Odia News Portal

ଆସୁଛି ମୌସୁମୀ : ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ପଥ ପରିଷ୍କାର । ଆସୁଛି ମୌସୁମୀ । ଆଜି ଠାରୁ ପ୍ରାକ୍‌ ମୌସୁମୀ ବର୍ଷା ବଢ଼ିପାରେ। ତେବେ ୧୦ ତାରିଖବେଳକୁ ରାଜ୍ୟରେ ବର୍ଷା ବଢ଼ିବ । ଉପକୂଳ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। କେତେକ ଜାଗାରେ ପ୍ରବଳ ବର୍ଷା ହେବ । ଏହା ହିଁ ମୌସୁମୀକୁ ଟାଣି ଆଣିବ । ଆସନ୍ତା ୧୦ରୁ ୧୨ ତାରିଖ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭରସିଟିର ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ମୌସୁମୀ ଆସିବା ପାଇଁ ପାଣିପାଗ ପୂରା ଅନୁକୂଳ ହେବାରେ ଲାଗିଛି । ଏବେ ରାଜ୍ୟରେ ପ୍ରତିଦିନ ପ୍ରାକ୍‌ ମୌସୁମୀ ବର୍ଷା ହେବ । ଆସନ୍ତା ୮ ତାରିଖରେ ବଙ୍ଗୋପସାଗରରେ ଯେଉଁ ଲଘୁଚାପ ସୃଷ୍ଟି ହେବ, ତାହା ୧୦ ତାରିଖବେଳକୁ ଓଡ଼ିଶା ଉପକୂଳ ପାଖରେ ଥିବ । ୧୦ ଓ ୧୧ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଉପକୂଳ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା କରାଇବ । ତେବେ ୧୦ କିମ୍ବା ୧୧ ତାରିଖରେ ମୌସୁମୀ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ଅଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୦ ତାରିଖବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ବିଶେଷ ଘନୀଭୂତ ହେବନି । ୧୨ରେ ଓଡ଼ିଶା ପାଖକୁ ଆସିବ । ଆସନ୍ତା ୧୦ ଓ ୧୧ରେ ପୁରୀର ଦକ୍ଷିଣରେ ଉପକୂଳ ଅଞ୍ଚଳରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ । ୧୧ ତାରିଖ ରାତିରେ ପୁରୀଠାରୁ ଭଦ୍ରକ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ । ସର୍ବାଧିକ ୫୫ ମିଲିମିଟର ବର୍ଷା ହୋଇପାରେ । ୧୨ରେ ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା ଅଛି । ରଜବେଳକୁ ରାଜ୍ୟରେ ମେଘୁଆ ପାଗ ଥିବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ କହିଛନ୍ତି, ଜୁନ୍‌ ୮ ତାରିଖ ସନ୍ଧ୍ୟା ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଓଡ଼ିଶାରେ ୧୦ରୁ ବର୍ଷା ବଢ଼ିବ ।

ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ତ୍ତମାନ ଆଗକୁ ବଢ଼ୁଛି । ଆସନ୍ତା ୨-୩ ଦିନ ଭିତରେ ଏହା ଉତ୍ତର ପୂର୍ବ ରାଜ୍ୟର କିଛି ଅଞ୍ଚଳ ଓ କେନ୍ଦ୍ରୀୟ ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ପ୍ରବେଶ କରିବ । ପାଣିପାଗ ବିଭାଗ କହିଛି, ୧୦ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ ।

ପାଣିପାଗ ସଂସ୍ଥା ‘ସ୍କାଏମେଟ୍‌’ର ପୂର୍ବାନୁମାନ ହେଲା, ସମ୍ଭାବ୍ୟ ଲଘୁଚାପ ଓଡ଼ିଶା ଉପକୂଳ ପାଖକୁ ଆସିବ । ଏହା ଓଡ଼ିଶାକୁ ବର୍ଷା ଆଣିବା ସହ ମୌସୁମୀକୁ ଟାଣି ଆଣିବ । ଜୁନ୍‌ ୧୧ରୁ ୧୨ ମଧ୍ୟରେ ମୌସୁମୀ ଓଡ଼ିଶାରେ ପହଞ୍ଚିବା ସମ୍ଭାବନା ଅଛି ।