Odia News Portal

ଏଜି ଅଡିଟରଙ୍କ ଚାପ ଯୋଗୁଁ ଖଦିବୋର୍ଡ ସୋରିଷ ତେଲ ଦର ବୃଦ୍ଧି

ଭୁବନେଶ୍ୱର : ସରକାରୀ ଦୁର୍ନୀତି ଧରିବାକୁ ଭାରତର ମହାଲେଖାକାର (ଏଜି) ବିଭିନ୍ନ ସରକାରୀ ଦପ୍ତରରେ ଅଡିଟ୍‍ କରିଥାନ୍ତି । ଏହାଦ୍ୱାରା ସରକାରୀ ଦପ୍ତରରେ ହିସାବପତ୍ର ଠିକ୍‍ ଠାକ୍‍ ହୋଇଥାଏ । ତେବେ ଏଜିଙ୍କ ଅଡିଟ୍‍ ଯୋଗୁଁ ତେଲ ଦର ବଢିବା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଘଟଣାଟି ଘଟିଛି ଓଡିଶା ରାଜ୍ୟ ଖଦି ବୋର୍ଡରେ । ବୋର୍ଡ କର୍ତ୍ତୃପକ୍ଷ କିଛିବର୍ଷ ହେଲା ଲୋକଙ୍କୁ ଘଣାପେଡା ସୋରିଷ ତେଲ ଯୋଗାଇ ଆସୁଛନ୍ତି । ବଜାରରୁ ସୋରିଷ କିଣି ଖଣ୍ଡଗିରିର ଉଦ୍ୟୋଗପୁରୀ ଠାରେ ଥିବା ବୋର୍ଡର ତେଲକଳରେ ସେଥିରୁ ତେଲ ବାହାରକରି ବିକ୍ରି ହୋଇଥାଏ । ଲିଟର ପିଛା ଗ୍ରାହକଙ୍କୁ ୨୧୦ ଟଙ୍କା ଦରରେ ବୋର୍ଡ କର୍ତ୍ତୃପକ୍ଷ ଯୋଗାଇ ଆସୁଥିଲେ । ତେବେ ଏହି ଦର ହଠାତ୍‍ ୨୫୦ ଟଙ୍କା ହୋଇଯାଇଛି ।
ଅନୁସନ୍ଧାରୁ ଜଣାପଡିଛି ଯେ ଏଜି ଅଫିସରୁ ଆସିଥିବା ଅଡିଟରଙ୍କ ଯୋଗୁଁ ତେଲ ଲିଟର ଏକାଥରକେ ୪୦ ଟଙ୍କା ବଢିଛି ।

ସୂଚନା ଅନୁଯାୟୀ ଅଡିଟର ବାବୁ ସୋରିଷ କିଣା ଠାରୁ ଘଣା ପଡିବା ପର୍ଯ୍ୟନ୍ତ ସବୁର ଦର ଦାମ ବୁଝିଥିଲେ । ବୋର୍ଡ କର୍ତ୍ତୃପକ୍ଷ ବୁଝାଇଥିଲେ ଯେ ଖଦିବୋର୍ଡ ଲାଭଜନକ ସଂସ୍ଥା ହୋଇନଥିବାରୁ ଉତ୍ପାଦନ ଦରରେ ଲୋକଙ୍କୁ ବିଶୁଦ୍ଧ ସୋରିଷ ତେଲ ଯୋଗାଯାଉଛି । ତେବେ ଏଜି ଅଡିଟର ବିଦ୍ୟୁତ୍‍ ବିଲ୍‍ ନିକଟରେ ଅଟକିଥିଲେ । ପଚାରିଥିଲେ ଏହି ତେଲକଳରେ ଯେତେ ବିଲ୍‍ ଆସୁଛି ତାହାକୁ ଉତ୍ପାଦନ ଖର୍ଚ୍ଚରେ କାହିଁକି ଦେଖାଯାଉ ନାହିଁ । ଉତ୍ତରରେ ବୋର୍ଡ କର୍ତ୍ତୃପକ୍ଷ କହିଥିଲେ ଯେ ଯେହେତୁ ସେଠାରେ ବୋର୍ଡର ଦପ୍ତର ଚାଲୁଛି ତେଣୁ ସେଥିପାଇଁ ବିଦ୍ୟୁତ୍‍ ଖର୍ଚ୍ଚ ହେଉଛି ।
ଯେତେ ପ୍ରକାର ବୁଝାଇଲେ ବି ଏଡି ଅଡିଟର ବାବୁମାନେ ବୁଝି ନଥିଲେ । କାହିଁକି କମ୍‍ ଦରରେ ତେଲ ବିକ୍ରି କରୁଛ ବୋଲି ପ୍ରଶ୍ନ କରିଥିଲେ । ଫଳ ହେଲା ଏଇଆ ଯେ ବୋର୍ଡ କର୍ତ୍ତୃପକ୍ଷ ଏଜି ଅଡିଟର ବାବୁମାନଙ୍କ ଚାପ ଦେଖି ଅଳିଆରେ ପଶିବା ଅପେକ୍ଷା ତେଲ ଲିଟର ପିଛା ଏକା ଥରକେ ୪୦ ଟଙ୍କା ବଢାଇ ଦେଇଛନ୍ତି । ବୋର୍ଡର ସଭାପତି କିମ୍ବା ସଚିବ କେହି ହେଲେ ଏଜି ବାବୁମାନଙ୍କ ଏଭଳି ଯୁକ୍ତିକୁ ମୁକାବିଲା କରିପାରିଲେ ନାହିଁ ।
ଏଥିରେ କେବଳ ସାଧାରଣ ଖାଉଟିଟି ହନ୍ତସନ୍ତ । ବିଶୁଦ୍ଧ ସୋରିଷ ତେଲ ଟିକେ ସରକାରୀ ସଂସ୍ଥାରୁ ଏବେ ଅଧିକ ଦର ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି ।

ଏଜି… ଏଠାରେ ଉଲ୍ଲେଖନୀୟ ଯେ ଖଦିବୋର୍ଡରେ ଆଉ ଓଡିଆ ତିଆରି ଖଦି ସାମଗ୍ରୀ ମିଳୁନଥିବାବେଳେ କିଛିବର୍ଷ ହେଲା ମସଲା, ହଳଦୀ, ସୋରିଷତେଲ ଭଳି ସାମଗ୍ରୀର ଜୋରଦାର ବେପାର ହେଉଛି । ବିଶେଷକରି ବୋର୍ଡ କର୍ତ୍ତୃପକ୍ଷ ସୋରିଷତେଲ ଯୋଗାଇ ପାରୁନଥିଲେ । ହେଲେ ଏଜି ବାବୁଙ୍କ ଅଡିଟ ଯୋଗୁଁ ସେହି ବେପାର ବି ବୁଡିବାକୁ ଯାଉଥିବା ସୂଚନା ମିଳିଛି ।