Odia News Portal

ବ୍ଳାଷ୍ଟର୍ସ : କେରଳର ନିଜ ଫୁଟବଲ କ୍ଳବ

ଭୁବନେଶ୍ବର : ଫୁଟବଲ ଖେଳ ପ୍ରତି କେରଳର ଭଲପାଇବା କୌଣସି ପରିଚୟ ଆବଶ୍ୟକ କରେନାହିଁ, ଏହା ଶହ ଶହ ବର୍ଷର ପୁରୁଣା ପରମ୍ପରା । କୌଣସି ଆନ୍ତର୍ଜାତିକ ମ୍ୟାଚ ହେଉ କିମ୍ବା ଖୁବ ଲୋକପ୍ରିୟ ସେଭେନ୍ସ , ପାଦରେ ବଲ ଗଡାଇବା ମାତ୍ରେ ଜୀବନ୍ତ ହୋଇଉଠେ ଖେଳର ଅନ୍ତର୍ନିହିତ ଭାବ ।

ଇଂରେଜ ସୈନିକ ଓ ଧର୍ମପ୍ରଚାରକଙ୍କ ସମୟରୁ ଫୁଟବଲ ବିଶ୍ୱର ଏହି ଅଂଶରେ ଲୋକପ୍ରିୟ ହୋଇ ରହିଆସିଛି, ଏପରିକି ଦେଶର ପାଗଳାମି କ୍ରିକେଟଠାରୁ ମଧ୍ୟ ଏହା ଆଗରେ । ଫୁଟବଲ ପାଇଁ ଏହି ରାଜ୍ୟ ପାଇଛି ସମ୍ମାନ, କ୍ଳବମାନଙ୍କୁ ମିଳିଛି ସୁନାମ ଏବଂ ଖେଳାଳିମାନ ହୋଇଛନ୍ତି ଘରେଘରେ ପରିଚିତ । କିନ୍ତୁ ୨୦୧୪ ରେ କେରଳ ବ୍ଳାଷ୍ଟର୍ସ ଏଫସିର ଜନ୍ମ ପୂର୍ବରୁ ଦୀର୍ଘ ସମୟ ପାଇଁ ସୃଷ୍ଟି ହୋଇଥିଲା ଏକ ଶୂନ୍ୟସ୍ଥାନ । ଏହି ସମୟ ମଧ୍ୟରେ ବିଭିନ୍ନ କ୍ଳବ ଗଠିତ ହୋଇଥିଲେ ମଧ୍ୟ କେହି ଉଧେଇବା ପରି ଜଣାପଡ଼ିନଥିଲେ ।

ଗଠିତ ହେବାର ପାଞ୍ଚବର୍ଷ ଭିତରେ କେରଳ ବ୍ଳାଷ୍ଟର୍ସ ଏଫସି ଅଧିକରୁ ଅଧିକ ଶକ୍ତିଶାଳୀ ହୋଇପାରିଛି । ସେମାନେ ଏବେ ଏସିଆର ବହୁଳ ସମର୍ଥିତ କ୍ଳବଗୁଡି଼କ ମଧ୍ୟରେ ଅନ୍ୟତମ । ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ଏକ ନିୟୁତରୁ ଅଧିକ ଲେଖାଏଁ ଅନୁଗାମୀଙ୍କ ସହିତ ବ୍ଳାଷ୍ଟର୍ସ ଆଜି ଅଗ୍ରଣୀ କ୍ଳବମାନଙ୍କ ଭଳି ଅନଲାଇନ ସମର୍ଥକଙ୍କ ଏକ ସେନାବାହିନୀ ଗଢ଼ିଥିବାର ଗର୍ବ କରିପାରୁଛି । ସେମାନେ ଏବେ ବିଶ୍ୱର ସର୍ବାଧିକ ଡ଼ିଜିଟାଳୀ-ଫଲୋଡ଼ ୧୦୦ ଫୁଟବଲ କ୍ଳବ ତାଲିକାରେ ଏକମାତ୍ର ଦକ୍ଷିଣ ଏସୀୟ ଦଳ ।

ଏସିଆରେ ବ୍ଳାଷ୍ଟର୍ସର ମାନ୍ୟତା ବର୍ତ୍ତମାନ ଦଶ ନମ୍ବର । ସେହିପରି ମୋଟାମୋଟି ୪୩ ଲକ୍ଷ ଡିଜିଟାଲ ଅନୁଗାମୀଙ୍କ ସହିତ ବିଶ୍ୱ ସ୍ତରରେ ଏହାର ସ୍ଥାନ ଲସ ଏଞ୍ଜେଲେସ ଗାଲାକ୍ସି (୪୧ ଲକ୍ଷ), ସେଲଟିକ ଏଫସି (୩୧ ଲକ୍ଷ) ଏବଂ ଏଏଫସି ଚାମ୍ପିଅନ୍ସ ଲିଗ ବିଜେତା କାଶିମା ଆଣ୍ଟଲର୍ସ (୫ ଲକ୍ଷ) ଭଳି ଖ୍ୟାତନାମା କ୍ଳବମାନଙ୍କ ଠାରୁ ଉପରେ ।

