Odia News Portal

ସରକାରଙ୍କୁ ବିରୋଧ କରିବାକୁ ଯାଇ କଂଗ୍ରେସ ବାଟବଣା : ଶ୍ରୀମନ୍ଦିର ଅର୍ଥ ଜମା ପ୍ରସଙ୍ଗ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ବିରୋଧ କରିବା କ୍ଷେତ୍ରରେ କଂଗ୍ରେସ ନେତାମାନେ ଏକପ୍ରକାର ବାଟବଣା ହୋଇଯାଇଥିବା ପରିଲକ୍ଷିତ ହୋଇଛି । ବିଶେଷକରି ୟେସ୍‍ ବ୍ୟାଙ୍କ୍‍ରେ ଶ୍ରୀମନ୍ଦିର ଅର୍ଥ ଜମା ନେଇ ଦଳ ପକ୍ଷରୁ କିଏ କେତେବେଳେ କି ପ୍ରକାର ବିରୋଧ କରୁଛି ତାହାକୁ ଖୋଦ୍‍ ଦଳୀୟ କର୍ମୀମାନେ ଜାଣିପାରୁ ନାହାନ୍ତି । ଫଳରେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ଘେରିବାପାଇଁ ଦଳ କରିଥିବା ଯୋଜନାରେ ନିଜେ ଛନ୍ଦିହୋଇ ଯାଉଛି । ଏହି ଘଟଣା ପଦାକୁ ଆସିବାପରେ ଗତ ସପ୍ତାହରେ କଂଗ୍ରେସ ଦପ୍ତରରୁ ଘରୋଇ ବ୍ୟାଙ୍କ୍‍ରେ ଅର୍ଥ ଜମାକୁ ବିରୋଧ କରି ଗୋଟିଏ ପ୍ରେସ୍‍ ରିଲିଜ ଆସିଲା । ଏଥିରେ ଜଣେ ଯୁବନେତାଙ୍କ ବକ୍ତବ୍ୟ ଥିଲା । ଗଣମାଧ୍ୟମ ନିକଟରେ ଏହା ପହଞ୍ଚିବାର କିଛି ସମୟ ପରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ସାମ୍ବାଦିକ ସମ୍ମିଳନୀରେ  ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ବିରୋଧ କଲେ । ତାଙ୍କ ସହିତ ଦଳର ଅନ୍ୟ ପୁରୁଖା ନେତାମାନେ ବସିଥିବା ଲକ୍ଷ୍ୟ କରାଯାଇଥିଲା । ତେବେ ଦଳରେ ଥିବା ଯୁବନେତା ଓ ବରିଷ୍ଠଙ୍କ ମଧ୍ୟରେ ତାଳ ମେଳ ନଥିବାରୁ ଏଭଳି ଅବସ୍ଥା ବୋଲି କର୍ମୀମାନେ ଖୋଲାଖୋଲି ଭାବେ କହୁଛନ୍ତି ।

ନରସିଂହଙ୍କ ପ୍ରେସ୍‍ ରିଲିଜ ଆସି ପହଞ୍ଚିବାପରେ ଯୁବନେତାଙ୍କ ପ୍ରେସ୍‍ ରିଲିଜକୁ ଅନେକ ଗଣମାଧ୍ୟମ ସଂସ୍ଥା ଅଳିଆ ଗଦାକୁ ଫିଙ୍ଗି ଦେଲେ । ଅନୁରୂପ ଅବସ୍ଥା ନହେଲେ ବି କଂଗ୍ରେସ ଦଳରେ ଆଜି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଅର୍ଥ ଜମା ପ୍ରସଙ୍ଗରେ ଆଜି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ବିଧାନସଭାରେ ମୁଲତବି ପ୍ରସ୍ତାବ ଦେଇଥିଲେ । ଏହା ଉପରେ ସରଗରମ ଆଲୋଚନା ହୋଇଛି । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଆଇନ୍‍ ବହି ଧରି ସରକାରଙ୍କୁ ଘେରିଥିବାବେଳେ ବରିଷ୍ଠ କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ବି ଅତି କଟୁ ଭାଷାରେ ସରାକରଙ୍କୁ ସମାଲୋଚନା କରିଛନ୍ତି । ଏପରିକି ଦୁଇମାସ ମଧ୍ୟରେ ଯଦି ଟଙ୍କା ନଫେରେ ତେବେ ମୁଖ୍ୟମବୀଙ୍କ ଦଳ ଛାଡିବନାହିଁ ବୋଲି କହିଛନ୍ତି । ଯେହେତୁ କଂଗ୍ରେସ ବିଧାୟକଦଳ ନେତା ଶ୍ରୀ ସିଂହଙ୍କ ଉପରେ ଗଣମାଧ୍ୟମର ଅଧିକ ଗୁରୁତ୍ୱ ରୁହେ ତେଣୁ ତାଙ୍କ ବକ୍ତବ୍ୟ ରିପୋର୍ଟିଂ ହେବାଟା ଏକ ପ୍ରକାର ନିଶ୍ଚିତ । ହେଲେ ଆଜି କଂଗ୍ରେସ ଭବନରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାଁରେ ସମାନ

ଘଟଣାରେ ଆଉ ଗୋଟିଏ ବଡ ପ୍ରେସ ରିଲିଜ ଯାଇଛି । ଫଳରେ ଗଣମାଧ୍ୟମ କାହାକୁ ଛାପିବ ଜାଣିପାରୁ ନାହିଁ । ଏଥିରୁ ଗୋଟିଏ ପ୍ରକାଶିତ ହେବ ନହେଲେ କାଣ୍ଟଛାଟ ହେବବୋଲି ଅନେକ ସାମ୍ବାଦିକ ମତ ଦେଉଛନ୍ତି । ଆସନ୍ତାକାଲି କଂଗ୍ରେସ ପ୍ରେସ୍‍ ରିଲିଜ ଜାରି ହୋଇଥିଲେ କ’ଣ ଅସୁବିଧା ଥିଲା ବୋଲି କିଛି କଂଗ୍ରେସ କର୍ମୀ ବି କହୁଛନ୍ତି । ଏହିସବୁ ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ ରାଜ୍ୟ କଂଗ୍ରେସର ଗୋଟିଏ ହାତ କଣ କରୁଛି ତାହା ଅନ୍ୟ ହାତ ଜାଣିପାରୁ ନାହିଁା ଟୋକା ଓ ବୁଢା ନେତା ଏବେ ଭିନ୍ନ ଗୋଠ ଧରି ବୁଲୁଛନ୍ତି । ଟୋକାନେତାମାନେ କଂଗ୍ରେସ ଭବନରୁ ଏକପ୍ରକାର ଆରଟିଆଇ ଦପ୍ତର କରିଥିବା ଖୋଦ ଦଳୀୟ କର୍ମୀମାନେ କହୁଥିବାବେଳେ ବରିଷ୍ଠମାନେ ବି ପରିଣତ ବୟସରେ ଗୋଡ ଟଣାଟଣି ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଘଟଣା ଯୋଗୁଁ ଚିରଞ୍ଜୀବ ବିଶ୍ୱାଳଙ୍କ ଭଳି ଅନେକ ପୁରୁଖା ନେତା କଂଗ୍ରେସ ଭବନ ହତା ମାଡୁନଥିବାବେଳେ କିଛି ଯୁବନେତା ଗଣମାଧ୍ୟମରେ ତିଷ୍ଠି ରହିବାପାଇଁ ଏଠାରେ ଉତ୍ପାତ କରୁଥିବା ଦେଖିବାକୁ ମିଳୁଛି