Odia News Portal

ପ୍ରଦୂଷଣ ବୋର୍ଡରେ ଗୋଟ ଟଣାଟଣି ଯୋଗୁଁ ସରକାର ବଦନାମ

ଭୁବନେଶ୍ୱର : ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ କର୍ମଚାରୀମାନେ ନିଜ ନିଜ ଭିତରେ ଯେଭଳି ଗୋଡ ଟଣାଟଣିରେ ମାତିଛନ୍ତି ତାହା ଏଠାରେ ଘୋର ପ୍ରଶାସନିକ ପ୍ରଦୂଷଣ ସୃଷ୍ଟି କଲାଣି । ବୋର୍ଡ ପ୍ରଶାସନିକ ବ୍ୟବସ୍ଥାରେ ଯଦି ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ ନକରନ୍ତି ତେବେ ଏହି ପ୍ରଦୂଷଣ ରାଜ୍ୟ ପ୍ରଶାସନକୁ କଳୁଷିତ କରିଦେବ ବୋଲି ଆଲୋଚନା ହେଉଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୋର୍ଡର କର୍ମଚାରୀମାନେ ଏବେ ଦୁଇ ଭାଗରେ ବିଭକ୍ତ ହୋଇ ପରସ୍ପରର ଗୋହି ଖୋଳିବାରେ ଲାଗିଛନ୍ତି । ତେବେ ଦୀର୍ଘଦିନ ଧରି ବୋର୍ଡରେ ଗାଦିମାଡି ବସିଥିବା କିଛି ଅଧିକାରୀ ଓ କର୍ମଚାରୀ ନୂଆ ସଦସ୍ୟ ସଚିବ ଯୋଗଦେବା ପରେ ନିଜର ସୁରକ୍ଷା ସହିତ ଅପକର୍ମକୁ ଢାଙ୍କିବା ପାଇଁ ଅନ୍ୟମାନଙ୍କ ଉପରେ ଘନ ଘନ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ବିଶେଷକରି ନିଜେ ବାହାବା ମୁଣ୍ଡାଇବାପାଇଁ ଅନ୍ୟ କର୍ମଚାରୀଙ୍କ ବିରୁଦ୍ଧରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ କରିବାରେ ଲାଗିଛନ୍ତି । ଏହାଦ୍ୱାରା କେବଳ ବୋର୍ଡ କର୍ତ୍ତୃପକ୍ଷ ନିନ୍ଦିତ ହେଉନାହାନ୍ତି ରାଜ୍ୟ ସରକାରଙ୍କ ଇଜ୍ଜତ ମଧ୍ୟ ପଦାରେ ପଡିବା ଆରମ୍ଭ ହେଲାଣି ।

ଏହି ସୂତ୍ରର ସୂଚନା ଅନୁଯାୟୀ ବୋର୍ଡରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଗାଦିମାଡି ବସିଥିବା କିଛି ଯନ୍ତ୍ରୀ ଓ କର୍ମଚାରୀଙ୍କ ସମେତ ପରୀକ୍ଷାଗାରରେ ଥିବା କିଛି ଠିକା କର୍ମଚାରୀଙ୍କ ଅସାଧୁ ମେଣ୍ଟ ଏବେ ଏଭଳି ବଦନାମିଆ କାର୍ଯ୍ୟରେ ଲାଗିଛନ୍ତି । ନିଜ ମୂଳ ଦାୟିତ୍ୱ ଭୁଲି ଅନ୍ୟକୁ ବଦନାମ କରିବାପାଇଁ ବିଭିନ୍ନ ଗଣମାଧ୍ୟମରେ ବୋର୍ଡ କାର୍ଯ୍ୟକୁ ସମାଲୋଚନା କରି ଖବର ବାହାର କରୁଛନ୍ତି । ଅନ୍ୟ ନିନ୍ଦିତ ପାଇଁ ଚଳାଯାଉଥିବା ଏଭଳି କାର୍ଯ୍ୟ ଏବେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କଲାଣି । କାରଣ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ନିଜେ ମୁଖ୍ୟ ଶାସନ ସଚିବ ହୋଇଥିବାରୁ ଏଭଳି ନକରାତ୍ମକ ଖବର ପ୍ରକାଶ ଦ୍ୱାରା ତାଙ୍କ ଉପରକୁ ଲୋକେ ଅଙ୍ଗୁଳି ଉଠାଇବା ଆରମ୍ଭ କଲେଣି ।

