Odia News Portal

ମାସେ ୧୦ ଦିନ ପରେ କଳିଙ୍ଗ ହସ୍ପିଟାଲର ଓଏସ୍‍ଟିଏଫ୍‍ ଫେରିଲା

ଭୁବନେଶ୍ୱର : ବିଜେପି ବିଧାୟକଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କୁ ଦୁର୍ବବ୍ୟବହାର ପ୍ରସଙ୍ଗରେ କଳିଙ୍ଗ ହସ୍ପିଟାଲର ବାତିଲ ହୋଇଥିବା ଓଏସ୍‍ଟିଏଫ୍‍ ସୁବିଧାକୁ ମାସେ ୧୦ ଦିନ ପରେ ପୁଣି ସରକାର ଫେରାଇ ଦେଇଛନ୍ତି । ଏହି ଘଟଣାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ହୋଇଥିବାବେଳେ ଏଥିପାଇଁ କମିଟି ଗଠନ ସହିତ ଓଏସ୍‍ଟିଏଫ୍‍ତାଲିକାରୁ ବାଦ୍‍ ଦେଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ବିଧାନସଭାରେ ସୂଚନା ଦେଇଥିବାବେଳେ ଏବେ ହସ୍ପିଟାଲକୁ ଏହି ସୁବିଧା ଚୁପ୍‍ଚାପ୍‍ ପେରାଇ ଦିଆଯାଇଥିବା ସୂଚନା ମିଳିଛି । ଖାଲି ସେତିକି ନୁହେଁ ଡ୍ରଗ୍ସ କଣ୍ଟ୍ରୋଲର ଏହି ଡାକ୍ତରଖାନା ଉପରେ ଚଢାଉ କରି ସନ୍ଦେହରେ ଜବତ କରିଥିବା ଔଷଧ ନମୂନା ପରୀକ୍ଷାରୁ କୌଣସି ତ୍ରୁଟି ମିଳିନଥିବାବେଳେ ଏହି ମାମଲାରେ କଳିଙ୍ଗ ହସ୍ପିଟାଲ ଦୋଷମୁକ୍ତ ହୋଇଛି ।

ଖୋରଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକ୍ତରଖାନାର ଜବତ ହୋଇଥିବା ଦୁଇ ଅଲଟ୍ରାସାଉଣ୍ଡ ମେସିନ ବି ଖୁବ୍‍ଶୀଘ୍ର ଦୋଷମୁକ୍ତ ସାର୍ଟିଫିକେଟ ପାଇବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଉଲ୍ଲେଖନୀୟ ଯେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍‍ ନାରଦପୁର ଗ୍ରାମର ବାସୁଦେବ ବାରିକଙ୍କ ପୁଅ ସଚିନ୍‍ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ମଇ ୨୯ ତାରିଖରୁ ସେ ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ଜରିଆରେ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସା ଖର୍ଚ୍ଚ ବାବଦକୁ ୭ ଲକ୍ଷ ୬୦ ହଜାର ଟଙ୍କା ପୈଠ କରିଥିଲେ । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ଆହୁରି ଅଧିକ ଅର୍ଥ ଦାବି କରି ମୃତଦେହକୁ ଛାଡ଼ିନଥିଲେ । ଏହି ଦୁଃଖଦ ଘଟଣା ସଂକ୍ରାନ୍ତରେ ବାସୁଦେବ ବାରିକ ବିଧାୟକ ଶ୍ରୀ ମାଝୀଙ୍କୁ ଜଣାଇବା ପରେ ସେ କଳିଙ୍ଗ ହସ୍ପିଟାଲର ଡିଜିଏମ୍‍ଙ୍କ ସହ ଆଲୋଚନା କରି ମୃତଦେହ ସମ୍ପୃକ୍ତ ପରିବାରକୁ ଦେବାକୁ ନିବେଦନ କରିଥିଲେ । କିନ୍ତୁ ହସ୍ପିଟାଲର ଡିଜିଏମ୍‍ ଓ ଆକାଉଣ୍ଟସ୍‍ କର୍ମଚାରୀମାନେ ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ସହିତ ଟଙ୍କା ନ ଦେଲେ ମୃତଦେହକୁ ଛାଡ଼ିବେ ନାହିଁ ବୋଲି ରୋକ୍‍ଠୋକ୍‍ ମନା କରିଥିଲେ । ଏହା ବିଧାନସଭା ନୁହେଁ, ଏଠି ଆପଣ ଯୁକ୍ତି ବାଢ଼ିଲେ ଆମେ ମାନିନେବୁ କି ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଓଲଟା ପ୍ରଶ୍ନ କରିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ଅପମାନିତ ହେବା ପରେ ଶ୍ରୀ ମାଝୀ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସଙ୍କୁ ଲିଖିତ ଭାବେ ଜଣାଇଥିଲେ । ମନ୍ତ୍ରୀ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ୪ ଜଣିଆ କମିଟି ଗଠନ ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର୍‍ ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ନିର୍ଦ୍ଦେଶ ଦେଇଥିଲେ । କମିଟି ତାହାର ତଦନ୍ତ ରିପୋର୍ଟ ଦେବାପରେ ମବୀ ଶ୍ରୀ ଦାସ କଳିଙ୍ଗ ହସ୍ପିଟାଲକୁ ଚିକିତ୍ସା ପାଣ୍ଠିରୁ ବାଦ୍‍ ଦିଆଯିବା ସହିତ ଅନ୍ୟ ସମସ୍ତ ଘରୋଇ ହସ୍ପିଟାଲ ଯେଉଁମାନେ କି ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିରେ ତାଲିକାଭୁକ୍ତ ହୋଇଛନ୍ତି ସେମାନେ ଯେପରି ଓଏସ୍‍ଟିଏଫ୍‍ର ମାର୍ଗଦର୍ଶିକାକୁ ଠିକଣା ଭାବେ ପାଳନ କରିବେ ସେଥିପାଇଁ ଦୃଷ୍ଟି ଦେବାକୁ ଡିଏମ୍‍ଇଟିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ । ତେବେ କଳିଙ୍ଗ ହସ୍ପିଟାଲର ଓଏସ୍‍ଟିଏଫ୍‍ ଫେରାଇବା ସହିତ ସ୍ୱାସ୍ଥ୍ୟ ବିଭାଗ କେତେକ ସର୍ତ୍ତ ଲାଗୁ କରିଥିବା କୁହାଯାଉଛି । ତେବେ ବିଧାୟକଙ୍କୁ ଅପମାନିତ କରିଥିବା ଡାକ୍ତରଖାନା କୁ ସରକାର ଓଏସ୍‍ଟିଏଫ୍‍ କେଉଁ ଆଧାରରେ ଫେରାଇଲେ ତାହାର କୌଣସି ସୂଚନା ମିଳିପାରି ନାହିଁ ।

 (  ଭୁବନେଶ୍ବରରୁ ଚକ୍ରଧର ମାଝିଙ୍କ ରିପୋର୍ଟ  )