Odia News Portal

ଚୋରଙ୍କ ସହ ଚୋରା ପୀରତିରେ ଖାକି ବାବୁ

ଭୁବନେଶ୍ୱର : ଚୋରଙ୍କ ସାଙ୍ଗରେ ରାଜଧାନୀ ପୁଲିସ ବାବୁଙ୍କର ଚୋରା ପୀରତି ଏବେ ଚର୍ଚ୍ଚାରେ । ଚୋରକୁ ଧରି ତାହା ଠାରୁ
ଚୋରି ଜିନିଷ ହାତେଇ ଛାଡିଦେବା ଓ ଚୋରି ଜିନିଷ ଆଣିବାକୁ କହି ଚୋରଙ୍କ ଗାଡିକୁ ବନ୍ଧା ରଖିବାର ଚର୍ଚ୍ଚା ଏବେ ସାଧାରଣ
ଲୋକଙ୍କୁ ଚିନ୍ତାରେ ପକାଇଲାଣି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତିନି ଦିନ ତଳେ ରାଜଧାନୀର ୬ନମ୍ବର ଅଞ୍ଚଳରୁ ପୁଲିସ୍‍ ଜଣେ ଚୋରକୁ ଉଠାଇଥିଲା । ଜେରା ପରେ ତାହା ନିକଟରୁ ସୁନାଚେନ୍‍ଟିଏ ମିଳିଥିଲା । ଆଉ ଚୋରା ଜିନିଷ କେଉଁଠି ଅଛି ଓ ତା ସାଙ୍ଗରେ ଆଉ କିଏ ଅଛନ୍ତି ବୋଲି ପୁଲିସ୍‍ ପଚାରିବାରୁ ଆଉ ଚୋରା ଜିନିଷ ନଥିବା ସହିତ ଚୋରଟି ଆଉ ଗୋଟିଏ ପିଲାର ନାଁ କହିଥିଲା।

 

ତେବେ ପୁଲିସ୍‍ ଦ୍ୱିତୀୟ ପିଲାକୁ ଧରିବାପରେ ପ୍ରଥମ ଚୋରକୁ ଛାଡି ଦେଇଥିବା ଜଣାଯାଇଛି । ହେଲେ ଧରାପଡିଥିବା ଦ୍ୱିତୀୟ ପିଲାଟି ସିଏ ଚୋର ନୁହେଁ ଏବଂ ଛୋଟ ମୋଟ ନିଶା ବେପାର ଓ ସେବନ କରେ ବୋଲି କହିବାରୁ ପୁଲିସ୍‍ ତା ମୋଟର
ସାଇକେଲ ଜବତ କରି ଚୋରି ସାମଗ୍ରୀ ଦେଲେ ମୋଟର ସାଇକେଲ ନେବୁ ବୋଲି କହି ଛାଡି ଦେଇଛନ୍ତି । ମୋଟର
ସାଇକେଲ ଥାନାରେ ଥିବାବେଳେ ପୁଲିସ୍‍ କବଳରୁ ଖସିଥିବା ପିଲାଟି ଏବେ ଚୋରି ଜିନିଷ କେଉଁଠୁ ଆଣିବ ସେଥିନେଇ
ଚିନ୍ତାରେ ପଡିଛି । ଚୋରି ଜିନିଷ ନଦେଲେ ପୁଲିସ୍‍ ଅନ୍ୟ ମାମଲା ଲଗାଇବାର ଭୟ ବି ରହିଛି । ଅନ୍ୟ ପକ୍ଷରେ ସୂଚନା ମୁତାବକ ଯେଉଁ ଚୋର ନିକଟରୁ ପୁଲିସ୍‍ ସୁନାଚେନ୍‍ ଜବତ କରିଛି ତାହାର ଗୁରୁ ଏବେ ପୁଲିସ୍‍ ହାତରେ ଧରାପଡି ଜେଲ୍‍ରେ । ସ୍ଥାନୀୟ ଛଅ ନମ୍ବର ଅଞ୍ଚଳରେ ଗୁରୁ-ଚେଲା ଆତଙ୍କ ଖେଳାଇ ଥିବାବେଳେ ସେମାନଙ୍କ ଭୟରେ ଲୋକେ ରାତି ତ ଦୂରରକଥା ଦିନବେଳା ବି ଘରୁ ଗୋଡକାଢି ପଦାକୁ ଯାଇପାରୁ ନାହାନ୍ତି । ବାରମ୍ବାର ଚୋରିରେ ଅତିଷ୍ଠ ଛଅ ନମ୍ବରବାସୀ ଚୋର ଧରିବାପାଇଁ ପୁଲିସ୍‍ ଉପରେ ଚାପ ପକାଉଥିବାବେଳେ ଏବେ ଚୋରକୁ ଧରି ଛାଡିଦେବା ଓ ତାହାଠାରୁ ଜବତ ସୁନାଚେନ୍‍ କାହାର ବୋଲି ଲୋକେ ଆଲୋଚନା କରୁଛନ୍ତି ।

