Odia News Portal

ଚନ୍ଦ୍ରଶେଖରପୁରରେ ପାଳିତ ହେବ ରାହ୍‌ଗିରି

ଭୁବନେଶ୍ବର : ଚନ୍ଦ୍ରଶେଖରପୁରରେ ପାଳିତ ହେବ ରାହ୍‌ଗିରି । ଏଥିରେ ଆବାଳ ବୃଦ୍ଧବନିତା ସମସ୍ତେ ଏକାଠି ହେବେ ଗୋଟିଏ ଜାଗାରେ । ଏମିତି ଏକ ପ୍ରୟାସ ଆରମ୍ଭ କରିଛି ଚନ୍ଦ୍ରଶେଖରପୁର ଆଥ୍‌ଲେଟିକ୍‌ ଆସୋସିଏସନ୍‌। ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସୋସିଏସନ୍‌ର ସଭାପତି ମଧୁମାଧବ ଜେନା । ଶ୍ରୀ ଜେନା କହିଥିଲେ ରାଜଧାନୀବାସୀଙ୍କୁ ଗୋଟିଏ ସ୍ଥାନରେ ଏକାଠି କରିବା ପାଇଁ ଏପରି ଉତ୍ସବ ଆୟୋଜନ କରିବା ପାଇଁ ସ୍ଥିର ହୋଇଛି । ଯେଉଁଥିରେ ସବୁ ବର୍ଗର ଲୋକମାନେ ଏଠାରେ ମଜ୍ଜା ନେଇପାରିବେ ।

ଏଥିରେ ଯୋଗ, ସାଇକେଲ ଚାଳନା, ନୃତ୍ୟ, ସଙ୍ଗୀତ, ସ୍କେଟିଙ୍ଗ୍‌ ସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତ୍ୟେକ ରବିବାର ସକାଳ ୬ଟା ସମୟରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପଠୁ ଡମଣା ଛକ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ ହେବ । ଏହାକୁ ଆସନ୍ତା ୨୪ ତାରିଖରେ ଡିସିପି ସାଗରିକା ନାଥ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସମସ୍ତେ ଯୋଗଦେବା ପାଇଁ ଆସୋସିଏସନ ତରଫରୁ ଆହ୍ୱାନ କରାଯାଇଛି । ଏହି ସମ୍ମିଳନୀରେ ସଂପାଦକ ବିଜୟ ପାତ୍ର, ସମରେନ୍ଦ୍ର ସାହୁ, ମିହିର କୁମାର ରାଉତ, ପ୍ରୀତିନନ୍ଦା ରାଉତରାୟ ଓ ଇଂ ଦିଲ୍ଲିପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।