Odia News Portal

କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି ବିଜେପି

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ସିସୋଦିଆ କହିଛନ୍ତି ଯେ ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି। ସେ କହିଛନ୍ତି- ଆଜି ପୋଲିସର ଉପସ୍ଥିତିରେ ବିଜେପି ଗୁଣ୍ଡାମାନେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ପଶିଥିଲେ । ତାଙ୍କ ଘରର ସିସିଟିଭି କ୍ୟାମେରା ଭାଙ୍ଗି ଦେଇଥିଲେ । ଘରର ସୁରକ୍ଷା ବ୍ୟାରିକେଡ଼ ମଧ୍ୟ ଭାଙ୍ଗି ଦିଆଯାଇଥିଲା । ଏହା ସବୁ ପୋଲିସର ଉପସ୍ଥିତିରେ ଘଟିଥିଲା | ବିଜେପି ଗୁଣ୍ଡମାନେ ଏସବୁ କରିଛନ୍ତି ବୋଲି ସିସୋଦିଆ ଅଭିଯୋଗ କରିଛନ୍ତି । ସିସୋଦିଆ କହିଛନ୍ତି ଯେ କେଜ୍ରିୱାଲଙ୍କୁ ନିର୍ବାଚନରେ ହରାଇ ପାରୁନଥିବାରୁ ବିଜେପି ତାଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଛି। ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର |

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ହୋଇଥିବା ଆକ୍ରମଣ ଭୀରୁତାପୂର୍ଣ୍ଣ କାର୍ଯ୍ୟ। ସେ ଟ୍ୱିଟ୍ କରି କହିଛନ୍ତି ଯେ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ପରାଜୟ ପରେ ବିଜେପିର କ୍ରୋଧ ସ୍ପଷ୍ଟ ଦେଖାଯାଉଛି।

କେଜ୍ରିୱାଲଙ୍କ ଘରେ ଦିଲ୍ଲୀ ପୋଲିସ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିବା ଭଗଓ୍ବନ୍ତ ମାନ ଅଭିଯୋଗ କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି – ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି ଯେ ବିଜେପି କେବଳ ଆପ୍ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଭୟ କରୁଛି।

ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସିଭିଲ ଲାଇନ୍ ସ୍ଥିତ କେଜ୍ରିୱାଲଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ‌। କାଶ୍ମୀର ପଣ୍ଡିତଙ୍କୁ ତାତ୍ସଲ୍ୟ ପାଇଁ କେଜ୍ରିୱାଲ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଥିଲେ । ବିଜେପି ଯୁବମୋର୍ଚ୍ଚା କର୍ମୀମାନେ କେଜ୍ରିୱାଲଙ୍କ ଘର ସମ୍ମୁଖରେ ଲାଗିଥିବା ସିସିଟିଭି ଭାଙ୍ଗି ଦେଇଥିଲେ ।