Odia News Portal

ଆଉ ୨ ସପ୍ତାହ ପରେ ବଜାରରେ ମିଳିବ ଋଷର କରୋନା ଭ୍ୟାକ୍‌ସିନ୍‌

ଆଉ ଦୁଇ ସପ୍ତାହ ପରେ ବଜାରକୁ ଆସିଯିବ କରୋନା ଭ୍ୟାକ୍‌ସିନ୍‌ । ବିଶ୍ୱର ପ୍ରଥମ କରୋନା ଭ୍ୟାକ୍‌ସିନ୍‌ ଋଷରୂ ଆସିଯିବ । ଏମିତି କହିଛି ମସ୍କୋ ଗାମାଲେୟା ମହାମାରୀ ସଂସ୍ଥାନ କେନ୍ଦ୍ର । ଅଗଷ୍ଟ ୧୦ ତାରିଖରେ ଋଷ ବିଶ୍ୱର ପ୍ରଥମ କରୋନା ଭ୍ୟାକ୍‌ସିନ୍‌କୁ ମଞ୍ଜୁରି ଦେବ । ଏହାର ୨/୪ ଦିନ ପରେ ପ୍ରାୟ ୧୨ କିମ୍ବା ୧୪ ତାରିଖକୁ ଭ୍ୟାକ୍‌ସିନ୍‌ ବଜାରରେ ଉପଲବ୍ଧ ହେବ ବୋଲି ଋଷ ପକ୍ଷରୁ କୁହାଯାଇଛି ।

ସାରା ବିଶ୍ୱରେ କରୋନା ଭ୍ୟାକ୍‌ସିନ୍‌ ପ୍ରସ୍ତୁତି ଚାଲିଥିବା ବେଳେ ଋଷରୁ ମିଳିଛି ଏକ ଭଲ ଖବର । ଅଗଷ୍ଟ ୧୦ ତାରିଖରେ ଋଷ କରୋନା ଭ୍ୟାକ୍‌ସିନ୍‌ର ମଞ୍ଜୁରି ଦେବ । ତେଣୁ ଅଗଷ୍ଟ ୧୨ରୁ ୧୪ ତାରିଖ ମଧ୍ୟରେ ବଜାରକୁ କରୋନା ଭ୍ୟାକ୍‌ସିନ୍‌ ଆସିଯିବ ବୋଲି ଋଷ ପ୍ରକାଶ କରିଛି । ସୋଭିଏତ ସଂଘ ବିଶ୍ୱର ପ୍ରଥମ ଉପଗ୍ରହ ୧୯୫୭ରେ ପ୍ରକ୍ଷେପଣ କରିଥିଲା ।

ସେତେବେଳେ ବି ଆମେରିକା ଭଳି ବଡ଼ ବଡ଼ ଦେଶ ମଧ୍ୟ ଚକିତ ହୋଇଯାଇଥିଲେ । ଏବେ ବି କରୋନା ଭ୍ୟାକ୍‌ସିନ୍‌କୁ ନେଇ ଋଷ ସେପରି ଏକ ଖବର ବିଶ୍ୱକୁ ଦେବାକୁ ଯାଉଛି ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।

ଏହି ଭ୍ୟାକ୍‌ସିନ୍‌ ସାଧାରଣ ଲୋକଙ୍କୁ ଦେବା ପୂର୍ବରୁ ପ୍ରଥମେ ହେଲ୍ଥ ଓ୍ଵାର୍କରଙ୍କ ଉପରେ ପ୍ରୟୋଗ କରାଯିବ । ଏହା ପରେ ସାଧାରଣ ଲୋକଙ୍କୁ ଦିଆଯିବ ବୋଲି ଋଷର ଗବେଷକମାନେ ପ୍ରକାଶ କରିଛନ୍ତି । ପ୍ରୋଜେକ୍ଟ ନିର୍ଦ୍ଦେଶକ ଏଲେକ୍‌ଜଣ୍ଡର ଗିନ୍ସବର୍ଗ ପ୍ରଥମେ ନିଜ ଉପରେ ଏହି ଭ୍ୟାକ୍‌ସିନ୍‌କୁ ପ୍ରୟୋଗ କରିଥିଲେ ବୋଲି ପ୍ରକାଶ କରିଛନ୍ତି

ପ୍ରକାଶଯୋଗ୍ୟ ଯେ ଅକ୍ସଫୋର୍ଡ ୟୁନିଭରସିଟି ଭାରତ ସହଯୋଗରେ ପ୍ରଥମେ ଭ୍ୟାକ୍‌ସିନ୍‌ ବଜାରକୁ ଛାଡିବ ବୋଲି ପ୍ରକାଶ କରିଥିଲା । ହେଲେ ଏହା ଆହୁରି କିଛି ଦିନ ସମୟ ନେଇପାରେ ବୋଲି ଜଣାପଡ଼ିଛି । ଋଷ ଭ୍ୟାକ୍‌ସିନ ଯଦି ଆଉ ଦୁଇ ସପ୍ତାହ ପରେ ବଜାରକୁ ଆସେ ତେବେ ଏହା ହେବ ବିଶ୍ୱର ପ୍ରଥମ ଭ୍ୟାକ୍‌ସିନ୍‌ ।