Odia News Portal

ବନ୍ଦ ହେଲା ହୀରାକୁଦର ୪ଟି ଗେଟ୍

ଆଶ୍ବସ୍ତି ଆଣି ଦେଉଛି ବନ୍ୟାଜଳ। ଗତ କାଲିଠାରୁ ହୀରାକୁଦ ଡ୍ୟାମର ଗୋଟିଏ ପରେ  ଗୋଟିଏ ଗେଟକୁ ବନ୍ଦ କରି ଦିଆଯଉଛି । ଯାହା ଫଳରେ ନଦୀର ଜଳ ସ୍ତର ଧିରେ ଧିରେ କମିବାରେ ଲାଗିଛି। ଗତକାଲି ବାଳମ୍ବିତ ରାତିରେ  ବନ୍ଦ ହେଲା ହୀରାକୁଦର ୪ଟି ଗେଟ। ବର୍ତ୍ତମାନ ୩୬ଟି ସୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଡ୍ୟାମ୍‌ର ଜଳସ୍ତର ୬୨୭. ୩୭ ଫୁଟ୍‌ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୬ଲକ୍ଷ ୬୬ହଜାର ୯୪୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ନିଷ୍କାସିତ ହେଉଛି ୬ଲକ୍ଷ ୬୬ହଜାର ୯୪୮ କ୍ୟୁସେକ୍‌ ଜଳ।

ସେପଟେ ମହାନଦୀ ଅବବାହିକାରେ ଜଳ ପ୍ରଳୟ । ଚାରିଆଡ଼େ ପାଣି ଆଉ ପାଣି । ରାସ୍ତାଘାଟ, ଚାଷ ଜମି ଏକାକାର । ସମୁଦ୍ର ଭଳି ଭ୍ରମ ସୃଷ୍ଟି କରିଛି ମହାନଦୀ ବନ୍ୟା । ବିଭିନ୍ନ ସହରର ତଳି ଅଞ୍ଚଳ ଉବୁଟୁବୁ । ଶାଖାନଦୀ ଗୁଡ଼ିକ ମଧ୍ୟ ଭୟଂକର ହେବାରେ ଲାଗିଛି । ମହାନଦୀରେ ବନ୍ୟା ପରେ ବଢ଼ିଛି ଦୟା, ଭାର୍ଗବୀ, ଦେବୀ, ବିରୁପା, ରାଜୁଆ ନଦୀର ଜଳସ୍ତର । କେଉଁଠି ରାସ୍ତା ବୁଡ଼ାଇଛି ତ କେଉଁଠି ଚାଷ ଜମି । ତଳି ଅଞ୍ଚଳରେ ଘରେ ପଶିଛି ପାଣି । ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଅବାହିକା ଜିଲ୍ଲାରେ ବିଭୀଷିକା ଆଣିଛି ମହାନଦୀ। କେନ୍ଦ୍ରାପଡା ଜିଲ୍ଲାରେ ବ୍ରାହ୍ମଣୀ ଓ ବୈତରଣୀ ବନ୍ୟା ପରେ ପୁଣି ମହାନଦୀ ବନ୍ୟା । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି। ହୀରାକୁଦରୁ ଏବେ ୩୬ଟି ଗେଟ୍‌ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ମୁଣ୍ଡୁଳିରେ ପ୍ରବାହିତ ହେଉଛି ୧୦ ଲକ୍ଷ କ୍ୟୁକେସ୍‌ ପାଣି । ଆଜି ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ନବୀନ।