Odia News Portal

ବିଜେପି ନେତାଙ୍କୁ ବୁମେରାଂ ହେଲା ଆବାସ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର : ଆବାସ ଦୁର୍ନୀତିକୁ ମୋହରା କରି ସରକାରଙ୍କୁ ଘେରିବାକୁ ଜୋରଦାର ଉଦ୍ୟମ କରୁଥିବା ବିଜେପି ପାଇଁ ଏହି
ଇସୁ୍ୟ ଏବେ ବୁମେରାଂ ହେବାକୁ ବସିଲାଣି । ନେତାମାନେ ରାଜଧାନୀରେ ଘର ତିଆରିରେ ଦୁର୍ନୀତି ହୋଇଛି ବୋଲି ରଡି
ଛାଡୁଥିବାବେଳେ ସେହି ନେତାଙ୍କ ଇଲାକାରେ ଘର ହାତେଇଥିବା ବିଜେପି କର୍ମୀମାନେ ଏବେ ଘର ଚାଲିଯିବା କିମ୍ବା କାର୍ଯ୍ୟାନୁଷ୍ଠାନ
ଭୟରେ ଏମାନଙ୍କ ଉପରେ ରକ୍ତଚାଉଳ ଚୋବାଉଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଆଳକରି ସରକାରଙ୍କୁ ଘେରିବାପାଇଁ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଇଲାକାର କିଛି ବିଜେପି
ନେତା ଏବେ ଅଣ୍ଟା ଭିଡିଛନ୍ତି ।

ରାଜଧାନୀରେ ଦଳୀୟ କାର୍ଯ୍ୟାଳୟକୁ ଆସି ନିୟମିତ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି । ଦିନେ କାଳେ ଦେଖାନଥିବା ଏହି ନେତାମାନେ ଘର ଦୁର୍ନୀତ ମାଧ୍ୟମରେ ରାତାରାତି ନିଜ ଅଞ୍ଚଳରେ ବଡ ନେତା ପାଲଟିଛନ୍ତି । ଏମାନଙ୍କର ଗୋଟିଏ ମତ ସେମାନଙ୍କ ଇଲାକାରେ ଯେତେ ଘର ବଣ୍ଟା ହୋଇଛି ସବୁଥିରେ ଦୁର୍ନୀତି ହୋଇଛି । ସବୁ ଘର ବିଜେଡି ନେତା ହାତେଇ ନେଇଛନ୍ତି । ଏଥିପାଇଁ ତାଲିକା ବି ଦେଖାଉଛନ୍ତି । ତେବେ ନେତାମାନେ ରାଜଧାନୀରେ ହୀରୋ ହେଉଥିବାବେଳେ ସେମାନଙ୍କ ଇଲାକାର କିଛି ବିଜେପି ନେତା ଏବେ ସେମାନଙ୍କୁ ଜିରୋ କରିବାପାଇଁ ଅଣ୍ଟା ଭିଡିଲେଣି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଯେଉଁ ଦୁର୍ନୀତି ତାଲିକାକୁ ବିଜେପି ନେତାମାନେ ବାରମ୍ବାର ଦେଖାଉଛନ୍ତି ସେଥିରେ ତାଙ୍କ ଦଳର କର୍ମୀଙ୍କ ନାଁ ବି ରହିଛି ।

କୌଣସି ପ୍ରକାରେ ସେମାନେ ବି ଗଳାବାଟ ଦେଇ ଘର ହାତେଇବାରେ ସକ୍ଷମ ହୋଇଛନ୍ତି । ଏବେ ସରକାର ଘର ଦୁର୍ନୀତି ଉପରେ ପାହାର ଦେବାପାଇଁ ପଦକ୍ଷେପ ଆରମ୍ଭ କରିଥିବାରୁ ସେମାନେ ବି ଏଥିରୁ ନିସ୍ତାର ପାଇବେ ନାହିଁ । ଯେଉଁମାନଙ୍କ ନାଁ ଘର ପାଇବା ତାଲିକାରେ ରହିଛି
ସେମାତେ ବାଦ୍‍ ପଡିବେ, ଯେଉଁମାନେ ଗଳାବାଟ ଦେଇ ଘର ନେଇଛନ୍ତି ସେମାନେ ବି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ।
ଏପରିକି ଜେଲ ଜୋରିମାନା ସହିତ ମାମଲା ବି ଚାଲିପାରେ ।
ଏଭଳି ସୁରାକ ପାଇଲାପରେ ତଳ ସ୍ତରରେ ଥିବା ବିଜେପି କର୍ମୀମାନେ ଏବେ ରାଜଧାନୀରେ ସାମ୍ବାଦିକ ସମ୍ମିଳନୀ କରୁଥିବା ନେତାଙ୍କୁ ନାଟକବାଜ କହିବା ସହିତ ପାନେ ଦେବାପାଇଁ ସଜବାଜ ହେଲେଣି । ଏପରିକି ଏହି ନେତାମାନେ କିଭଳି
ଭାବେ ନିଜର ଅତ୍ୟନ୍ତ ଅନୁଗତଙ୍କୁ ଘର ଦେଇଛନ୍ତି ତାହାର ବିସ୍ତୃତ ବିବରଣୀ ପ୍ରସ୍ତୁତ ବି କଲେଣି ।

ଯଦି ସେମାନଙ୍କ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ହେଲା ତେବେ ତାହାକୁ ସାର୍ବଜନୀନ କରିଦେବେ ବୋଲି କହି ବୁଲିଲେଣି । ଏହି ଖବର ରାଜଧାନୀରେ ପହଞ୍ଚିବାପରେ ବିଜେପି ଶିବିରରେ ଏକ ପ୍ରକାର ହଇଚଇ ହୋଇଛି । ଜଣେ ବିଜେପି ନେତା କହିଛନ୍ତି ଯେ ଆବାସ ଦୁର୍ନୀତିରେ କେବଳ ବିଜେଡି ନେତା ନାହାନ୍ତି ଏଥିରେ ଗାଁ ଗହଳରେ ଥିବା ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଦଳର କର୍ମୀ ବି ରହିଛନ୍ତି  ଏବେ ସରକାରଙ୍କୁ ବଦନାମ କରିବାପାଇଁ ଯେଉଁ ଗାତ ଖୋଳାଯାଉଛି ସେଥିରେ ସମସ୍ତେ ପଡିବାଟା ଥୟ । ଆଉ ଯଦି ଗାଁ ଗହଳର କର୍ମୀମାନେ କ୍ଷତିଗ୍ରସ୍ତ ହେବେ ତେବେ ନେତାମାନେ ଗାଁକୁ ପଶିବା କଷ୍ଟକର ହୋଇପଡିବ ।