Odia News Portal

ଶତ୍ରୁରୁ ମିତ୍ର କେମିତି ହେଲେ ଅପରାଜିତା, ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ହଡକମ୍ପ । ଶତ୍ରୁ ଶିବିରରେ ଜୋରଦାର ହମଲା । ଜନ୍ମଦିନ ଶୁଭକାମନା ଦୋହଲାଇ ଦେଲା ଦିଲ୍ଲୀ ଦରବାର । ଏପଟେ ବିଜେଡି ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରୁଥିଲା ଆଉ ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଉଥିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ । ଆପଣ ଭାବୁଥିବେ ଦୁଇ ସାଂସଦଙ୍କ ଭେଟଘାଟ ରାଜ୍ୟ ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ କାହିଁକି? ସୋସିଆଲ ମିଡିଆ ୟୁଜର୍ସ ହୁଅନ୍ତୁ ଅବା ବିଜେପି ବିରୋଧୀ ଶିବିର ସବୁବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ଦୁଇ ଅଲଗା ରାସ୍ତାର ପଥିକ ବୋଲି କୁହନ୍ତି । ରାଜ୍ୟ ରାଜନୀତିରେ ଚର୍ଚ୍ଚା ହୁଏ ଉଭୟଙ୍କ ଭିତରେ ଅହି ନକୁଳ ସମ୍ପର୍କ । ଏମିତିକି ଧର୍ମେନ୍ଦ୍ରଙ୍କ ସହ ଅପରାଜିତାଙ୍କ ବିଲକୁଲ ଭଲ ସମ୍ପର୍କ ନୁହେଁ ବୋଲି ବିଜେପି ଶିବିରରେ ବି ଟୁପୁର ଟାପର ହୁଏ । ହେଲେ ସଂଯୋଗ ଏମିତିକା ଯେ, ଆଜି ଧର୍ମେନ୍ଦ୍ରଙ୍କ ଜନ୍ମଦିନକୁ ଅପରାଜିତା ଦିଲୀରେ ତାଙ୍କୁ ଭେଟି ଶୁଭେଚ୍ଛା ଦେଇଛନ୍ତି । ଖାଲି ସେତିକି ନୁହେଁ ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ଢ଼େରସମୟ ଆଲୋଚନା ବି କରିଛନ୍ତି । ଯାହା ଏବେ ସେଇ ବିରୋଧୀ ଶିବିରକୁ ଶକ୍ତ ଚାପୁଡା ଦେଇଛି । ଦଳ ଓ ରାଜ୍ୟ ସ୍ୱାର୍ଥ ଆଗରେ ସବୁ କିଛି ତୁଛ ବୋଲି ଉଭୟ ନେତା ସନ୍ଦେଶ ଦେଇଥିବା ବେଳେ ସେମାନଙ୍କ ଭିତରେ ସମ୍ପର୍କ ଯେ ନିବିଡ ତାହା ଏଇ ଶୁଭେଚ୍ଛା ଭେଟଘାଟ ପ୍ରମାଣ କରୁଛି ।

ଏବେ ରାଜ୍ୟ ରାଜନୀତିର ପାଣିପାଗ ଉପରେ ନଜର ପକାଇବା । ଶନିବାର ପଂଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି । ସଂଗଠନ ମଜବୁତ କରି କ୍ରିୟାଶୀଳ କରିବାକୁ ଯୋଜନା କରିଛି ବିଜୁ ଜନତା ଦଳ । ଯାହାକୁ ନେଇ ବିଜେପି ଶିବିରର ପ୍ରତିକିୟାକୁ ସାରା ରାଜ୍ୟ ଅପେକ୍ଷା କରିଥିବା ବେଳେ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି ତିନି ତୁଙ୍ଗ ନେତା । ଧର୍ମେନ୍ଦ୍ରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ଅପରାଜିତା ସିଧା ତାଙ୍କ ବାସଭବନ ଯାଇଥିବା ବେଳେ ରାଷ୍ଟ୍ରୀୟ ସଂପାଦକ ବୈଜୟନ୍ତ ପଣ୍ଡା ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି । କେଉଁଠି ନା କେଉଁଠି ଧର୍ମେନ୍ଦ୍ର ଯେ ରାଜ୍ୟ ବିଜେପିର ପୋଷ୍ଟର ବୟ ଏକଥା ପୂର୍ବରୁ ଯେଉଁ ଗୁମୁରୁଥିଲା, ସେଥିରେ ଏକପ୍ରକାର ହଁ ଭରିଛନ୍ତି ଅପରାଜିତା ଓ ବୈଜୟନ୍ତ । ମାନେ ଗୋଟିଏ ପ୍ରକାର କହିବାକୁ ଗଲେ ଧର୍ମେନ୍ଦ୍ରଙ୍କୁ ଏଥର ଆଉ ବିରୋଧ କରିବାକୁ କେହି ନାହିଁ ସେଇ ବାର୍ତା ଯାଇଛି ବିଜେପି ଶିବିରକୁ ଆଉ ତାଙ୍କରି ନେତୃତ୍ୱରେ ଯେ ଦଳ ଆଗାମୀ ନିର୍ବାଚନରେ ବିରୋଧୀଙ୍କୁ ଚେକ୍ ଦେବେ ଏ ବାର୍ତା ଯାଇଛି ବିରୋଧୀ ପଟକୁ । ଅବଶ୍ୟ ରାଜନୀତିରେ କେହି କାହାର ନୁହେଁ । କିନ୍ତୁ ଯଦି ଅପରାଜିତା, ବୈଜୟନ୍ତ ଓ ଧର୍ମେନ୍ଦ୍ର ସତରେ ଏକାଠି ମିଶି ରାଜ୍ୟ ବିଜେପିକୁ ପରିଚାଳନା କରିବେ ତେବେ ଦଳ ଉପରେ ଲୋକଙ୍କ ଭରସା ବଢ଼ିବ ହିଁ ବଢ଼ିବ ।