Odia News Portal

ଓଡ଼ିଶା ଆଣିବ ନୂଆ ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୨୧

ଭୁବନେଶ୍ୱର: ରାଜ୍ୟ ସରକାର ଏକ ନୂଆ ଖାଦ୍ୟ ପ୍ରକ୍ରିୟାକରଣ ନୀତି ଆଣିବା ଉପରେ କାର୍ଯ୍ୟ କରୁଛନ୍ତି । ଶେଷ ଥର ଲାଗି ୨୦୧୬ରେ ଏକ ନୀତି ଘୋଷଣା କରାଯାଇଛି । ଏବେ ଆଉ ଏକ ନୂଆ ନୀତି ପ୍ରସ୍ତୁତ କରାଯାଉଛି ଯାହାକୁ ଖୁବଶୀଘ୍ର ଉଦ୍‌ଘାଟନ କରାଯିବ ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ, ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି । ଭାରତ ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ, ଏମ୍‌ଏସ୍‌ଏମ୍‌ଇ ବିଭାଗ ଓ ଇଣ୍ଡିଆ ଚାମ୍ବର ଅଫ କମର୍ସ (ଆଇସିସି) ଓଡ଼ିଶା ରାଜ୍ୟ ପରିଷଦର ମିଳିତ ଆନୁକୂଲ୍ୟରେ ଆଜି ହୋଟେଲ୍ ମେ’ଫେୟାର ଠାରେ ଆୟୋଜନ କରାଯାଇଥିବା ଫୁଡ୍ ଟେକ୍ କନ୍‌କ୍ଲେଭ୍‌କୁ ଉଦ୍‌ଘାଟନ କରି ସେ ଏହି ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି, ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୨୧କୁ ଆମେ ଆହୁରି ଉନ୍ନତ ଧରଣର କରିବାକୁ ଚାହୁଁଛୁ । ସେଥିପାଇଁ ଆମେ ସମସ୍ତ ଅଂଶୀଦାରଙ୍କୁ ମତାମତ ପଠାଇବାକୁ ଅନୁରୋଧ କରୁଛୁ । ଯେହେତୁ ଆସନ୍ତା ୩-୫ ବର୍ଷ ଭିତରେ କେବଳ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ୩୩ ବିଲିଅନ୍ ଡଲାର ଭଳି ବୃହତ ଆକାରର ହେବାକୁ ଯାଉଛି ତେଣୁ ସେଥିରୁ ଯେଉଁ ସୁଯୋଗ ସୃଷ୍ଟି ହେବ ତାହାର ଲାଭ ଉଠାଇବା ଲାଗି ଆମ ରାଜ୍ୟର ଯୁବପିଢ଼ି ଏବଂ ଉଦ୍ୟୋଗୀମାନଙ୍କୁ ଏବେଠାରୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ଥିବା ସୁଯୋଗ ସମ୍ପର୍କରେ ଆଲୋଚନାକରି ସେ କହିଛନ୍ତିଯେ, ” କଳାହାଣ୍ଡି ଜିଲ୍ଲାରେ ଚାଷୀମାନେ ଗୋବର ଦେଇ ଅର୍ଗାନିକ ଉପାୟରେ ଲାଲମହଲ ଚାଉଳ ଚାଷ କରୁଛନ୍ତି ଯାହା ଚଢ଼ା ଦରରେ ବଜାରରେ ବିକ୍ରି ହେଉଥିବା ବାସମତି ଚାଉଳ ଠାରୁ ଅନେକ ଗୁଣରେ ଭଲ । ତାହାର ପାଚନ ଶକ୍ତି ବହୁତ ଭଲ ଥିବା ବେଳେ ସ୍ୱାସ୍ଥ୍ର‌୍ୟ ପ୍ରତି ମଧ୍ୟ ହିତକର । କିନ୍ତୁ ଚାଷୀ କିମ୍ବା ଉଦ୍ୟୋଗୀମାନେ ତାକୁ ଏକ ବ୍ରାଣ୍ଡ୍‌ରେ ପରିଣତ କରିପାରିନାହାନ୍ତି । ସେଥିପାଇଁ ତାହା ସେହି ଜିଲ୍ଲା ଭିତରେ ସୀମିତ ରହିଯାଇଛି । ଆମକୁ ଏଭଳି ଧରଣର ସ୍ୱତନ୍ତ୍ର କୃଷିଜାତ ଉତ୍ପାଦକୁ ଖୋଜି ବାହାରକରି ତାହାକୁ ଜାତୀୟ ଓ ଆନ୍ତର୍ଜାତିକ ବଜାରରେ ପହଂଚାଇବା ଲାଗି କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଏହି ଅବସରରେ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ମନ୍ମଥ କୁମାର ପାଣି କହିଛନ୍ତି ଯେ,  ଶସ୍ୟ ଜାତୀୟ କୃଷିରେ ଓଡ଼ିଶାରେ ବିପୁଳ ସମ୍ଭାବନା ରହିଛି । ଏହା ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ଉନ୍ନତି ଆଣିପାରିବ । ଓଡ଼ିଶା ୧୦.୭୬ ଟନ୍ ଖାଦ୍ୟ ଶସ୍ୟ, ୯୦ ଲକ୍ଷ ଟନ୍ ପନିପରିବା, ୨୧ ଲକ୍ଷ ଟନ୍ ପ୍ରମୁଖ ଖାଦ୍ୟଶସ୍ୟ, ୩.୫ ଲକ୍ଷ ଟନ୍ କନ୍ଦମୂଳ, ୦.୮୮ ଲକ୍ଷ ଟନ୍ କାଜୁ, ୧୩ ଲକ୍ଷ ଟନ୍ ଟମାଟୋ ଏବଂ ୫ ଲକ୍ଷ ଟନ୍ ମସଲା ଉତ୍ପାଦନ କରୁଛି ବୋଲି ସେ କହିଛନ୍ତି ।