ତେଣୁ କରୋନା ମହାମାରୀ ସମୟରେ ବୋର୍ଡ କର୍ମଚାରୀଙ୍କ ବିରୁଦ୍ଧରେ ବିଭିନ୍ନ ଗଣମାଧ୍ୟମରେ ଏଭଳି ଖବର କିଏ ପ୍ରକାଶ କରାଉଛି ତାହାକୁ ଖୋଜି ବାହାର କରିବାପାଇଁ ଏବେ କର୍ମଚାରୀମାନେ ଦାବି କଲେଣି । ବୋର୍ଡର କିଛି କର୍ମଚାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଅନ୍ୟକୁ ବଦନାମ କରି ନିଜ ଗାଦି ସୁରକ୍ଷା ଲାଗି ଏଠାରେ ୨୦ବର୍ଷରୁ ଅଧିକ ସମୟ ଧରି ଏକାଧିକ କ୍ଷମତା ଉପଭୋଗ କରୁଥିବା ଜଣେ ଯନ୍ତ୍ରୀ, ତାଙ୍କର ଏକାନ୍ତ ଅନୁଗତ ସାଜି ‘ଇଟିପି’ ବ୍ୟବସାୟ ଚଳାଇଥିବା ବ୍ୟକ୍ତି ଜଣଙ୍କ ମୁଖ୍ୟ କାର୍ପଟଦାର ସାଜିଛନ୍ତି । ଇଟିପି ବ୍ୟବସାୟରେ ଲିପ୍ତ ଥିବା ଜେନା ସାଙ୍ଗିଆଧାରୀ ବ୍ୟକ୍ତିଙ୍କ ମୋବାଇଲ୍‍ ଫୋନ୍‍ କଲ ର ରେକର୍ଡ ବାହାର କରାଗଲେ ବୋର୍ଡକୁ ବଦନାମ କରୁଥିବା ଗୋଷ୍ଠିର ଗୁମର ଖୋଲିବ ବୋଲି ଏହି କର୍ମଚାରୀମାନେ ମତ ଦେଇଛନ୍ତି ।

ତେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଦୀର୍ଘଦିନ ଧରି ଗାଦିମାଡି ବସିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଏଠାରୁ ବିଦା କରିବା ସହିତ ଅବସରପରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ତୁରନ୍ତ ନହଟାଇଲେ କୁହୁଳୁଥିବା ଅସନ୍ତୋଷ ଆଗକୁ ଭୟଙ୍କର ରୂପ ନେବବୋଲି ଆଲୋଚନା ଚାଲିଛି । ତେଣୁ ନିଜେ ମୁଖ୍ୟ ଶାସନ ସଚିବ ବୋର୍ଡ ପ୍ରଶାସନର ସମୀକ୍ଷା ସହିତ କେଉଁମାନେ ଏଠାରେ କେତେ ବର୍ଷ ଧରି ଅଛନ୍ତି ଓ କେଉଁ କେଉଁ କ୍ଷମତାକୁ ଜାବୁଡି ଧରିଛନ୍ତି ତାହାର ଅନୁଧ୍ୟାନ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ନହେଲେ ଆଗାମୀ ଦିନରେ ଏହି କ୍ଷମତାଲୋଭି ଗୋଷ୍ଠି ନିଜର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ବଦନାମ କରିଦେବେ ବୋଲି ବୋର୍ଡ କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି ।