Odia News Portal

ଜନ୍ମକଲା ମାଆକୁ ମାରିଦେଲା କୁଳାଙ୍ଗାର ପୁଅ

ଭଦ୍ରକ : ଜନ୍ମକଲା ମାଆକୁ ମାରିଦେଲା କୁଳାଙ୍ଗାର ପୁଅ। ଦଶ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ମାଆକୁ ମାରିଦେଲା ନୃଶଂସ ପୁଅ। କୁହାଯାଏ ମାଆର ସ୍ଥାନ ଅପୂରଣୀୟ। ଦୁନିଆରେ ଯେତେ ମୂଲ୍ୟ ଦେଲେ ବି ମାଆର ସ୍ଥାନକୁ ପୂରଣ କରାଯାଇପାରିବନାହିଁ। କିନ୍ତୁ ଏହି କଳିଯୁଗର ପୁଅ ବୁଝିଲାନି ମାଆର ମୂଲ।

ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ତାଙ୍କ ସାନ ପୁଅ କରିଛି ନିର୍ମମ ଭାବେ ହତ୍ୟା। ସୂଚନା ଅନୁଯାୟୀ ପୁଅ ନିରଞ୍ଜନ ବେଙ୍ଗାଲୁରୁର ଏକ ଘରୋଈ କମ୍ପାନୀରେ କାମ କରେ। କିଛି ଦିନ ପୂର୍ବରୁ ଲକଡାଉନରେ ଆସିଥିଲା ଘରକୁ। କିନ୍ତୁ ଘରକୁ ଆସିବା ପରେ କୌଣସି କାରଣ ପାଇଁ ମା-ପୁଅଙ୍କ ମଧ୍ୟରେ ହୋଇଥିଲା ଝଗଡା।

ଏହାପରେ ଗତ ୨୮ ତାରିଖ ଦିନ ପୁଅ ନିରଞ୍ଜନ ମାଆଙ୍କୁ ଧରି ମାମୁଁ ଘରକୁ ଯାଉଥିଲେ। ହେଲେ ରାସ୍ତାରେ ମାଆ-ପୁଅଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏହି ପାଟିତୁଣ୍ଡ ଏତେ ଭୟଙ୍କର ରୂପ ନେଇଥିଲା ଯେ ଏଥିରେ ଉତ୍ୟକ୍ତ ହୋଇ ପୁଅ ନିରଞ୍ଜନ ଶାଢ଼ିରେ ମାଆଙ୍କ ବେକକୁ ଚିପି ଦେଇଥିଲା। କେବଳ ଏତିକିରେ ସରିନଥିଲା ପୁଅର ରାଗ, ଏକ ଶକ୍ତ ବାଡିରେ ମାଆର ମୁଣ୍ଡକୁ ପିଟିଥିଲା। ଏହା ନାରକୀୟ କାଣ୍ଡ ଘଟଣାଇ ପୁଅ ଆସିଯାଇଥିଲା ଘରକୁ।

ତେବେ ଘରେ ପୁଅକୁ ଦେଖି ବାପା ଯେତେବେଳେ ମା’ କଥା ପଚାରିଥିଲେ ତେବେ ପୁଅ କହିଲା ମା ମାମୁଁ ଘରେ ଅଛି। କିନ୍ତୁ ପରେ ଯୋଗାଯୋଗ ପରେ ଜଣାପଡିଲା ମାଆ ସେଠାରେ ପହଁଚି ହିଁ ନାହାନ୍ତି। ତେବେ ଗତକାଲି ଏକ ବିଲରୁ ମାଆଙ୍କର ରକ୍ତ ଜୁଡୁବୁଡୁ ମୁତଦେହକୁ ଉଦ୍ଧାର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ପୁଅ ନାଁରେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି।