Odia News Portal

ପୁଣି ଥରେ ଉଡାଇଲେ ମିଗ୍-୨୧

ପଠାନକୋଟ୍ : ପୁଣି ଆକ୍ସନରେ ଅଭିନନ୍ଦନ ବର୍ତ୍ତମାନ । ପୁଣି ଥରେ ମିଗ୍-୨୧ରେ ପଠାନକୋଟ୍ ଏୟାରବେସ୍ ରୁ ଉଡାଣ ଭରିଛନ୍ତି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ । ବାୟୁସେନା ମୁଖ୍ୟ ବି.ଏସ୍. ଧନୋୱାଙ୍କ ସହ ଅଭିନନ୍ଦନ ପୁଣି ଥରେ ଆକାଶରେ ଉଡାଇଛନ୍ତି ମିଗ୍-୨୧ ଯୁଦ୍ଧ ବିମାନ । ଫେବୃଆରୀ ୨୭ତାରିଖରେ ଚର୍ଚ୍ଚାକୁ ଆସିଥିଲେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଏବଂ ତାଙ୍କ ମିଗ୍-୨୧। ଏହି ମିଗ୍-୨୧ ବିମାନରୁ ପାକିସ୍ତାନୀ ବିମାନ ଏଫ୍-୧୬କୁ ଖସାଇ ଦେଇଥିଲେ ଅଭିନନ୍ଦନ ।

ଭାରତୀୟ ବାୟୁସେନାର ଏହି ୱିଙ୍ଗ୍ କମାଣ୍ଡର ଦେଖାଇଥିଲେ ଅଦମ୍ୟ ସାହସ । ପାକ୍ ମାଟିରେ ଖସିବା ପରେ ତାଙ୍କୁ କାବୁ କରିନେଇଥିଲେ ପାକ୍ ସେନା । ନିଜ କବଜାରେ ରଖି ନିର୍ଯାତନା ଦେଇଥିଲେ । ତେବେ ଭାଙ୍ଗି ପଡିନଥିଲେ ଅଭିନନ୍ଦନ । ଏହି ଖବର ଅନ୍ତର୍ଜାତୀୟ ସ୍ତରରେ ଚହଳ ପକାଇ ଦେଇଥିଲା । ଏହାପରେ ଅଭିନନ୍ଦନଙ୍କୁ ନିସର୍ତ୍ତ ମୁକ୍ତ କରିବା ଲାଗି ଭାରତ ପକାଇଥିଲା କୁଟନୈତିକ ଚାପ । ଏହି ଚାପ ଆଗରେ ନଇଁବାକୁ ବାଧ୍ୟ ହୋଇଥିଲା ପାକିସ୍ତାନ ।

ଶେଷରେ ଅଭିନନ୍ଦନଙ୍କୁ ଛାଡିଥିଲା ପାକିସ୍ତାନ ।ଏହାପରେ ଅଭିନନ୍ଦନଙ୍କ ଶାରିରୀକ ଏବଂ ମାନସିକ ସ୍ଥିତିର ପରୀକ୍ଷା ହୋଇଥିଲା । ଏବେ ସଂପୂର୍ଣ୍ଣ ଫିଟ୍ ହେବା ପରେ ବାୟୁସେନାରେ ପୁଣିଥରେ ଯୋଗ ଦେଇଛନ୍ତି ଅଭିନନ୍ଦନ ବର୍ତ୍ତମାନ । ଅଭିନନ୍ଦନଙ୍କୁ ନେଇ ପାକିସ୍ତାନ ଯେଉଁଭଳି ଭାବରେ ଅପପ୍ରଚାର କରୁଥିଲା ତାକୁ ମିଳିଯାଇଛି କଡା ଜବାବ । ନୂଆ ରୂପରେ ପୁଣି ଥରେ ଆକାଶରେ ସାହସ ଏବଂ ଅଭିମାନର ଉଦାହରଣ ପ୍ରସ୍ତୁତ କରିଛନ୍ତି ଅଭିନନ୍ଦନ । ବାୟୁସେନା ଯବାନଙ୍କ ଭିତରେ ନୂଆ ଜୋଶ ଭରିଛନ୍ତି ଅଭିନନ୍ଦନ । ଏହାସହ ପାକିସ୍ତାନକୁ ମିଳିଯାଇଛି ଜବାବ ।