Odia News Portal

ଵିନା ପରିଶ୍ରମରେ ରକ୍ତସଂଗ୍ରହ କରି ଚାଲିଛି କମିଶନରେଟ ପୁଲିସ୍‍

ଭୁବନେଶ୍ୱର : ବିନା ପରିଶ୍ରମରେ କିଭଳି ସାବାସୀ ମିଳେ ତାହା ଖାକି ବାବୁମାନଙ୍କୁ ଭଲ ଭାବରେ ଜଣା । ଏହି ଫର୍ମୁଲାକୁ ଏବେ କମିଶନରେଟ ପୁଲିସ୍‍ର ରେଡକ୍ରସ ଶାଖାର ବାବୁମାନେ ଅକ୍ଷରେ ଅକ୍ଷରେ ପାଳନ କରିବା ସହିତ ଅନ୍ୟ କାନ୍ଧରେ ସବାର ହୋଇ ବାହାଦୂରୀ ନେବାରେ ଲାଗିଛି । କମିଶନରେଟ ପୁଲିସ୍‍ ଏବେ ପ୍ରତିଦିନ ନିଜ ଇଲାକା ମଧ୍ୟରେ ୩/୪ଟି ସ୍ଥାନରୁ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିବାରେ ଲାଗିଛି । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁଲିସ୍‍ ବାବୁମାନେ ଏଥିପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଛନ୍ତି । କମିଶନରେଟ ପୁଲିସ୍‍ ଅଞ୍ଚଳରେ ଯେଉଁଠାରେ ରକ୍ତଦାନ ଶିବିର ଆୟୋଜନ ହେବ ସେ ସଂକ୍ରାନ୍ତରେ ପୂର୍ବରୁ ସମ୍ପୃକ୍ତ ଥାନାକୁ ଜଣାଇବାକୁ କୁହାଯାଇଛି । କାଳେ ଗଣ୍ଡଗୋଳ ଘଟିବ ସେଥିପାଇଁ ପୁଲିସ୍‍ ଏଭଳି ହୁଲିଆ ଜାରି କରିଥିବା କୁହଗଲା । ହେଲେ ବାସ୍ତବତା ଟା ଟିକେ ଭିନ୍ନ । ପୁଲିସ୍‍ କଥା ମାନି ରକ୍ତ ସଂଗ୍ରହ ଶିବିର ଆୟୋଜନ କରୁଥିବା ସଂସ୍ଥା ଓ ଅନୁଷ୍ଠାନ ଗୁଡିକ ଶିବିର ଆୟୋଜନ ପୂର୍ବରୁ ଥାନାକୁ ଅବଗତ କରୁଛନ୍ତି ।

ଥାନାରେ ରକ୍ତଦାନ ଶିବିର ଖବର ପହଞ୍ଚିବା କ୍ଷଣି ତୁରନ୍ତ କମିଶନରେଟ ପୁଲିସ୍‍ର ରେଡକ୍ରସ ଶାଖାକୁ ଏହାର ସୂଚନା ଦିଆଯାଉଛି । ଖବର ପାଇବା ମାତ୍ରେ ରେଡକ୍ରସ ଶାଖା ପକ୍ଷରୁ ରକ୍ତଦାନ ଶିବିର ପାଇଁ ଗୋଟିଏ ଫ୍ଲେକ୍ସ ଓ ଟିଫିନ ବ୍ୟବସ୍ଥା ହେଉଛି । ଥାନା କର୍ମଚାରୀଙ୍କୁ ଏହାର ଦାୟିତ୍ୱ ଦିଆଯାଉଛି । ଏଥିରେ ଦର୍ଶାଯାଉଛି ଯେ ଆୟୋଜନକାରୀ ସଂସ୍ଥାଙ୍କ ସହଯୋଗରେ କମିଶନରେଟ ପୁଲିସ୍‍ ପକ୍ଷରୁ ରକ୍ତ ସଂଗ୍ରହ ଶିବିର ଅନୁଷ୍ଠିତ । ଜଣେ ଦୁଇଜଣ ଖାକି ବାବୁ ଫଟୋ ବି ଉଠାଇ ଦେଉଛନ୍ତି । ଏହାକୁ ଦେଖିଲା ପରେ ଅନେକ ଆୟୋଜକ ସଂସ୍ଥା ଆଶ୍ଚର୍ଯ୍ୟ ହେଉଥିଲେ ବି ଖାକି ବାବୁଙ୍କ ଭୟରେ କେହି ପାଟି ଫିଟାଉ ନାହାନ୍ତି । ଏହିଭଳି ଢଙ୍ଗରେ କମିଶନରେଟ ପୁଲିସ୍‍ ବିନା ପରିଶ୍ରମରେ ଏକାଧିକ ରକ୍ତଦାନ ଶିବିର ଆୟୋଜନ କରୁଛି । ଦିନ ରାତି ଲାଗିପଡି ଶିବିର ଆୟୋଜନ କରୁଥିବା ଯୁବକ ଓ ସେମାନଙ୍କ ସଂସ୍ଥାର ପରିଚୟ ଲୁଚି ଯାଉଛି ।

ପୁଲିସ୍‍ର ଏଭଳି ରକ୍ତ ସଂଗ୍ରହ ଅଭିଯାନ ଏବେ ରେଡକ୍ରସ ସଂସ୍ଥା ଠାରୁ ଆରମ୍ଭ କରି ଅନେକ ସ୍ୱେଚ୍ଛାସେବୀ ରକ୍ତଦାତାଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ କମିଶନରେଟ ପୁଲିସ୍‍ର ରେଡକ୍ରସ ଶାଖା ହଠାତ୍‍ ଏଭଳି ଏକାଧିକ ରକ୍ତ ସଂଗ୍ରହ ଶିବିରକୁ ନିଜ ନାମରେ କରିବାପାଇଁ ଦେଖାଉଥିବା ଅହେତୁକ ଆଗ୍ରହ ପଛରେ ଅର୍ଥ ରହିଥିବାର ବି ଏହି ସୂତ୍ରରୁ ଖବର ମିଳିଛି । କରୋନା କାଳରେ ରକ୍ତ ସଂଗ୍ରହ ପାଇଁ କମିଶନରେଟ ପୁଲିସ୍‍ ସରକାରଙ୍କ ଠାରୁ ୧୦ଲକ୍ଷ ଟଙ୍କା ପାଇଛି । ସେହି ଅର୍ଥରେ ନିଜେ ରକ୍ତସଂଗ୍ରହ ଶିବିର ଆୟୋଜନ କରିବାକଥା । ହେଲେ ପୁଲିସିଆ ବୁଦ୍ଧି ଖଟାଇ କମିଶନରେଟ ପୁଲିସ୍‍ର ଖାକିବାବୁମାନେ ଯେଭଳି ବିନା ପରିଶ୍ରମରେ ରକ୍ତ ସଂଗ୍ରହ ତାଲିକା ବଢାଇବାରେ ଲାଗିଛନ୍ତି ତାହା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।