Odia News Portal

ଆଦୌ ଓଡ଼ିଆ ଜାଣିନଥିବା ଅଧିକାରୀଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ

ଭୁବନେଶ୍ୱର : କରୋନା ମହାମାରୀ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ଦେଶରେ ସର୍ବାଧିକ ଦର୍ଶକ ଦେଖୁଥିବା ଦୂରଦର୍ଶରେ ପ୍ରସାରିତ ଏକ କାର୍ଯ୍ୟକ୍ରମକୁ ନେଇ ଏବେ ଆଲୋଚନା । ଓଡିଶାବାସୀଙ୍କୁ କୋଭିଡ କାଳରେ ସଚେତନ ପାଇଁ ହେଉଥିବା ଆଲୋଚନା କାର୍ଯ୍ୟକ୍ରମରେ ଆଦୌ ଓଡିଆ ଜାଣିନଥିବା ବ୍ୟକ୍ତିଙ୍କୁ ବସାଇବା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପକ୍ଷରୁ ଗତ ୯ତାରିଖ ଦିନ ‘କୋଭିଡ-୧୯ : ସମସ୍ୟା ଓ ସମାଧାନ’ ନାମରେ ଆଲୋଚନା ଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ କରୋନା ସମୟରେ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ର ପ୍ରଭାବ ପିଲାଙ୍କ ଉପରେ କିଭଳି ପଡୁଛି ଓ ଅଭିଭାବକମାନେ କିଭଳି ଏହାର ସମାଧାନ କରିବେ ସେ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ଆଲୋଚନାର ପ୍ରାୟୋଜକ ଥିଲା ୟୁନିସେଫ୍‍ । ଆଲୋଚନା ପାଇଁ ଆଙ୍କରଙ୍କ ସହିତ ଥିବା ତିନି ଜଣଙ୍କ ଅତିଥିଙ୍କ ମଧ୍ୟରେ ଜଣେ ଥିଲେ ଅଣଓଡିଆ ମହିଳା ଅଧିକାରୀ । ସେ ୟୁନିସେଫ୍‍ର କର୍ମର୍ତ୍ତା ହୋଇଥିବାବେଳେ କାର୍ଯ୍ୟକ୍ରମରେ ଓଡିଆ କହିପାରୁନଥିଲେ ବି ବୁଝିପାରୁ ନଥିଲେ । ଅବଶ୍ୟ ଅନ୍ୟ ଦୁଇଜଣ ଭଲ ଆଲୋଚନା କରିଥିଲେ ।

ଏଭଳି ଏକ ଉଚ୍ଚକୋଟୀର କାର୍ଯ୍ୟକ୍ରମରେ ଆଦୌ ଓଡିଆ ଜାଣିନଥିବା ଅଧିକାରୀଙ୍କୁ ବସାଇବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାର୍ଯ୍ୟକ୍ରମ ସଞ୍ଚାଳନ କରୁଥିବା ବ୍ୟକ୍ତି ଜଣଙ୍କ ସମ୍ପୃକ୍ତ କର୍ମଚାରୀଙ୍କୁ ହିନ୍ଦୀରେ ପ୍ରଶ୍ନ ପଚାରୁଥିବାବେଳେ ମହିଳା ଅଧିକାରୀ ଜଣଙ୍କ ବି ହିନ୍ଦୀ ଭାଷାରେ ତାଙ୍କର ଉତ୍ତର ରଖୁଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଓଡିଆ ଭାଷାରେ ପ୍ରସାରିତ କାର୍ଯ୍ୟକ୍ରମ ପାଇଁ କ’ଣ ଭୁବନେଶ୍ୱର ଦୂରଦର୍ଶନ କର୍ତ୍ତୃପକ୍ଷଙ୍କୁ ୟୁନିସେଫ୍‍ର ଓଡିଆ ଅଧିକାରୀ ମିଳୁନାହାନ୍ତି ନା ଏହାର ଅନ୍ୟ କୌଣସି କାରଣ ଅଛି । କାରଣ ୟୁନିସେଫ୍‍ରେ ଏକାଧିକ ଓଡିଆ ଅଧିକାରୀ ଥିବାବେଳେ ସେମାନେ ଭଲ ପରାମର୍ଶ ଦେଇପାରିଥାନ୍ତେ ।

ଯେକୌଣସି ଟିଭି ଚ୍ୟାନେଲ ତୁଳନାରେ ଦୂରଦର୍ଶନରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମର ମାନ ଉଚ୍ଚକୋଟୀର ହୋଇଥିବାରୁ ଦର୍ଶକେ ଏହାକୁ ପସନ୍ଦ କରିଥାନ୍ତି । ଦୂରଦର୍ଶନକେନ୍ଦ୍ରରେ ବହୁ ଅଭିଜ୍ଞ ପ୍ରଡ୍ୟୁସର ଥିବାରୁ ଉଚ୍ଚକୋଟୀର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥାଏ । ହେଲେ ଆଦୌ ଓଡିଶାବାସୀ ବିଶେଷକରି ଶିଶୁଙ୍କ ସଂକ୍ରାନ୍ତରେ ପ୍ରସ୍ତୁତ କାର୍ଯ୍ୟକ୍ରମରେ ଆଦୌ ଓଡିଆ ଜାଣିନଥିବା ବ୍ୟକ୍ତିଙ୍କୁ କିଭଳି ଆଣି ବସାଯାଉଛି ସେଥିନେଇ ଏବେ ସାଧାରଣରେ ଆଲୋଚନା । ନାମ ଗୋପନ ସର୍ତ୍ତରେ ଦୂରଦର୍ଶନର ଜଣେ କର୍ମଚାରୀ କହିଛନ୍ତି ଯେ କେବଳ ଏହି ଗୋଟିଏ କାର୍ଯ୍ୟକ୍ରମ ନୁହେଁ କିଛିଦିନ ହେଲା ବିଷୟ ସହିତ ଅବଗତ ନଥିବା ଅନେକ ବ୍ୟକ୍ତିଙ୍କୁ କାର୍ଯ୍ୟକ୍ରମରେ ବସାଯାଉଥିବାରୁ ବହୁ କାର୍ଯ୍ୟକ୍ରମର ମାନ କମିବାରେ ଲାଗିଛି । ବିଭିନ୍ନ ବାଟ ଦେଇ ଯିଏ ଯେମିତି ପାରୁଛି ଏଠାରେ ଆସି ମୁହଁ ଦେଖାଇବାର ସୁଯୋଗ ପାଉଛି ।

ଏଭଳି ଅବସ୍ଥା ଯୋଗଁ ୁ ଏକଦା ଦର୍ଶକଙ୍କ ପ୍ରଥମ ପସନ୍ଦ ଥିବା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଏବେ ଲୋକଙ୍କ ଆସ୍ଥା ହରାଇବାରେ ଲାଗିଛି । ବାରମ୍ବାର ଜଣଙ୍କ ମୁହଁ ଦେଖାଇବା, ଟୋକାବେଳେ ଯେଉଁମାନେ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖାଯାଉଥିଲେ ପରିଣତ ବୟସରେ ସେମାନଙ୍କୁ ସୁଯୋଗ ଦେବା ଏବଂ ସର୍ବୋପରି ଗୋଟିଏ କାର୍ଯ୍ୟକ୍ରମକୁ ବାରମ୍ବାର ପ୍ରସାରଣ କରିବା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ତେବେ ସବୁକୁ ଏବେ ବଳିଯାଇଛି ଆଦୌ ଓଡିଆ ଜାଣିନଥିବା ବ୍ୟକ୍ତିଙ୍କୁ ଆଣି ଓଡିଆ ଭାଷାରେ ପ୍ରସ୍ତୁତ ସଚେତନତା କାର୍ଯ୍ୟକ୍ରମରେ ବସାଇବା ।