Odia News Portal

ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ପରେ ସରକାରୀ ଶିକ୍ଷକଙ୍କ ମୁଣ୍ଡରେ ଚଡକ

ଭୁବନେଶ୍ୱର : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଏବେ ସରକାରୀ ଯୁକ୍ତ ଦୁଇ କଲେଜ ଅଧ୍ୟାପକଙ୍କ ମୁଣ୍ଡରେ ଚଡକ ପକାଇଛି । ଘରୋଇ କଲେଜ ଗୁଡିକ ଭଲ ଫଳାଫଳ କରିଥିବାବେଳେ ମୋଟା ଅଙ୍କର ଦରମା ପାଉଥିବା ସରକାରୀ ଶିକ୍ଷକମାନେ କ’ଣ କରୁଛନ୍ତି ବୋଲି ପ୍ରଶ୍ନ ଉଠିଲାଣି । ଏମାନଙ୍କ କାର୍ଯ୍ୟର ସମୀକ୍ଷା ସହିତ ଦୀର୍ଘଦିନ ଧରି କଟକ, ଭୁବନେଶ୍ୱର ଭଳି ସହରରେ ଗାଦି ମାଡିବସିଥିବା ଶିକ୍ଷକଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ଦାବି ଆରମ୍ଭ ହୋଇଛି । କିଛିଦିନ ତଳେ ଅଧ୍ୟାପକମାନଙ୍କ ଟିଉସନ କାର୍ଯ୍ୟର ଭିତିରିଆ ତଦନ୍ତ ହୋଇଥିଲା । ସେତେବେଳେ ଜଣାପଡିଥିଲା ଯେ ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ନେଉଥିବା ଅନେକ ସରକାରୀ ଅଧ୍ୟାପକ ଘରୋଇ ଟିଉସନରେ ମାତିବା ସହିତ କେତେକ ଗଳି ପଶି ଘରୋଇ ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ପାଠ ପଢାଉଛନ୍ତି । ଅନେକ ତ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ କଲେଜର ଉପଦ୍ଦେଷ୍ଟା ଅଛନ୍ତି । ଆଉ କେତେକ ଘରୋଇ ଯୁକ୍ତ ଦୁଇ କଲେଜରେ ପୁଞ୍ଜି ବି ଖଟାଇଛନ୍ତି । ସେତେବେଳେ ଏହା ସରକାରଙ୍କ ନଜରକୁ ଆସିଥିଲେ ବି କୌଣସି କାରଣରୁ କାର୍ଯ୍ୟାନୁଷ୍ଠାନ ହୋଇନଥିଲା ।

ହେଲେ ଏବେ ଯୁକ୍ତ ଦୁଇ ବିଜ୍ଞାପନ ଫଳାଫଳ ପ୍ରକାଶ ପାଇବା ପରେ ପୁଣିଥରେ ସରକାରୀ ଶିକ୍ଷକଙ୍କ ପାଠପଢାକୁ ନେଇ ପ୍ରଶ୍ନ
ଉଠିଛି । ୯୭ହଜାର ପିଲାଙ୍କ ମଧ୍ୟରୁ ୨୯ହଜାର ଫେଲ ହେବାପରେ ସରକାର ଏବେ ଏହାର ତୁରନ୍ତ ସମୀକ୍ଷା କରିବେ ବୋଲି ଅନେକ ମତ ଦେଲେଣି । କାରଣ ସରକାର ସମସ୍ତ ପ୍ରକାର ଭିତ୍ତିଭୂମି ଓ ସୁବିଧା ସୁଯୋଗ ସହିତ ମୋଟା ଅଙ୍କର ଦରମା ଦେଉଥିବାବେଳେ ଘରୋଇ ବିଦ୍ୟାଳୟ କିଭଳି ଭଲ ଫଳ କରୁଛନ୍ତି ତାହା ଏବେ ହଜାରେ ପ୍ରଶ୍ନ ଉଠାଇଛି । ତେବେ ସବୁଠାରୁ ବଡ କଥା ହେଲା ଯୁକ୍ତ ଦୁଇ ସ୍ତରରେ ପାଠ ପଢାଉଥିବା ଅନେକ ଶିକ୍ଷକ ରାଜଧାନୀ ସମେତ ରାଜ୍ୟର ବଡ ବଡ ସହରାଞ୍ଚଳରେ ଦୀର୍ଘଦିନ ଧରି ଆସ୍ଥାନ ଜମାଇଛନ୍ତି ।

ଯେତେବେଳେ ବଦଳି କରାଗଲେ ବିଭିନ୍ନ ଆଳ ଦେଖାଇ ଏଠାରୁ ଯାଉନାହାନ୍ତି । କେତେକ ତ ସରକାରଙ୍କ ବିରୁଦ୍ଧରେ ମାମଲା କରିବାକୁ ବି ପଛାଉ ନାହାନ୍ତି । ତେଣୁ ଏମାନଙ୍କ ଟିଉସନ ଖୋର ମନୋଭାବ ଯୋଗୁଁ ଫଳାଫଳ ଏଭଳି ହେଲାବୋଲି ଏବେ ଅନେକ ଖୋଲାଖୋଲି କହୁଛନ୍ତି । ତେଣୁ କେଉଁ କଲେଜରେ ପିଲାମାନେ କେଉଁ ବିଷୟରେ ଅତି ଖରାପ କରିଛନ୍ତି ତାହାର ସମୀକ୍ଷା କରିବା ସହିତ ସେହି ବିଷୟର ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହେବାରେ ଲାଗିଛି । ତେବେ ଘରୋଇ କଲେଜ ଗୁଡିକ ଯେଭଳି ଫଳାଫଳ କରିଛନ୍ତି ତାହାକୁ ଆଧାର କରି ଏବେ ଅନେକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ କଲେଜ ମାଟ୍ରିକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ନିଜ ଅନୁଷ୍ଠାନକଙ୍କୁ ନେବାପାଇଁ ଆପ୍ରାଣ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି । କରୋନ ମହାମାରୀ ସମୟରେ ଅନେକ ଅଭିଭାବକ ବି ଧାର ଉଧାର କରି ନିଜ ପିଲାଙ୍କ ଭବିଷ୍ୟତ ଦୃଷ୍ଟିରୁ ସେଠାକୁ ପଠାଇବାକୁ ସଜବାଜ ହେଲେଣି । ଯଦି ଏଭଳି ସମସ୍ୟା ଲାଗିରୁହେ ତେବେ ଆଗାମୀ ଦିନରେ ସରକାରୀ ଯୁକ୍ତ ଦୁଇ ସ୍ତରରେ ଅନେକ କଲେଜ ପିଲାଙ୍କ ଅଭାବ ଦେଖାଦେବ । ତେଣୁ ବେଳ ଥାଉ ଥାଉ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସବୁ ସ୍ତରରୁ ମତପ୍ରକାଶ ପାଉଛି ।