Odia News Portal

ନୀଳାଚଳ ଇସ୍ପାତ ନିଗମକୁ ସରକାର ହାତକୁ ନିଅନ୍ତୁ

ଭୁବନେଶ୍ୱର : କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମକୁ ଘରୋଇ ବ୍ୟବସାୟୀମାନଙ୍କ ହାତରେ ଟେକିଦେବା ପାଇଁ ଏମ୍ଏମ୍ଟିସି ଯେଉଁ ଚକ୍ରାନ୍ତ କରୁଛି ତାକୁ କଳିଙ୍ଗ ନଗର ମଜଦୁର ସଂଘ ଘୋର ବିରୋଧ କରିଛି । ଏହି ନିଗମର ପରିଚାଳନା ଦାୟିତ୍ୱ ସେଲ୍, ରାଷ୍ଟ୍ରୀୟ ଇସ୍ପାତ ନିଗମ, ଏମ୍ଏମ୍ଟିସି କିମ୍ବା ରାଜ୍ୟ ଖଣି ନିଗମକୁ ଦିଆଯାଉ ବୋଲି ଦାବି କରି କଳିଙ୍ଗ ନଗର ମଜଦୁର ସଂଘ ଗତ ଦୁଇଦିନ ହେଲା ବିଧାନସଭା ସମ୍ମୁଖରେ ଧାରଣା ଦେଇଛି । ଏହି ଧାରଣାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଳିଙ୍ଗ ନଗର ମଜଦୁର ସଂଘର ସ୍ଥାୟୀ ତଥା ପ୍ରତିଷ୍ଠାତା ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ସମେତ ବିଧାୟକ, ଶ୍ରମିକ ନେତା ଓ କର୍ମଚାରୀମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇଛନ୍ତି ।
ଏହି ବିଶାଳ ଧାରଣାସ୍ଥଳରେ ମଧ୍ୟ ରାଜ୍ୟ ସରକାରଙ୍କର ବହୁ ବରିଷ୍ଠ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ଓ ବିଧାୟକମାନେ ପହଞ୍ଚି ଧାରଣାକାରୀମାନଙ୍କ ସହିତ ନୀଳାଚଳ ଇସ୍ପାତ ନିଗମର ଭବିଷ୍ୟତ ନେଇ ଆଲୋଚନା କରିଥିଲେ ।
ଏହି ଇସ୍ପାତ ନିଗମଟି ବନ୍ଦ ହୋଇଗଲେ ସ୍ୱର୍ଗତ ବିଜୁବାବୁଙ୍କ ମାନସ ସନ୍ତାନର ଅପମୃତ୍ୟୁ ଘଟିବ ଏବଂ ତାଙ୍କ ସ୍ୱପ୍ନର କଳିଙ୍ଗ ନଗର ସହିଦ ହୋଇଯିବ ବୋଲି ସାଧାରଣରେ ଆଶଙ୍କା ଦେଖାଦେଲାଣି । ଗତ ୧୯୯୬ ମସିହାରେ ଏମ୍ଏମ୍ଟିସି ପ୍ରାୟ ୨୯୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଥିଲା ଏବଂ ରାଜ୍ୟ ସରକାର ଇପିକଲ୍ ଓ ଓଏମ୍ସି ମିଶି ୧୮୮ କୋଟି ୭୪ ଲକ୍ଷ ଟଙ୍କା ଖଟାଇଥିଲେ । ଏହାବ୍ୟତୀତ ଏନ୍ଏମ୍ଟିସି ୭୫ କୋଯି, ଅନ୍ୟାନ୍ୟ ବ୍ୟାଙ୍କ ୨୮ କୋଟି ୨୧ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ ।
କିନ୍ତୁ ଏମ୍ଏମ୍ଟିସିର ପରିଚଳାନାଗତ ତ୍ରୁଟିଯୋଗୁ ବର୍ତ୍ତମାନ ଏଠାରେ କ୍ଷତି ହେଉଥିବା ଦର୍ଶାଇ କେନ୍ଦ୍ର ସରକାର ଏଥିରୁ ପୁଞ୍ଜି ପ୍ରତ୍ୟାହାର କରି ଘରୋଇ କମ୍ପାନୀମାନଙ୍କ ହାତରେ ଟେକିଦେବା ପାଇଁ ଏମ୍ଏମ୍ଟିସି ଚକ୍ରାନ୍ତ କରୁଛି । ଏମ୍ଏମ୍ଟିସି ଏଥିରେ ବିନିଯୋଗ କରିଥିବା ୨୯୦ କୋଟି ଟଙ୍କା ବଦଳରେ ନୀଳାଚଳ ଇସ୍ପାତ ନିଗମରୁ ଏଥିମଧ୍ୟରେ ମୋଟ୍ ୧୬୩୨ କୋଟି ଟଙ୍କା ନେଇସାରିବା ପରେ ଏହାକୁ ୧୪୦୦ କୋଟି ଟଙ୍କା କ୍ଷତିରେ ଛାଡ଼ି ପୁଞ୍ଜି ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି ।
ଏହା କରାଗଲେ ସମଗ୍ର କଳିଙ୍ଗ ନଗର ଅଞ୍ଚଳରେ ନିଆଁ ଜଳିବ ବୋଲି ମଜଦୁର ସଂଘ ରଣହୁଙ୍କାର ଦେଇଛି ।
ଏ ସମ୍ପର୍କରେ ସଂଘର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବାଣିଜ୍ୟ ଓ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।