Odia News Portal

ବିହାରରେ ଆଜି ମହାମେଣ୍ଟ ସରକାର, ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ

ବିହାରରେ ଆଜି ଜେଡିୟୁ ଓ ଆରଜେଡି ନେତୃତ୍ୱରେ ନୂଆ ମହାମେଣ୍ଟ ସରକାର ଶପଥ ନେବ । ଅଷ୍ଟମ ଥର ପାଇଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅପରାହ୍ନ ୨ଟାରେ ରାଜ ଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମହାମେଣ୍ଟ ସରକାରରେ ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ।

ନୀତୀଶ କୁମାର ମଙ୍ଗଳବାର ବିଜେପି ନେତୃତ୍ଵାଧୀନ ଏନଡିଏ ମେଣ୍ଟ ସହ ସମ୍ପର୍କ ଚ୍ଛିନ୍ନ କରିଥିଲେ । ଏହାପରେ ସେ ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଇସ୍ତଫା ଦେବା ପରେ ନୀତୀଶ କୁମାର ପୁଣିଥରେ ତେଜସ୍ଵୀ ଯାଦବ ଓ ମହାମେଣ୍ଟର ଅନ୍ୟ ନେତାଙ୍କ ସହ ରାଜ୍ୟପାଳଙ୍କୁ ଭେଟିଥିଲେ। ୭ଟି ଦଳର ୧୬୪ ଜଣ ବିଧାୟକଙ୍କ ସହ ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଥିବା ଦର୍ଶାଇ ନୀତୀଶ ଏକ ନୂଆ ସରକାର ଗଠନ ପାଇଁ ଦାବି ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୫ ବିଧାନସଭା ନିର୍ବାଚନରେ ​​ବିହାରରେ ମହାମେଣ୍ଟ ସରକାର ଗଠନ ହୋଇଥିଲା, ଯେଉଁଥିରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।

ତେବେ ୨୦୧୭ରେ ନୀତିଶ କୁମାର ଆରଜେଡି ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ମହାମେଣ୍ଟରୁ ଓହରି ଯାଇଥିଲେ ଏବଂ ବିଜେପି ସହିତ ସରକାର ଗଠନ କରିଥିଲେ।

୨୦୨୦ ନିର୍ବାଚନରେ ​​କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲେ। ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଆରଜେଡି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନ ପାଇଁ ଏହା ପାଖରେ ବହୁମତ ନଥିଲା |

ହେଲେ ଜେଡିୟୁ ବିଜେପି ସହାୟତାରେ ସରକାର ଗଠନ କରିଥିଲା। ଜେଡିୟୁ ଅପେକ୍ଷା ବିଜେପି ଅଧିକ ଆସନ ପାଇଥିଲେ ମଧ୍ୟ ଜେଡିୟୁ ନେତା ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା ।