Odia News Portal

ବିରିୟାନି ପାଇଁ ମହାଭାରତ: ଦୁଇ ପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୮ ଗୁରୁତର

ଭଦ୍ରକ :  ଗାଁ ଦୋକାନରେ ବିରିୟାନି ଖାଇବାକୁ କେନ୍ଦ୍ର କରି ଦୁଇ ପକ୍ଷ ଗଣ୍ଡଗୋଳ ହୋଇଛନ୍ତି । ଫଳରେ ଉଭୟ ପକ୍ଷରୁ ୮ ଆହତ ହୋଇଥିବା ବେଳେ ୫ ବାଇକ ଭାଙ୍ଗିଛି । ଏହି ଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା  ଜଗନ୍ନାଥସାହି ଗ୍ରାମରେ ଘଟିଛି । ଗାଁ ରେ ଥିବା ଏକ ଦୋକାନରେ ବିରିୟାନି ଖାଇବାକୁ କେନ୍ଦ୍ରକରି ଦୁଇପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ସନ୍ଧ୍ୟାରେ ସେହି ଗଣ୍ଡଗୋଳର ସମାଧାନ ପାଇଁ ବୈଠକ ବସିଥିବା ବେଳେ ଦୁଇ ଗୋଷ୍ଟି ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି । ଏଥିରେ ଉଭୟ ପକ୍ଷରୁ ୮ ଜଣ  ଆହତ ହୋଇଛନ୍ତି ।

ଗଣ୍ଡଗୋଳ ବେଳେ ଉଭୟ ପକ୍ଷ  ୫ ଟି ମୋଟର ସାଇକେଲ ଭଙ୍ଗାରୁଜା କରିବା ସହ ଘର ମଧ୍ୟ ଭଙ୍ଗାରୁଜା ହୋଇଛି । ଘଟଣା ସ୍ଥଳରେ ଉଭୟ ପକ୍ଷଙ୍କ ଇଟା ପଥର, ବାଡ଼ିରେ ପିଟାବାଦ ଯୋଗୁ ବହୁ ଆହତ ହୋଇଥିବା ସୂଚନା ମିଳିଛି ।  ଖବର ପାଇ ଧୂଷୁରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ତେବେ ଗ୍ରାମରେ ଚାପା ଉତେଜନା ଲାଗି ରହିଛି । ସୂଚନା ଅନୁସାରେ ଗ୍ରାମରେ ଏକ ଉଠା ଦୋକାନରେ ବିରିୟାନି ବିକ୍ରି କରାଯାଉଥିବା ବେଳେ ପ୍ରତିପକ୍ଷ  ଦୋକାନକୁ ଆସି ଗଣ୍ଡଗୋଳ କରିଥିଲେ । ଯାହାର ଶେଷ ପରିଣତି ଉଭୟ ପକ୍ଷର ଏପରି ଗଣ୍ଡଗୋଳ ହୋଇ ତାହା ଉଗ୍ର ରୂପ ନେଇଥିଲା । ଆହତ ମାନେ ୱେବବ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି ।