Odia News Portal

ବସ୍ତିବାସିନ୍ଦାଙ୍କୁ ବିଦ୍ୟୁତ ସଂଯୋଗ ଦାବିରେ ସେସୁ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର : କେବଳ ବଡ଼ବଡ଼ିଆ ଓ ପ୍ରଭାବଶାଳୀଙ୍କୁ ବିଦ୍ୟୁତ ସଂଯୋଗ ଦେଇ ୧୨ ତାରିଖରୁ ଶହେ ପ୍ରତିଶତ ଲୋକଙ୍କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେଇଥିବା ଘୋଷଣା କରିଦେଲେ ସରକାର। କିନ୍ତୁ ବ୍ୟାପକ ବସ୍ତିବାସିନ୍ଦା ଓ ସାଧାରଣ ଲୋକଙ୍କ ଘରକୁ ଲାଇନ ଆସିନାହିଁ। ଫଳରେ ୪୫ ଡିଗ୍ରୀ ଗରମରେ ସେମାନେ ଆଉଟୁ ପାଉଟୁ ହେଉଛନ୍ତି। ଅନ୍ୟପକ୍ଷରେ ମାତ୍ର କିଛି ଏରିଆ ଚାର୍ଜ ଦେଇ ଘର ପିଛା ୩୦୦ ରୁ ୫୦୦ ଟଙ୍କା ଆଦାୟ କରୁଛନ୍ତି ସେସୁ ଜାଭିୟର ସେକ୍ସନ କର୍ମଚାରୀମାନେ। ଯେଉଁମାନେ ଲାଞ୍ଚ ଦେଉଛନ୍ତି କେବଳ ସେମାନଙ୍କୁ ଲାଇନ ଯୋଡୁଛନ୍ତି।

ବସ୍ତି ଟ୍ରାନ୍ସଫର୍ମର ପିଛା ୧୫ ରୁ ୨୦ ହଜାର ଦାବି କରି ଭିତିରିଆ ୮ ରୁ ୧୦ ହଜାର ନେଇ କରେଣ୍ଟ ଦେଉଛନ୍ତି। ଏହାର ପ୍ରତିବାଦରେ ଏବଂ ସବୁ ବସ୍ତିବାସିନ୍ଦାଙ୍କୁ ତୁରନ୍ତ ବିଦ୍ୟୁତ ସଂଯୋଗ ଦେବା ଦାବିରେ କାଲି ଅପରାହ୍ନରେ ଶହ ଶହ ମହିଳା ପୁରୁଷ ବସ୍ତିବାସିନ୍ଦାଙ୍କ ପକ୍ଷରୁ ସେସୁ ଜାଭିୟର ସେକ୍ସନ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ରାତି ଘ ୧୦.୪୫ ମି ପର୍ଯ୍ୟନ୍ତ ଏହି ଘେରାଉ ଚାଲିଥିଲା। ସବୁ ସେକ୍ସନ କାର୍ଯ୍ୟାଳୟରେ କେବଳ ପୋଲିସ ଜଗୁଛନ୍ତି। ଲୋକଙ୍କ ସମସ୍ୟା ଶୁଣିବାକୁ କେହି କର୍ମଚାରୀ ଜଣେ ମଧ୍ୟ ରହୁନାହାନ୍ତି। ବସ୍ତି ଲୋକଙ୍କ ଆଦୌ କାମ ହେଉନାହିଁ। ରାତି ୧୦ଟା ପର୍ଯ୍ୟନ୍ତ ଘେରାଉ ଜାରି ରହିବା ପରେ ବ୍ୟାପକ ପୋଲିସ ଫୋର୍ସ ସହ ଡେପୁଟି ଏସ.ପି ସୁଜିତ କୁମାର ପଣ୍ଡାଙ୍କ ନେତୃତ୍ୱରେ ସେସୁ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବି.ବି. ମହାନ୍ତି ଘେରାଉ ସ୍ଥଳକୁ ଆସି ବସ୍ତିବାସିନ୍ଦାଙ୍କ ମୁଖ୍ୟ ବାମପନ୍ଥୀ ନେତା ଶିବରାମ ଓ ଅନ୍ୟମାନଙ୍କ ସହ ସର୍ବ ସମ୍ମୁଖରେ ଆଲୋଚନା କରି ଅଭିଯୋଗ ଶୁଣିବା ପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ସର୍ବ ସମ୍ମୁଖରେ ପ୍ରତିଶ୍ରୁତି ଦେଇଥିଲେ।