ଠିତ ଷଷ୍ଟ ହିରୋ ଇଣ୍ଡିଆନ ସୁପର ଲିଗର ଦଶମ ମ୍ୟାଚରେ ନବାଗତ ହାଇଦରାବାଦ ଏଫସିକୁ ୩-୧ ଗୋଲରେ ହରାଇ ଜାମସେଦପୁର ଏଫସି କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି । ପୂର୍ବ ମ୍ୟାଚରେ ଓଡିଶା ଏଫସିକୁ ୨-୧ରେ ପରାସ୍ତ କରିଥିବା ଜାମସେଦପୁର ଦଳ ଆଜିର ବିଜୟ ସହିତ ପୁରା ଛଅ ପଏଣ୍ଟ ସଂଗ୍ରହ କରି ଟେବୁଲ ଶୀର୍ଷକୁ ଉନ୍ନୀତ ହୋଇଛି ।

ଜାମସେଦପୁର ପକ୍ଷରୁ ଫାରୁକ ଚୌଧୁରୀଆନିକେତ ଯାଦବ ଓ ସର୍ଜିଓ କାଷ୍ଟେଲ ଗୋଲ ଦେଇଥିବା ବେଳେ ହାଇଦରାବାଦ ତରଫରୁ ଗୋଟିଏ ଗୋଲ ପରିଶୋଧ କରିଥିଲେ ମାରସେଲୋ ପେରେରା । ପୂର୍ବ ମ୍ୟାଚରେ ଏଟିକେ ଠାରୁ ୫-୦ରେ ହାରିଥିବା ହାଇଦରାବାଦ ଦଳର ଏହା କ୍ରମାଗତ ଦ୍ଵିତୀୟ ପରାଜୟ ।

ଆଜି ମ୍ୟାଚରେ ଘରୋଇ ଜାମସେଦପୁର ଦଳ ଆରମ୍ଭରୁ ଆକ୍ରମଣାତ୍ମକ ପନ୍ଥା ଆପଣାଇ ଗୋଲ ଦେବାର ଏକାଧିକ ସୁଯୋଗ କରିଥିଲା । କିନ୍ତୁ ଦୁର୍ବଳ ଫିନିସିଙ୍ଗ ଏବଂ ହାଇଦରାବାଦ ଗୋଲରକ୍ଷକ ତଥା ଅଧିନାୟକ କମଲଜିତ ସିଂଙ୍କ ଲଢୁଆ ପ୍ରଦର୍ଶନ ଯୋଗୁ କୌଣସି ଗୋଲ ହୋଇନଥିଲା ।

ତେବେ ଖେଳର ୩୪ତମ ମିନିଟରେ ଜାମସେଦପୁର ଦଳ ଫାରୁକ ଚୌଧୁରୀଙ୍କ ଜରିଆରେ ଗୋଲ ଦେଇ ଅଗ୍ରଣୀ ହୋଇଥିଲା ବାମ । ପାର୍ଶ୍ୱରୁ ଏକ ପାସ ପାଇ ପିଟି ବକ୍ସ ଭିତରକୁ ପ୍ରବେଶ କରିବା ପରେ ଜଣେ ରକ୍ଷଣଭାଗ ଖେଳାଳିଙ୍କୁ କଟାଇ ଗୋଲପୋଷ୍ଟ ଆଡକୁ ଗୋଟିଏ ଶକ୍ତିଶାଳୀ ସଟ ମାରିଥିଲେ । ହାଇଦରାବାଦ ଗୋଲରକ୍ଷକ କମଲଜିତ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବଲ ତାଙ୍କ ହାତରେ ବାଜି ଫେରିଆସିବା ବେଳେ ସେଠାରେ ଥିବା ଫାରୁକ ଚୌଧୁରୀ ଏହାର ସୁଯୋଗ ନେଇ ଗୋଲ କରିଥିଲେ ।

ଗୋଟିଏ ଗୋଲରେ ପଛେଇବା ସତ୍ତ୍ୱେ ହାଇଦରାବାଦ ଏଫସି ସଂଘର୍ଷ ଜାରି ରଖିଥିଲା । ମଧ୍ୟାନ୍ତର ହୁଇସିଲ ପାଇଁ କେଇ ମୁହୁର୍ତ୍ତ ବାକି ଥିବାବେଳେ ଦଳର ଶ୍ରମ ସାର୍ଥକ ହୋଇଥିଲା ଏବଂ ରୋହିତ କୁମାରଙ୍କ ଠାରୁ ପାସ ପାଇ ମାରସେଲୋ ପେରେରା ଗୋଲ ପରିଶୋଧ କରିଥିଲେ ।

ଦ୍ଵିତୀୟାର୍ଦ୍ଧରେ ଉଭୟ ଦଳ ଗୋଲ ଦେବାକୁ ସୁଯୋଗ ସୃଷ୍ଟି କରିଥିଲେ । ୬୨ତମ ମିନିଟରେ ସେଥିମଧ୍ୟରୁ ଗୋଟିକର ସଦବ୍ୟବହାର ସହ ଜାମସେଦପୁରକୁ ପୁଣି ଅଗ୍ରଣୀ କରିଥିଲେ ବଦଳ ଖେଳାଳି ଆନିକେତ ଯାଦବ । କିଗାନ ପେରେରାଙ୍କ ଠାରୁ ଥ୍ରୂପାସ ପାଇ ଫାରୁକ ଚୌଧୁରୀ ବଲ ବକ୍ସ ଭିତରେ ପହଂଚାଇବା ପରେ ସେଠାରେ ଥିବା ଯାଦବ ବାମ ଗୋଡ଼ରେ ସଟ ମାରି ଦଳ ପକ୍ଷରୁ ଦ୍ଵିତୀୟ ଗୋଲ ସ୍କୋର କରିଥିଲେ ।

ଏହାର ୧୩ ମିନିଟ ପରେ ସର୍ଜିଓ କାଷ୍ଟେଲ ଏକ ଦର୍ଶନୀୟ ଗୋଲ ଦେଇ ଘରୋଇ ଦଳକୁ ୩-୧ରେ ଅଗ୍ରଣୀ କରିଥିଲେ । ମେମୋ ମୋୖରାଙ୍କ ଠାରୁ ଆସିଥିବାଏକ ପାସକୁ ସେ ଛାତିରେ ଧରିବା ପରେ ଦୁଇ ଜଣ ପ୍ରତିପକ୍ଷ ଖେଳାଳିଙ୍କୁ କଟାଇ ବଲ ନେଟ ଭିତରକୁ ପଠାଇ ଦେଇଥିଲେ ।

ଆଜିର ଖେଳରେ ମାରୁତି ସୁଜୁକି ଲିମିଟଲେସ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ସର୍ଜିଓ କାଷ୍ଟେଲଙ୍କୁ ଏବଂ ହିରୋ ଅଫ ଦି ମ୍ୟାଚ ପୁରସ୍କାର ଫାରୁକ ଚୌଧୁରୀଙ୍କୁ  ପ୍ରଦାନ କରାଯାଇଥିଲା । ସେହିପରି ଆନିକେତ ଯାଦବ ଆଇସଏଲ ଏମରଜିଙ୍ଗ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଲାଭ କରିଥିଲେ