Odia News Portal

ଫାଣ୍ଡି ଅଧିକାରୀଙ୍କ ଦାଦାଗିରି, ରାତିରେ ଘରେ ପଶି ଆକ୍ରମଣ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତଗତ ଜୋରନ୍ଦା ଫାଣ୍ଡି ଅଧିକାରୀ ଶିବରଂଜନ ସିଙ୍ଘଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ସେ କୁଆଡେ ଗତ ୨ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ନେଉଳ ପୋଇ ଗ୍ରାମରେ ଘରେ ପଶି ରୁକୁନ ଗଡନାୟକଙ୍କୁ ମାଡ ମାରିଛନ୍ତି । ଏପରିକି ରୁକୁନଙ୍କୁ ଛଡାଇବାବେଳେ ତାଙ୍କ ପତ୍ନୀ ଅଞ୍ଜଳି ମଧ୍ୟ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି । ଏ ସଂକ୍ରାନ୍ତରେ ରୁକୁନଙ୍କ ପତ୍ନୀ ଅଞ୍ଜଳି ଗଡନାୟକ ଢେଙ୍କାନାଳ ଏସପିଙ୍କ ଦ୍ୱାରସ୍ଥ ହୋଇ ଗୁହାରି କରିଛନ୍ତି । ଫଳରେ ଢେଙ୍କାନାଳ ଏସପି ଅନୁପମା ଜେମ୍ସ ଘଟଣାର ତଦନ୍ତ ପାଇଁ ଗଁନ୍ଦିଆ ଥାନା ଅଧିଜରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

ଗତ ୨ ତାରିଖ ସନ୍ଧ୍ୟାରେ ଗାଁ ମଣ୍ଡପ ପାଖରେ  ରୁକୁନ ଗଡନାୟକଙ୍କ ସହ ପୂର୍ବତନ ସମିତି ସଭ୍ୟ ଭଗବାନ ଗଡନାୟଙ୍କର ବଚସା ହୋଇଥିଲା । ତେବେ ଏହି ବଚସାକୁ ନେଇ ଫାଣ୍ଡି ଅଧିକାରୀ ଶିବରଂଜନ ସିଙ୍ଘ ରୁକୁନ ଗଡନାୟକଙ୍କ ଘରକୁ ଯାଇଥିଲେ ବୋଲି ଜଣାପଡିଛି । ତେବେ ଅଭିଯୋଗର ସତ୍ୟତା ସମ୍ପର୍କରେ ଗଁନ୍ଦିଆ ଥାନା ଅଧିକାରୀ ତଦନ୍ତ କରୁଥିବା ଜଣାପଡିଛି । ତଦନ୍ତ ପରେ ସଠିକ କାରଣ ଜଣାପଡିବ ବୋଲି  ଗଁନ୍ଦିଆ ଥାନା ଅଧିକାରୀ ଜଣାଇଛନ୍ତି ।