Odia News Portal

ଆଖି ବୁଜିଲା ‘ବିନି’

ଭୁବନେଶ୍ବର : ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ବଣମଣିଷ ‘ବିନି’ର ବୁଧବାର ରାତି ୯ଟା ୪୦ରେ ମୃତ୍ୟୁ ହୋଇଛି । ତାର ଖାଦ୍ୟ ଥଳିରେ ଘା’ ହେବାରୁ ସେ ଗୁରୁତର ଅସୁସ୍ଥ ହୋଇଥିଲା । ଓୟୁଏଟିର ଏକ ବିଶେଷଜ୍ଞ ଦଳ ଆସି ତା’ର ଚିକିତ୍ସା ଜାରି ରଖିଥିଲେ । ତେବେ ସବୁ ଚେଷ୍ଟା ସତ୍ତେ୍ୱ ବି ବିନିକୁ ସେମାନେ ବଞ୍ଚାଇ ପାରିଲେ ନାହିଁ । ବିନି ଦୁଇଦିନ ଧରି ଖିଆପିଆ ଛାଡ଼ି ଦେଇଥିଲା । ଫଳରେ ତାକୁ ଫିଡିଂ ଚାମ୍ପରରେ ରଖାଯାଇ ଚିକିତ୍ସା କରାଯାଉଥିଲା ।

୨୦୦୩ ମସିହା ନଭେମ୍ବର ମାସ ୨୦ ତାରିଖରେ ପୁନେର ରାଜୀବ ଗାନ୍ଧୀ ଜୁଲୋଜିକାଲ ପାର୍କରୁ ବଣମଣିଷ (ଓରାଙ୍ଗଉଟାନ) ବିନିକୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଅଣାଯାଇଥିଲା । ସେ ସମୟରେ ତାକୁ ୨୫ ବର୍ଷ ବୟସ ହୋଇଥିଲା । ଏହି ମାଈ ବଣମଣିଷ ଦୀର୍ଘ ପନ୍ଦର ବର୍ଷ ଧରି ନନ୍ଦନକାନନରେ ପର୍ଯ୍ୟଟକମାନଙ୍କର ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଇଛି । ଗତ ୨୦୧୭ ମସିହା ଫେବ୍ରୁଆରୀ ମାସରେ ବିନି ହଠାତ୍‌ ଅସୁସ୍ଥ ହୋଇଥିଲା । ସେତେବେଳେ ତାକୁ ୪୧ ବର୍ଷ ହୋଇଥିଲା । ସେ ସମୟରେ ଓୟୁଏଟିର ବିଶେଷଜ୍ଞ ଦଳ ଆସି ବିନିର ସ୍ୱାସ୍ଥ୍ୟ ପରୀକ୍ଷା କରି ଚିକିତ୍ସା କରିଥିଲେ । ସେ ସୁସ୍ଥ ହୋଇଥିଲା । ଏହାର ଠିକ୍‌ ବର୍ଷକ ପରେ ବିନି ପୁଣି ଅସୁସ୍ଥ ହୋଇପଡ଼ିଥିଲା । ଓୟୁଏଟିର ବିଶେଷଜ୍ଞ ଦଳ ଆସି ସ୍ୱାସ୍ଥ୍ୟ ପରୀକ୍ଷ।। କରି ବିନିର ଖାଦ୍ୟଥଳି ସଂକ୍ରମଣ ଯୋଗୁ ଘା’ ହୋଇଥିବା ଜାଣିପାରିଥିଲେ । ଘା’ ଭଲ ହେବା ପାଇଁ ଔଷଧ ଏବଂ ଇଞ୍ଜେକସନ ଦିଆଯାଇଥିଲା । କିଛି ଦିନ ପରେ ଘା ଶୁଖି ଶୁଖି ଆସୁଥିଲା । ମାତ୍ର ବିନି ନଖରେ ଘା’କୁ ବିଦାରିବାରୁ ତାହା ପୁଣି ବଡ଼ ହୋଇ ଯାଇଥିଲା । ଘା ପାଚି ଥିଲା । ସେଥିରେ ପୂଜ ଭରିଯାଇଥିଲା । ଯେଉଁ କାରଣରୁ ତା’ର ମୃତ୍ୟୁ ଘଟିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେବେ ବିନିର ମୃତ୍ୟୁ ପରେ ନନ୍ଦନକାନନରେ ଏହି ବିରଳ ପ୍ରଜାତିର ଜୀବ ପ୍ରାୟ ନିଶ୍ଚିହ୍ନ ହୋଇଯାଇଛି ।