Odia News Portal

ବିଜେପୁରବାସୀଙ୍କ ପାଇଁ ନବୀନଙ୍କ ବଡ଼ ଉପହାର, ଆସନ୍ତୁ ଜାଣିବା …

ଭୁବନେଶ୍ବର : ବିଜେପୁରର ଉତ୍ତର ଦାୟିତ୍ବ ନେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାର ଏହି ରାଜନୈତିକ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ପାଇଁ ଆଜି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । କଚ୍ଚା ଘରକୁ ପକ୍କା କରିବା ସହ ମେଗା ପାନୀୟ ଜଳ ପ୍ରକଳ୍ପ, ନୂଆ ଉଠାଜଳସେଚନ ପ୍ରକଳ୍ପ, ଭିତ୍ତିଭୂମୀ ବିକାଶ, ବିଦ୍ୟୁତ ସଂଯୋଗ ବ୍ୟବସ୍ଥାର ସୁଦୃଢିକରଣ ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଛି । ଏଥିସହିତ ମୁଖ୍ୟମନ୍ତ୍ରୀ ବିଜେପୁରର ଏହି ବିକାଶ କାର‌୍ୟ୍ୟକୁ ପ୍ରତି ଦୁଇ ମାସରେ ଥରେ ସମୀକ୍ଷା କରିବେ ।
ବିଜେପୁରରେ ପ୍ରାୟ ୩୪ ହଜାର କଚ୍ଚା ଘରକୁ ପକା କରାଯିବ । ବରଗଡ ଜିଲ୍ଲାର ୮ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ୧୧୨ କୋଟି ଟଙ୍କା ବ୍ୟୟ ଅଟକଳରେ ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯିବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଜେପୁରର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ । ଏଥିସହିତ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧିନରେ ୪୮ କୋଟି ଟଙ୍କା ବିନିମୟରେ ଗାଇସିଲେଟ ବ୍ଲକର ବୋରମୁଣ୍ଡା ପଂଚାୟତରେ ଆଉ ଏକ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ । ଏଥିପାଇଁ ଅଙ୍ଗ ନଦୀରୁ ଜଳ ସଂଗ୍ରହ କରାଯିବ । ଏହାଦ୍ବାରା ପ୍ରାୟ ୩ହଜାର ଏକର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।
ବିଜେପୁର ନିର୍ବାଚନମଣ୍ଡଳୀରେ ପ୍ରାୟ ୨୯ଟି ପୋଖରୀ ଭିତ୍ତିକ ଉଠାଜଳସେଚନ ଏବଂ ୩୦୦୦ ଗଭୀର ବୋରୱେଲ ପ୍ରକଳ୍ପ ନିର୍ମାଣ କରାଯିବ । ବିଜେପୁର ଓ ବରପାଲି ଏନଏସିରେ ପାନୀୟ ଜଳ ଠାରୁ ଆରମ୍ଭ କରି ଷ୍ଟ୍ରିଟ ଲାଇଟ, ରାସ୍ତା, ଷ୍ଟାଡିୟମ, ଡ୍ରେନେଜ, ଟାଉନ ହଲ, କମ୍ୟୁନିଟି ସେଣ୍ଟର, କଲ୍ୟାଣମଣ୍ଡପ, ପାର୍କ ଓ ଅଫିସ ବିଲ୍ଡିଂର ଭିତ୍ତିଭୂମୀ ବିକାଶ କରାଯିବ । ଏଥିପାଇଁ ଦୁଇ ବର୍ଷରେ ୪୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବିଜେପୁରର ଚାଷୀଙ୍କୁ ଉଚ୍ଚମାନର ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ସ୍ବତନ୍ତ୍ର କୃଷି ଫିଡର ନିର୍ମାଣ କରାଯିବ । ଏଥିପାଇଁ ୬୦ କିଲୋମିଟରର ୩୩ କେଭି ବିଦ୍ୟୁତ ଲାଇନ ଓ ୧୨୫ କିଲୋମିଟରର ୧୧ କେଭି ବିଦ୍ୟୁତ ଲାଇନ ନିର୍ମାଣ କରାଯିବ । ଏଥିହିତ ଭୋଲଟେଜ ସମସ୍ୟାର ସମାଧାନ ପାଇଁ ୫୦ଟି ନୂଆ ଟ୍ରାନ୍ସଫରମର ପ୍ରତିଷ୍ଠା କରାଯିବ । ଗାଇସିଲେଟ ତହସିଲ ଅନ୍ତର୍ଗତ ଗୁଡେରପାଲ୍ଲୀ, ତଳପାଲ୍ଲୀ ଓ ଡାଙ୍ଗବାହାଲରେ ତିନୋଟି ନୂଆ ଆର.ଆଇ ସର୍କଲ ନିର୍ମାଣ କରାଯିବ । ଏଥିସହିତ ବିଜେପୁର ବ୍ଲକର ତାଳପଦର ଠାରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହାଭିନ୍ନ ବର୍ତ୍ତମାନର ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି କରି ସ୍ବାସ୍ଥ୍ୟ ସେବାରେ ରହିଥିବା ଅଭାବକୁ ପୂରଣ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବିଜେପୁରରେ ଏକ ସରକାରୀ ଆଇଟିଆଇ ଏବଂ ଗାଇସିଲେଟ ଓ ବରପାଲୀରେ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ୮୨ କୋଟି ଟଙ୍କା ବ୍ୟୟ ଅଟକଳରେ ୮୦ କିଲୋମିଟର ଲମ୍ବର ନୂଆ ରାସ୍ତା ଓ ଗୋଟିଏ ବ୍ରିଜ ନିର୍ମାଣ କରାଯିବ । ଏହି ପ୍ୟାକେଜର କାର‌୍ୟ୍ୟାକାରିତାକୁ ମୁଖ୍ୟମନ୍ତ୍ରୀ ପ୍ରତି ଦୁଇମାସରେ ସମୀକ୍ଷା କରିବେ । ଖୁବଶୀଘ୍ର ବିଜେପୁର ପାଇଁ ସ୍ବତନ୍ତ୍ର ଜୀବନଜୀବିକା ପ୍ୟାକେଜ ମଧ୍ୟ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।