କୋଚି ସ୍ଥିତ ଜବାହାରଲାଲ ନେହରୁ ଷ୍ଟାଡିୟମରେ ଘରୋଇ ଦଳ ପ୍ରତି ଅନୁଗାମୀଙ୍କ `ସମର୍ଥନ’ କୁ କେବେ ଅଣଦେଖା କରିହେବନାହିଁ । ହିରୋ ଇଣ୍ଡିଆନ ସୁପର ଲିଗର ପ୍ରଥମ ଦୁଇ ସଂସ୍କରଣରେ ବ୍ଳାଷ୍ଟର୍ସ ପ୍ରତି କେରଳର ସମର୍ଥନ ପ୍ରତିଦ୍ବନ୍ଦ୍ବୀ ଦଳମାନଙ୍କ ପାଇଁ ଈର୍ଷାର କାରଣ ହୋଇଥିଲା । ପ୍ରତି ମ୍ୟାଚରେ ହାରାହାରି ୬୦ ହଜାର ଦର୍ଶକ ଘରୋଇ ଦଳକୁ ଉତ୍ସାହିତ କରିଥିଲେ । ଅବଶ୍ୟ ସୁରକ୍ଷା ଦୃଷ୍ଟିରୁ ୨୦୧୭ ଠାରୁ ଷ୍ଟାଡିୟମର ସାମର୍ଥ୍ୟ ୪୦ ହଜାରକୁ ହ୍ରାସ କରାଯାଇଛି ।

ଆମ ଫ୍ୟାନ ଆମ ଦଳ ପଛରେ ଅତିରିକ୍ତ ଖେଳାଳିଭଳି ଠିଆହୋଇ ଅନ୍ୟ ଦଳମାନଙ୍କ ପାଇଁ କୋଚିରେ ଖେଳିବା ମୁସ୍କିଲ କରିଆସିଛନ୍ତି,’’ କହନ୍ତି ନର୍ଥଇଷ୍ଟ ୟୁନାଇଟେଡ଼ ଏଫସିରୁ ଆସି କେରଳ ବ୍ଲାଷ୍ଟର୍ସରେ ଯୋଗଦେଇଥିବା ମୁଖ୍ୟ ପ୍ରଶିକ୍ଷକ ଏଲକୋ ଶାଟୋରୀ ।

ବ୍ଳାଷ୍ଟର୍ସ ପାଖରେ କେବଳ ଅଭାବ ରହିଛି ଆଇଏସଏଲ ଟ୍ରଫି । ସେମାନେ ଦୁଇଥର ଏହି ଟ୍ରଫିର ନିକଟବର୍ତ୍ତି ହୋଇ ଉଭୟ ଥର ଫାଇନାଲରେ ଏଟିକେ ଠାରୁ ହାରିଯାଇଛନ୍ତି (୨୦୧୪ ଓ ୨୦୧୬) । ଗତ ଦୁଇବର୍ଷ ଧରି ସେମାନେ ପ୍ଲେ-ଅଫସ ପହଂଚିବାକୁ ସମର୍ଥ ହୋଇନାହାନ୍ତି । ଦଳର ସାମ୍ପ୍ରତିକ ପ୍ରଦର୍ଶନ ନିରାଶଜନକ ରହିଥିଲେ ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ଭାବେ ଶାଟୋରୀ ଏବଂ କେତେଜଣ ନାମୀ ଖେଳାଳିଙ୍କ ଯୋଗଦାନ ନୂତନ ଆଶା ସୃଷ୍ଟି କରିଛି ।

ଆଇଏସଏଲ ଭାରତକୁ ଆଣିଦେଇଛି ନୂତନ ଫୁଟବଲ ବିପ୍ଳବ ଏବଂ ସେଥିରେ ଫ୍ୟାନଙ୍କୁ ଯୋଡିବାର ଅଭିନବ ଉପାୟ ସେମାନଙ୍କୁ ଦଳର ଆହୁରି ନିକଟତର କରିଛି । ବାହାରେ ରହୁଥିବା କେରଳୀ ଏବଂ ବହୁସଂଖ୍ୟାରେ ରାଜ୍ୟରୁ ଯାଇ ବାହାର ମ୍ୟାଚ ଦେଖୁଥିବା ଫ୍ୟାନ ବ୍ଳାଷ୍ଟର୍ସ ପାଇଁ ଅନନ୍ୟ,” କହନ୍ତି ବ୍ଳାଷ୍ଟର୍ସ ଫ୍ୟାନ ବା `ମାଞ୍ଜପ୍ପାଦା’ କୋର କମିଟି ସଦସ୍ୟ ସୋମୁ ଜୋସେଫ ।

ଅବିଶ୍ୱସନୀୟ ମ୍ୟାଚ ଦିବସ କାର୍ଯ୍ୟକ୍ରମ ସହିତ ମାଞ୍ଜପ୍ପାଦା ବାହିନୀ ବହୁ ପରିମାଣରେ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ଘରେ ହେଉ ବା ବାହାରେ, ସେମାନେ ହେଲେ ଗଳାଫଟାଇ ଦଳକୁ ଉତ୍ସାହିତ କରୁଥିବା ଫ୍ୟାନ ବାହିନୀ । ଏପରିକି ଆଇଏସଏଲର ଷଷ୍ଠ ସିଜନ ପୂର୍ବରୁ କେରଳ ଦଳ ଏକ ପ୍ରାକ-ସିଜନ ମ୍ୟାଚ ଖେଳିବାକୁ ୟୁଏଇ ଯାଇଥିବାବେଳେ ୟୁଏଇରେ ରହୁଥିବା ହଜାର ହଜାର କେରଳୀ ଷ୍ଟାଡିଅମ ପହଂଚି ସେଠାରେ ବହୁ ଚର୍ଚ୍ଚିତ ହଳଦୀ ରଙ୍ଗର ସମୁଦ୍ର ସୃଷ୍ଟି କରିଥିଲେ ।

ବିଶ୍ଵବ୍ୟାପୀ ମାଲୟଲୀମାନଙ୍କ ପାଇଁ ବ୍ଳାଷ୍ଟର୍ସ ହେଉଛି ଏକ ଫୂଟବଲ କ୍ଲୁବ ଯାହାକୁ ସେମାନେ ଗର୍ବର ସହିତ ନିଜ ଦଳ କହିପାରିବେ ।