Odia News Portal

ସୁନ୍ଦରଗଡ଼ ପାଇଁ ଗର୍ବ ଆଣିଲେ ଅର୍ଚ୍ଚନା

ଭୁବନେଶ୍ଵର  : ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଲକ ଅନ୍ତର୍ଗତ ବାଲିପୋଷ ମାଟିର ଝିଅ ତଥା କୁତ୍ରା ନିକଟସ୍ଥ ବିହାବନ୍ଧ ଗ୍ରାମରେ ନିଜର ଶୈଶବ ଅତିବାହିତ କରିଥିବା ଅର୍ଚ୍ଚନା ସୋରେଙ୍ଗ ୟୁନାଇଟେଡ ନେସନର ସେକ୍ରେଟାରୀ ଜେନେରାଲଙ୍କ ଜଳବାୟୁ ପରିବର୍ତ୍ତନର ଯୁବ ପରାମର୍ଶ ଦଳରେ ସ୍ଥାନ ପାଇଛନ୍ତି । ଅର୍ଚ୍ଚନା ସୁନ୍ଦରଗଡ଼ ଜିଲ୍ଲା ସମେତ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ।

ସଂଯୁକ୍ତ ରାଷ୍ଟ୍ରର ସେକ୍ରେଟାରୀ ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ୧୮ରୁ ୨୮ ବର୍ଷ ବୟସର ୭ ଜଣ ଯୁବ ପରାମର୍ଶଦାତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏଥିରେ ଜଳବାୟୁ ପରିବର୍ତ୍ତନର ପରାମର୍ଶଦାତା ଭାବେ ଅର୍ଚ୍ଚନା ସ୍ଥାନ ପାଇଛନ୍ତି । ସମଗ୍ର ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଦଳରେ ୭ ଜଣ ଯୁବ ପରାମର୍ଶଦାତା ନିଯୁକ୍ତି ପାଇଥିବା ବେଳେ ଭାରତରୁ ଏକ ମାତ୍ର ଅର୍ଚ୍ଚନା ସ୍ଥାନ ପାଇଛନ୍ତି । ବର୍ତ୍ତମାନ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନକୁ ନେଇ ସମଗ୍ର ବିଶ୍ୱ ଏକ ସଂକଟ ଜନକ ସ୍ଥିତି ମଧ୍ୟରେ ଗତି କରି ଚାଲିଥିବା ବେଳେ ଏଥିପାଇଁ କାର୍ଯ୍ୟ କରୁଥିବା ୟୁନାଇଟେଡ ନେସନର ଏହି ପଦବୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

କୁତ୍ରା ନିକଟସ୍ଥ ବିହାବନ୍ଧରେ ରହି ଆସୁଥିବା ଅର୍ଚ୍ଚନା କୁତ୍ରା ନିକଟସ୍ଥ କୁସୁମଟୋଲିରେ ଥିବା ସେଣ୍ଟଜନ ମେରୀ ଭେନୀ ବିଦ୍ୟାଳୟରେ ୨୦୦୧ରୁ ୨୦୧୧ ପର୍ଯ୍ୟନ୍ତ ପ୍ରାରମ୍ଭିକ ପାଠ ପଢ଼ି ଦଶମ ଶ୍ରେଣୀ ପାସ୍‌ କରିଥିଲେ । ପରେ ପରେ ହମିରପୁର ସ୍ଥିତ କାର୍ମେଲ ସ୍କୁଲରୁ ଯୁକ୍ତ ଦୁଇ ପାସ କରିବା ପରେ ବିହାରର ପାଟନା ମହିଳା ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ଲାଭ କରିଥିଲେ । ଏହା ପରେ ମୁମ୍ବାଇ ସ୍ଥିତ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ସୋସିଆଲ ସାଇନ୍ସେସ୍‌ (ଟିସ୍‌)ରୁ ରେଗୁଲେଟେରୀ ଗଭର୍ଣ୍ଣାନ୍ସ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଟିସ୍‌ରେ ପାଠ ପଢ଼ିବା ସମୟରେ ସେଠାରେ ଛାତ୍ର ସଂସଦର ସଭାପତି ଭାବେ ସେ ମନୋନୀତ ହୋଇଥିଲେ । ସମଗ୍ର ଛାତ୍ର ଜୀବନରେ ସେ ଜଣେ ମେଧାବୀ, ସ୍ନେହୀ, ପରୋପକାରୀ ସର୍ବ ଦକ୍ଷତା ସମ୍ପୂର୍ଣ୍ଣ ଅଗ୍ରଣୀ ଛାତ୍ରୀ ଭାବେ ଖ୍ୟାତି ଅର୍ଜନ କରି ପାରିଥିଲେ । ବର୍ତ୍ତମାନ ସେ ସୁନ୍ଦରଗଡ଼ର ବସୁନ୍ଧରା ଠାରେ ରିସର୍ଚ୍ଚ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ।