Odia News Portal

ପୋଲିସ ଏତଲା ବଦଳାଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତକୁ କରିଛି ସାହାଯ୍ୟ : ପୀଡିତା

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ତେଲିପାଳ ଆଶ୍ରମରେ କ୍ୟାରେଣ୍ଟାଇନ ସେଣ୍ଟରରହୁଥିବା ଜଣେ ଯୁବତୀକୁ ବାହାରୁ ଅବାଧରେ ପ୍ରବେଶ କରି ବାଥରୁମ ଭିତରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ନୂଆ ମୋଡ଼ ନେଇଛି। ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତେ ଏତଲା ବଦଳାଇ କୋହଳ ଦଫା ଲଗାଇ ତଦନ୍ତକାରୀ ପୋଲିସ ଅଧିକାରୀ ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ପୀଡିତା ।

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ତେଲିପାଳ ଆଶ୍ରମରେ ହୋଇଥିବା କ୍ୟାରେଣ୍ଟନ ସେଣ୍ଟରେ ଗତ ୨୬ ତାରିଖରେ ଘଟିଥିଲା ଅଭାବନୀୟ ଘଟଣା।ଏହି ସେଣ୍ଟରରେ ୪ ଜଣ ଯୁବତୀ କୁ ମିଶାଇ ୭୭ ଜଣ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ଗୋହିରା ଅଂଚଳର ରତ୍ନାକର ଜେନା ନିଶାସକ୍ତ ଅବସ୍ଥାରେ ସେଣ୍ଟରକୁ ଅବାଧରେ ପ୍ରବେଶ କରି ଜଣେ ଯୁବତୀ ଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବାର ଅଭିଯୋଗ ଉଠିଥିଲା।ଯୁବତୀ ଜଣକ ପାଟି କରିବାରୁ ତାଂକ ୩ ଜଣ ସହଯୋଗୀ ଦୌଡ଼ି ଆସିବାରୁ ରତ୍ନାକର କୁ ଏକ ଗଛରେ ବାନ୍ଧି ନିର୍ଧୁମ ଛେଚିଥିଲେ। ଜଗୁଆଳି ପ୍ରତାପ ଚନ୍ଦ୍ର ବାରିକ ଙ୍କ ସହ ମୁଖ୍ୟ ଅଭିଯୁକ୍ତ ରତ୍ନକାର ଙ୍କ ବିରୁଦ୍ଧରେ ବରମପୁର ଥାନାରେ ପିଡିତା ଲିଖିତ ଅଭିଯୋଗ କରିବା ପରେ ଥାନାର ଏଏସଆଇ ଚିତ୍ତରଞ୍ଜନ ମିଶ୍ର ପହଂଚି ତଦନ୍ତ କରି ଧାରା ୧୮୮,୩୪୧,୨୯୪,୩୫୪ (ଏ),୫୦୯ ରେ ୩୯ ନମ୍ବର ମାମଲା ରୁଜୁକରି ଥିଲେ।

ଅଭିଯୁକ୍ତଙ୍କୁ ପରଦିନ କୋର୍ଟ ଚାଲାଣ ପରେ ଜାମିନ ମିଳିବାରୁ ଅସଲ ଘଟଣା ପଦାକୁ ଆସିଥିଲା।ପୀଡିତା ଜଣକ ପ୍ରଥମେ ଇଂରାଜୀରେ ଏତଲା ଲେଖି ଠିକଣା ଠିକ ନଥିବା କହି ତାଙ୍କୁ ତଦନ୍ତ କାରୀ ଅଧିକାରୀ ମିଶ୍ର ଏତଲା ଡାକି ଥିଲେ । ପୁଣି ସେ ଏତଲା ଗ୍ରହଣୀୟ ନୁହଁ କହି ପୁଣି ଆଉଗୋଟିଏ ଡାକିବାରୁ ନିଜକୁ ଅସହାୟ ମଣି ପୀଡିତା ଜଣକ ପୋଲିସ ଅଧିକାରୀ ଙ୍କୁ ବିଶ୍ୱାସ କରି ଏତଲା ଲେଖୁଥିଲେ । ଅଭିଯୁକ୍ତ ଜଣକ ସ୍ପଷ୍ଟ ଦିବାଲୋକରେ ଘୁରୁ ବୁଲି ପୀଡିତା ଙ୍କୁ ଧମକଦେଉଥିବା ଅଭିଯୋଗ ହୋଇଛି ।

