Odia News Portal

ସଂଘ ନେତାଙ୍କ ବିବାଦରୁ ଶେଷରେ ଆଖିବୁଜିଲା କାଳିଆ, ମାନବ ଅଧିକାର କମିଶନ ହସ୍ତକ୍ଷେପ ଦାବି

ଭୁବନେଶ୍ୱର : ନେତାଙ୍କ ବିବାଦରୁ ବନ୍ଦ ପଡିଥିବା ଓସା ହାଉସର ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା କାଳିଆ ଶେଷରେ ପ୍ରାଣ ହରାଇଛନ୍ତି । ପେଟରୋଗରେ ଆକ୍ରାନ୍ତ ଏହି ବ୍ୟକ୍ତି ଜଣଙ୍କ ଚିକିତ୍ସାପାଇଁ ଆବଶ୍ୟକ ଅର୍ଥ ନପାଇବାରୁ ଗତକାଲି ରାତିରେ କଟକ ବଡ ମେଡିକାଲରେ ଆଖି ବୁଜିଥିବାବେଳେ ସଂଘର କୌଣସି ନେତା କିମ୍ବା କର୍ମଚାରୀ ତା’ ପରିବାରୁ ଆହା ପଦେ କହିବାକୁ ଆସିଲେ ନାହିଁ । ସେବା ସଂଘର ଖାରବେଳନଗର ସ୍ଥିତ ଓସା ହାଉସର ରକ୍ଷଣା ବେକ୍ଷଣ ପାଇଁ ନେତାମାନେ ଦୀର୍ଘଦିନରୁ କାଳିଆ ଓ ଚନ୍ଦୁରିକୁ ନିଯୁକ୍ତି ଦେଇଥିଲେ । ବେତନ ବାବଦକୁ ଉଭୟଙ୍କୁ ମାସକୁ ୧୦୦୦ ଟଙ୍କା ଲେଖାଁଏ ଦିଆଯାଏ । ଛୁଆପିଲା ନେଇ ସେମାନେ ସଂଘ କାର୍ଯ୍ୟାଳୟ ପରିସରରେ ରୁହନ୍ତି । ସଂଘରୁ ପାଉଥିବା ଅର୍ଥରେ ସେମାନଙ୍କୁ ଚଳିବା କଷ୍ଟକର ହେଉଥିବାବେଳେ ଏଠାରେ ହେଉଥିବା ବିବାଦ, ବ୍ରତ, ଭୋଜି, ସଭା ପ୍ରଭୃତିରେ କାମଦାମ କରି ଦୁଇପଇସା ପାଇ କୁଟୁମ୍ବ ଚଳାଇଥାନ୍ତି ।
ଏଭଳି ଭାବେ ସେମାନଙ୍କ ସଂସାର ଚାଲିଥିବାବେଳେ ସଂଘ କାର୍ଯ୍ୟାଳୟର ଭଡା ଅର୍ଥକୁ ନେଇ ବର୍ତ୍ତମାନର ସଭାପତି ଓ ସାଧାରଣ ସମ୍ପାଦକଙ୍କ ମଧ୍ୟରେ କନ୍ଦଳ ସୃଷ୍ଟିହେଲା । ସଭାପତି ସଂଘ କାର୍ଯ୍ୟାଳୟରେ ତାଲା ପକାଇଦେବା ଫଳରେ ଏଠାରେ ଆଉ ବିବାହ, ବ୍ରତ କିମ୍ବା ଭୋଜିଭାତ ହୋଇପାରିଲା ନାହିଁ । ସଭାପତି ଓ ସାଧାରଣ ସମ୍ପାଦକ ନିଜ ନିଜ କ୍ଷମତା ଜାହିର କଲେ । କିନ୍ତୁ ଅପର ପକ୍ଷରେ ବିଚରା କାଳିଆ ଓ ଚନ୍ଦୁରି ରୋଜଗାର ହରାଇଲେ । କାଳିଆ ବୟସର ଅପରାହ୍ନରେ ଅନ୍ୟ କୌଣସି ସଂସ୍ଥା ଧରି ରୋଜଗାର କରିପାରିଲା ନାହିଁ । ସଂଘ କର୍ତ୍ତୃପକ୍ଷ ପାଉଣା ବଢାଇଲେ ନାହିଁ କି ନିୟମିତ ଭାବେ ଦେଉଥିବା ୧୦୦୦ ଟଙ୍କା ବି ଦେଲେନାହିଁ । ଫଳରେ ପେଟରୋଗରେ ଆକ୍ରାନ୍ତ କାଳିଆ ଔଷଧ ଖାଇବାକୁ ପଇସାଟିଏ ପାଇଲାନାହିଁ । ବର୍ଷ ବର୍ଷ ଧରି ତାର ସେବା ପାଇଥିବା ନେତା, କର୍ମଚାରୀ କେହିହେଲେ ତାକୁ ସାହାଯ୍ୟର ହାତ ବି ବଢାଇଲେ ନାହିଁ । ସଚିବାଳୟ କର୍ମଚାରୀ ଚାହିଁଥିଲେ ତାକୁ ଏସ୍‍ଟିଏଫ୍‍ କିମ୍ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ଯୋଗାଇ ଦେଇ ପାରିଥାନ୍ତେ । ହେଲେ କେହି ବି ତାହା କଲେ ନାହିଁ । ଗୋଷ୍ଠି ଲଢେଇ ଓ ଅହଂକାର ଭିତରେ କାଳିଆ ବଳି ପଡିଗଲା । ସେ ତ ଗଲା, ତା’ର ଛୋଟ ସଂସାର ବି ବେସାହାରା ହୋଇଗଲା । ଏ ଖବର ଲୋକସେବାଭବନରେ ପ୍ରଚାରିତ ହେବାପରେ କେତେକ କର୍ମଚାରୀ ସଂଘ ନେତାଙ୍କ ବେପରୁଆ ଆଚରଣ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ରାଜ୍ୟର ସମସ୍ତ ନିୟମ କାନୁନ୍‍ ଉପରେ ଜ୍ଞାନ ରଖୁଥିବା ସଚିବାଳୟ ନେତା କେଉଁ ଆଧାରରେ ଜଣକୁ ମାସିକ ମାତ୍ର ଏକ ହଜାର ଟଙ୍କା ବେତନ ଦେଉଥିଲେ ? ଏହା ଶ୍ରମ ବିଭାଗର ଆଇନ୍‍ ଅନୁସାରେ କ’ଣ ଧର୍ତ୍ତବ୍ୟ ଅପରାଧ ନୁହେଁ ? ସଂଘ ପରିସରରେ ବିବାହ, ବ୍ରତ ପରି କାର୍ଯ୍ୟକ୍ରମ ବାରଣ କଲାପରେ ଓ ତାଙ୍କୁ ଗୁଜୁରାଣ ମେଣ୍ଟାଇବାପାଇଁ ସର୍ବନିମ୍ନ ଅର୍ଥ ଦେଇପାରୁନଥିବା ବେଳେ ସଂଘ କର୍ତ୍ତୃପକ୍ଷ କିପରି ତାଙ୍କୁ ପୂର୍ବପରି କାମରେ ନିୟୋଜିତ କରିଥିଲେ ? ଏପରି ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜ୍ୟ ମାନବାଧିକାର ଆୟୋଗ ନିଜଆଡୁ ଅନୁସନ୍ଧାନ କରି ଦୋଷୀକୁ ଦୃଷ୍ଟାନ୍ତମୂଳକ ଦଣ୍ଡ
ଦେବାକୁ କିଛି କର୍ମଚାରୀ ଦାବି ଉଠାଇଛନ୍ତି ।