ଶିଳ୍ପ ବିଭାଗର ନିର୍ଦେଶକ, ଏସ୍ କେ ହୋତା କହିଛନ୍ତି ଯେ, ଓଡ଼ିଶା ହେଉଛି କାଜୁର ତୃତୀୟ ସର୍ବାଧିକ, ପନିପରିବା ଓ ଚିଙ୍ଗୁଡ଼ିର ଚତୁର୍ଥ ସର୍ବାଧିକ ଓ ନଡ଼ିଆର ଷଷ୍ଠ ସର୍ବାଧିକ ଉତ୍ପାଦନକାରୀ ରାଜ୍ୟ । ଏଠାରେ ଧାନ, ତୈଳବୀଜ, କନ୍ଦମୂଳ, ମକା, ଲଙ୍କା, ଅଦା ଏବଂ କପା ଓ ଝୋଟ ଭଳି ଫାଇବର୍ ମଧ୍ୟ ବିପୁଳ ପରିମାଣରେ ଉତ୍ପାଦନ ହେଉଛି । ୨୦୨୫ ସୁଦ୍ଧା ରାଜ୍ୟରେ ଉତ୍ପାଦନ ହେଉଥିବା ୨୫% କୃଷିଜାତ ସାମଗ୍ରୀର ପ୍ରକ୍ରିୟାକରଣ କରିବା ଭଳି କଷ୍ଟକର ଲକ୍ଷ୍ୟ ରଖାଯାଇଛି । କୃଷିଜାତ ସାମଗ୍ରୀକୁ ନଷ୍ଟ ହେବାରୁ ରୋକିବା ଏବଂ ସେଗୁଡ଼ିକରେ ମୂଲ୍ୟ ଯୋଗ କରିବା ଲାଗି ଭିତିଭୂମି ବିକଶିତ କରିବାକୁ ପଡ଼ିବ ଏବଂ ଅଧିକ ଶୀତଳଭଣ୍ଡାର ଖୋଲିବାକୁ ହେବ ବୋଲି ସେ କହିଛନ୍ତି । ଏହି ଅବସରରେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ସହ-ଅଧ୍ୟକ୍ଷ ଜେ ବି ପାଣି କହିଛନ୍ତି ଯେ, ରାଜ୍ୟରେ ୨୦%ରୁ ଅଧିକ ପନିପରିବା ନଷ୍ଟ ହେଉଛି ଏବଂ ଏକ ପ୍ରତିଶତରୁ କମ୍ ପ୍ରକ୍ରିୟାକରଣ ହେଉଛି ଯାହା ଜାତୀୟ ହାର ୬ ପ୍ରତିଶତ ଠାରୁ ବହୁତ କମ୍ । କେତେକ ବିକଶିତ ଦେଶରେ ପ୍ରକ୍ର୍ରିୟାକରଣ ହାର ୫୦%ରୁ ଅଧିକ ରହିଛି ବୋଲି ସେ କହିଛନ୍ତି । ଏହି ଅବସରରେ ଡାଇରେକ୍ଟୋରେଟ୍ ଅଫ୍ ଏକ୍ସପୋର୍ଟ, ପ୍ରମୋସନ ଆଣ୍ଡ୍ ମାର୍କେଟିଂର ନିର୍ଦେଶକ, ସରଣ କୁମାର ଜେନା, ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଏଗ୍ରି ଆଣ୍ଡ୍ ଫୁଡ୍ ପ୍ରୋସେସିଂ କମିଟିର ସଂଯୋଜକ ଶ୍ରୀରାମ ପଣ୍ଡା ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।