Odia News Portal

ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କଲେ ଅନଲକ ୪ ଗାଇଡଲାଇନ

ଭୁବନେଶ୍ୱର : ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କଲେ ଅନଲକ ୪ ଗାଇଡଲାଇନ । ଏହି ଗାଇଡ଼ଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ ଜିଲ୍ଲା ଓ ସବଡିଭିଜନରେ ଲକଡାଉନ ଲାଗୁ ହେବ ନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟର କେତେକ ଜିଲ୍ଲା ଓ ସହରରେ ଲାଗୁ ଶନିବାର ଓ ରବିବାର ସଟଡାଉନ ସଂପର୍କରେ ଏହି ନୂଆ ଗାଇଡଲାଇନରେ କୌଣସି ଉଲ୍ଲେଖ ନାହିଁ । ଏଣୁ ସପ୍ତାହାନ୍ତ ସଟଡାଉନ ଆଉ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଆହୁରି ମଧ୍ୟ ରାତ୍ରିକାଳିନ କର୍ଫ୍ୟୁକୁ ମଧ୍ୟ ଉଠାଇ ଦିଆଯାଇଛି ।

ଚତୁର୍ଥ ପର୍ଯ୍ୟାୟ ଅନ୍‌ଲକ୍‌ରେ କେନ୍ଦ୍ର ସରକାର ସ୍କୁଲ ଏବଂ କଲେଜ ଖୋଲିବାକୁ ଅନୁମତି ନ ଦେଇ ଏହି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡି ପାରନ୍ତି ବୋଲି ଜଣାପଡିଛି । ଅନ୍ୟପକ୍ଷରେ ୨୧ ସେପ୍ଟେମ୍ବରରୁ ରାଜ୍ୟରେ ଓପନ ଏୟାର ଥିଏଟର ଖୋଲିବାକୁ ଅନୁମତି ଦିଆଯାଇଛି କିନ୍ତୁ ସିନେମା ହଲ, ବାର, ଅଡିଟୋରିୟମ, ସ୍ୱିମିଂ ପୁଲ, ମନୋରଂଜନ କଂପ୍ଲେକ୍ସ, ଖୋଲିବାକୁ ଅନୁମତି ଦିଆଯାଇନାହିଁ । ସେହିପରି ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନକୁ ଅନୁମତି ଦିଆଯାଇନାହିଁ । ପରବର୍ତ୍ତିକାଳରେ ସ୍ଥିତିର ଆକଳନ କରି ଏଗୁଡ଼ିକୁ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ପୂଜାଛୁଟି ପର୍ଯ୍ୟନ୍ତ ପୂର୍ବରୁ ହିଁ ବନ୍ଦ କରାଯାଇଛି ।