Odia News Portal

ଆଇଁଷିଆ ପ୍ରକୃତି ଯାଗୁଁ ଥାନା ବାବୁଙ୍କୁ ଗାଁ ଟୋକାଙ୍କ ଗୁଳିମାଡ

ଭୁବନେଶ୍ୱର : ରାଜଧାନୀରେ ଏବେ ଜଣେ ଥାନା ବାବୁଙ୍କୁ ନେଇ ଚର୍ଚ୍ଚା । ବାବୁ ଜଣଙ୍କର ପ୍ରବଳ ଆଇଁଷିଆ ଦୋଷ ଯୋଗୁଁ ଅଳ୍ପଦିନ ତଳେ କିଛି ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ହେଲେ କୌଣସି ପ୍ରକାରେ କଥାଟାକୁ ଚାପି ରଖି ବାବୁ ଜଣଙ୍କ ସେବେଠାରୁ କରୋନା ନାଁରେ ଅଧିକାଂଶ ସମୟ ଥାନା ଭିତରେ ରହୁଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀ ଉପକଣ୍ଠରେ ଥିବା ଥାନାର ଏହି ବାବୁ ଜଣଙ୍କର ପଇସାପତ୍ର ଅପେକ୍ଷା ଆଇଁଷିଆ ଦୋଷ ପ୍ରଖର । ମହିଳାମାନେ ଗୁହାରି କରିବାକୁ ଆସିଲେ ସୋମନଙ୍କ ଠାରୁ ବାବୁ ଜଣଙ୍କ ନିଜେ ଗୁହାରୀ ଶୁଳନ୍ତି । ଏଭଳି ଏକ ଘଟଣା ଗତମାସରେ ଘଟିଥିବା ସୂଚନା ମିଳିଛି । ମହିଳାଙ୍କ ସ୍ୱାମୀ ଗୋଟିଏ ଘଟଣାରେ ଗିରଫ ହୋଇ ଥାନାରେ ଥିଲୋ  ମହିଳା ଜଣଙ୍କ ଥାନା ବାବୁଙ୍କୁ ଗୁହାରି କରିବାକୁ ଆସିଥିଲେ । ଥାନା ବାବୁ ମହିଳା ଜଣଙ୍କୁ ପାଖକୁ ଡାକି ତାଙ୍କ ଗୁହାରୀ ଶୁଣିବା ଆଳରେ ଅସୌଜନ୍ୟ ଆଚରଣ ପ୍ରଦର୍ଶନ କଲେ । ମହିଳା ଜଣଙ୍କ ଥାନାରେ କିଛି କହିପାରିଲେ ନାହିଁ । ହେଲେ ଗାଁକୁ ଯାଇ ମୁହଁ ଖୋଲି ସବୁ କଥା କହିଲେ । ଗାଁ ଟୋକାମାନେ ଆଗରୁ ବାବୁଙ୍କ ଆଇଁଷିଆ ଗୁଣ କଥା ଜାଣିଥିଲେ । ତେଣୁ ପାନେ ଦେବାପାଇଁ ଛକିଲେ । ଦିନେ ବାବୁ ଗାଁ ବାଟ ଦେଇ ଯାଉଥିବାବେଳେ ଟୋକାମାନେ ଗୁଳି ଚଳାଇଦେଲେ । ଅବଶ୍ୟ ଗୁଳି ବାବୁଙ୍କ ପାଖ ଦେଇ ଚାଲିଗଲା । ଗୁଳିମାଡ ସଂକ୍ରାନ୍ତରେ
ଖୋଳତାଡ କରି ବାବୁ ଜାଣିଲେ ଯେ ତାଙ୍କରି ଆଇଁଷିଆ କାମ ପାଇଁ ଏଭଳି କାଣ୍ଡ ହୋଇଛି । ତେଣୁ କୌଣସି ପ୍ରକାରେ କଥାଟାକୁ ଚାପିଦେଲେ । ଏବେ ପୁଣିଥରେ ଗାଁ ଟୋକା ଛକିଥିବା ଖବର ପାଇଲା ପରେ ବାବୁ ଅତି ଜରୁରୀ ନହେଲେ ଥାନାରୁ ବାହାରୁ ନାହାନ୍ତି ।
କରୋନା କଥା କହି ଯିବା ଆସିବାକୁ ଟାଳି ଦେଉଛନ୍ତି । ତେବେ ହେଉଥିବା ଆଲୋଚନା ଅନୁଯାୟୀ ଏଭଳି ଆଇଁଷିଆ କାମରେ ବାବୁଙ୍କୁ ଥାନାର ଜଣେ ଏକ ତାରା କ୍ଷମତାଧାରୀ ମହିଳା ଅଧିକାରୀ ସହଯୋଗ କରୁଛନ୍ତି । ତାଙ୍କ ଆଖି ସାମ୍ନାରେ ସବୁକିଛି ଘଟେ । ହେଲେ ବାବୁଙ୍କ ସାଙ୍ଗରେ ତାଙ୍କର ନିବିଡତା ଯୋଗୁଁ କଥା ବାବୁଙ୍କ କୋଠରୀରୁ ବାହାରକୁ ଯାଏ ନାହିଁ । ଏଥର କିନ୍ତୁ ଅସଦାଚରଣର ଶିକାର ହୋଇଥିବା ମହିଳା ଜଣଙ୍କ ସାହସ କରି ଗାଁରେ କଥାଟା ପ୍ରଘଟ କରିଦେବାରୁ ବାବୁଙ୍କ ଆଇଁଷିଆ କାରବାରର ଗନ୍ଧ ଏବେ ସହର ଭିତରକୁ ପଶି ଆସିଛି । ମହିଳାଜଣଙ୍କ ଏବେ ବାବୁଙ୍କ ବିରୁଦ୍ଧରେ ଗଣମାଧ୍ୟମରେ ମୁହଁ ଖୋଲିବାପାଇଁ ସାହସ ଜୁଟାଉଥିବାର ବି ସୂଚନା ମିଳିଛି ।