 

ରାଜଭବନ ନିକଟ ଓ ବଡ ବଡିଆ ମନ୍ତ୍ରୀ ଅଫିସରଙ୍କ କ୍ୱାଟର୍ସ ନିକଟରେ ଥିବା ୬ନମ୍ବରର ବିଭିନ୍ନ ବସ୍ତି ଏବେ ନିଶାବେପାରୀ ଓ ଚୋରଙ୍କ ଚରାଭୁଇଁ ପାଲିଟିଥିବାବେଳେ ପୁଲିସ୍‍କୁ ଆଉ ସେମାନେ ଖାତିରୁ କରୁନାହାନ୍ତି । ପୁଲିସ୍‍ ବି ସେମାନଙ୍କୁ ଧରିବାପାଇଁ ଉଦ୍ୟମ କରୁନାହାନ୍ତି । ସ୍ଥାନୀୟ ଲୋକଙ୍କ ମତରେ ପୁଲିସ୍‍ ଯେତେବେଳେ ଯାହାକୁ ଧରୁଛି କି ଦଫା ଲଗାଉଛି କେଜାଣି ଦିନ କେଇଟା ପରେ ସେମାନେ ମଇଦାନରେ ଉଭା ହେଉଛନ୍ତି । ଦୀର୍ଘଦିନ ପରେ ଚୋରଙ୍କ କାର୍ପଟଦାରଙ୍କୁ
ଧରିଥିବା ପୁଲିସ୍‍ କାହିଁକି ସେମାନଙ୍କୁ ଛାଡି ଦେଉଛି ତାହାକୁ ନେଇ ଏବେ ୬ନମ୍ବର ଅଞ୍ଚଳରେ ଚର୍ଚ୍ଚା ।

 

ସାଧାରଣ ଲୋକେ ତ ଦୂରରକଥା ଖୋଦ୍‍ ଏହି ଅଞ୍ଚଳରେ ରହୁଥିବା କିଛି ପୁଲିସ୍‍ ବାବୁଙ୍କ କ୍ୱାଟର୍ସରୁ ବି ଚୋରମାନେ ପାଣିଟ୍ୟାପ୍‍ ଓ ଲୁଗାପଟା ଆଦି ଉଠାଉଥିବାବେଳେ ଲାଜରେ ସେମାନେ କାହାକୁ କିଛି କହୁନାହାନ୍ତି । ଇତି ମଧ୍ୟରେ ଚୋର ଭୟରେ ଛଅ ନମ୍ବର ଅଞ୍ଚଳରୁ ଲୋକେ କ୍ୱାଟର୍ସ ଛାଡୁଥିବାବେଳେ ଚୋରଙ୍କ ସହିତ ପୁଲିସ୍‍ର ଏଭଳି ଚୋରା ପୀରତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।