ଦଫା କୋହଳ କରି ଅଭିଯୁକ୍ତକୁ ସହଯୋଗ କରିବା ସହ ଅନ୍ୟତମ ଅଭିଯୁକ୍ତ ଜଗୁଆଳି ଜଣକୁ ଗିରଫ କରୁନଥିବା କହିଛନ୍ତି ।୧୪୪ ଧାରା ଜାରି ପରେ କିପରି ସେଣ୍ଟର ଭିତରେ ରହି ନିଜର ଇଜ୍ଜତକୁ ହରାଇବା ପରେ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଆଜି ନୀଳଗିରି ସବଡିଭିଜନାଲ ବାର ଏସୋସିଏସନ ସଭାପତି ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀଙ୍କ ସହଯୋଗ ରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର ଦୁଃଖ ବଖାଣି ସରକାର ଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।

ସେପଟେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ ଏହି ଘଟଣା ପାଇଁ ପୋଲିସ ବିଭାଗକୁ ସମ୍ପୂର୍ଣ୍ଣ ଦାୟୀ ବୋଲି କହିଛନ୍ତି । କିପରି ଅଭିଯୁକ୍ତ ଶୀଘ୍ର ଜାମିନ ପାଇବ ଏନେଇ ତଦନ୍ତ କାରୀ ଅଫିସର ନିଜର ପଦବୀକୁ ଅପ ବ୍ୟବହାର କରି ଦଫା କୋହଳ କରିଥିବା ସେ ଅଭିଯୋଗ ଉଠାଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିକରିଛନ୍ତି।

ଘଟଣାକୁ ନେଇ ବରମପୁର ର ତଦନ୍ତକାରୀ ଅଧିକାରୀ ଚିତ୍ତରଞ୍ଜନ ମିଶ୍ରଙ୍କ ମତାମତ ନେବାପରେ ପୂର୍ବ ଏତଲାରେ ଠିକଣା ଭୁଲ ଥିବାରୁ ଆଉଗୋଟିଏ ଲେଖିବାକୁ କହିଥିଲି। ତେବେ ଦଫା ଆଇନ ମୁତାବକ ଲଗାଯାଇଥିବା କହିଛନ୍ତି । ସେପଟେ ବରମପୁର ଥାନାଧିକାରୀଙ୍କୁ ଘଟଣା ବିଷୟରେ ଦୃଷ୍ଟିଆକର୍ଷଣ ପରେ ସେ ସେଦିନ ଅନ୍ୟ କାମରେ ଥିଲେ କଣ ହୋଇଛି ଜାଣିନି ବୋଲି ସଫେଇ ଦେଇଛନ୍ତି ।

ସରକାର ନାରୀଙ୍କୁ ସମ୍ମାନ ଦେବା ନାରା ଦେଉଥିବାବେଳେ ଏଭଳି ଏକ ସମ୍ବେଦନ ଶୀଳ ଘଟଣା ଅଂଚଳରେ ବିସ୍ଫୋରକ ପରିସ୍ଥିତି ଘଟିବା ପୂର୍ବରୁ ଏସପି ସ୍ୱତନ୍ତ୍ର ଦୃଷ୍ଟି ଦେଇ ତଦନ୍ତ କରିବା ଜରୁରୀ ବୋଲି ଦାବି ହୋଇଛି ।